ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ପୁଅ

ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ପୁଅ । ପ୍ରେରଣା କାର୍ଯ୍ୟକ୍ରମରେ ସଫଳତା ହାସଲ କରି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଭଦ୍ରକର ଆଶୁତୋଷ ନାୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରେରଣାରେ ସେ ଯୋଗ ଦେଇଥିଲେ । ଅହମ୍ମଦାବାଦ ସ୍ଥିତ ବଡ଼ନଗର ପ୍ରେରଣା କେନ୍ଦ୍ରରେ ସପ୍ତାହବ୍ୟାପି ବିଭିନ୍ନ ସଚେତନ ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଠାରେ ଆଶୁତୋଷ ଦକ୍ଷତାର ସହ ଓଡ଼ିଶାର ବିଭିନ୍ନ ବିଷୟବସ୍ତୁକୁ ଉତ୍ଥାପନ କରି ଶ୍ରେଷ୍ଠ ବିବେଚିତ ହୋଇଥିଲେ । ପ୍ରେରଣା ଅନୁଷ୍ଠାନ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା ।
ବାଲିପାଟଣା ବସହପୁର ଗାଁର ନବମ ଶ୍ରେଣୀର ଛାତ୍ର ଆଶୁତୋଷ ପ୍ରେରଣା କାର୍ଯ୍ୟକ୍ରମ ପାଇଁ ଭଦ୍ରକ ଜିଲ୍ଲାରୁ ମନୋନିତ ହୋଇଥିଲେ । ଭଦ୍ରକ ଜିଲ୍ଲା ପାଇଁ ଗୌରବ ଆଣିଥିବାରୁ ବିଦ୍ୟାଳୟ ପକ୍ଷରୁ ଆଶୁତୋଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପୁଅର ସଫଳତାରେ ପରିବାର ତଥା ବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି ।