ଏଠି ଓଡ଼ିଆ ଥିଲା ଦ୍ୱିତୀୟ ରାଜଭାଷା, ହେଲେ ଏବେ...

ସଂକଟରେ ଓଡ଼ିଆ ଭାଷା। ଏଠାରେ ଓଡ଼ିଆ ଭାଷା ଓ ଓଡ଼ିଆ ଲୋକେ ଉପେକ୍ଷିତ । କେଉଁଠି ଓଡ଼ିଆ ସ୍କୁଲରେ ଝୁଲୁଛି ତାଲା, ତ ଆଉ କେଉଁଠି ଓଡ଼ିଆ ବିଦ୍ୟାଳୟରେ ନିଯୁକ୍ତ ହୋଇଛନ୍ତି ଅଣଓଡିଆ ଶିକ୍ଷକ । ଓଡ଼ିଆ ଭୁଲି ଗଲେଣି ଓଡ଼ିଆ ପିଲା। ଲୋପ ପାଇଯିବ କି ଓଡ଼ିଆଙ୍କ ଅସ୍ଥିତ୍ଵ ?
ଆମେ କହୁଛୁ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା କଥା । ପୂର୍ବରୁ ଓଡ଼ିଆ ଭାଷାକୁ ଝାଡ଼ଖଣ୍ଡ ସରକାର ୨ୟ ରାଜଭାଷାର ମାନ୍ୟତା ଦେଇଥିଲେ କିନ୍ତୁ ଏବେ ଏହା ବାଦ୍ ପଡ଼ିଛି । ସୀମାନ୍ତ ଚମ୍ପୁଆ ନିକଟବର୍ତ୍ତୀ ଜୟନ୍ତଗଡ଼ ଓଡ଼ିଆ ବହୁଳ ଅଞ୍ଚଳ ହୋଇଥିଲେ ହେଁ ଏଠାକାର ପିଲା ଓଡ଼ିଆ ପଢ଼ିବାରୁ ବଞ୍ଚିତ ହେଉଛନ୍ତି । ୧୯୩୬ ମସିହାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ସଢେଇକଳା, ଖରସୁଆଁ ବିଚ୍ଛିନ୍ନାଞ୍ଚଳ ଭାବେ ପରିଗଣିତ ହେବା ସହିତ ବିହାର ରାଜ୍ୟରେ ରହିଗଲା ।
୨୦୦୦ ମସିହାରେ ଝାଡ଼ଖଣ୍ଡ ପ୍ରଦେଶ ଗଠନ ପରେ ସେଠାକାର ସରକାର ୨୦୧୧ ମସିହାରେ ଓଡ଼ିଆ ଭାଷାକୁ ୨ୟ ରାଜଭାଷାର ମାନ୍ୟତା ଦେଇଥିଲେ କିନ୍ତୁ ଏବେ ଏହା ବାଦ୍ ପଡ଼ିଛି । ଏହି ବିଚ୍ଛିନ୍ନାଞ୍ଚଳରେ ୨୯୪ଟି ଓଡ଼ିଆ ବହୁଳ ଗାଁ ରହିଥିବା ବେଳେ ଓଡ଼ିଆ ଭାଷା ଏଠାରେ ଉପେକ୍ଷିତ । ପଡୋଶୀ ରାଜ୍ୟ ଝାଡ଼ଖଣ୍ଡରେ ଓଡ଼ିଆ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଛି । ଝାଡ଼ଖଣ୍ଡ ରାଜ୍ୟ ଗଠନ ପରଠାରୁ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାକୁ ଲୁପ୍ତ କରିବା ପାଇଁ ଝାଡ଼ଖଣ୍ଡରେ ଏକ ପ୍ରକାର ଚକ୍ରାନ୍ତ ଚାଲିଛି । ଓଡ଼ିଆ ସ୍କୁଲମାନଙ୍କରୁ ଓଡ଼ିଆ ଶିକ୍ଷକଙ୍କୁ ହଟାଇ ଦିଆଯାଉଛି । ଅନେକ ଓଡ଼ିଆ ସ୍କୁଲ ବନ୍ଦ ହୋଇଯାଇଛି । ରାଜ୍ୟ ସରକାର ଏହା ଉପରେ ଦୃଷ୍ଟି ଦେବା ପାଇଁ ଦାବି ହୋଇଛି ।
ଓଡ଼ିଆ ପିଲାଙ୍କୁ ଓଡ଼ିଆ ପାଠ ପଢ଼ିବା ପାଇଁ ସୁଯୋଗ ନାହିଁ । ଏମିତିରେ ଓଡ଼ିଆ ସଂସ୍କୃତି, ପରମ୍ପରା, ଲୋକକଳା ଧ୍ବସ୍ତ ବିଧ୍ବସ୍ତ ହେବାକୁ ବସିଲାଣି । ସୀମାନ୍ତ ଚମ୍ପୁଆ ନିକଟବର୍ତ୍ତି ଜୟନ୍ତଗଡ଼ ଓଡ଼ିଆ ବହୁଳ ଅଞ୍ଚଳ ହୋଇଥିଲେ ହେଁ ଏଠାକାର ପିଲା ଓଡ଼ିଆ ପଢ଼ିବାରୁ ବଞ୍ଚିତ ହେଉଛନ୍ତି । ଏଠାରେ ଥିବା ଏକମାତ୍ର ଓଡ଼ିଆ ସ୍କୁଲକୁ ୨୦୧୫ ମସିହାରୁ ବନ୍ଦ କରି ଦିଆଯାଇଛି । ଏଭଳି ସ୍ଥିତିରେ ଅନେକ ପିଲା ବାଧ୍ୟହୋଇ ଚମ୍ପୁଆରେ ଥିବା ଓଡ଼ିଆ ସ୍କୁଲ ଗୁଡିକରେ ପାଠପଢ଼ୁଥିବା କହିଛନ୍ତି ।
ସୀମାନ୍ତରେ ଉଭୟ ସରକାର ପ୍ରାଥମିକ ଶିକ୍ଷାକୁ କେତେ ଗୁରୁତ୍ଵ ଦେଉଛନ୍ତି ଆଉ ସୀମାନ୍ତ ଅଞ୍ଚଳରେ ସଙ୍କଟରେ ପଡ଼ିଥିବା ଓଡ଼ିଆ ଭାଷା ଏଥିରୁ ମୁକୁଳି ପାରୁଛି କି ନାହିଁ ଏବେ ସେହି ଦିନକୁ ଅପେକ୍ଷା ।