ପ୍ରଶ୍ନକାଳରେ ମାତ୍ର ୧୫ ମିନିଟ୍ ଚାଲିଲା ବିଧାନସଭା, ଗୃହ ଚଳାଇ ଦେଲେନି ବିଜେଡି ଓ କଂଗ୍ରେସ

ଭୁବନେଶ୍ଵର: ବିଧାନସଭା ଆଜି ବି ସ୍ଵାଭାବିକ ହୋଇ ପାରିନି । ପ୍ରଶ୍ନକାଳ ଆରମ୍ଭରୁ ଦିବଙ୍ଗତ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଶୋକ ପ୍ରସ୍ତାବ ଉପରେ ଆଲୋଚନା ପରେ ଗୃହରେ କଂଗ୍ରେସ ଓ ବିଜେଡି ସଦସ୍ୟ ହଟ୍ଟଗୋଳ କରିଥିଲେ । ପୂର୍ବଭଳି କଂଗ୍ରେସ ସଦସ୍ୟ ବାଚସ୍ପତିଙ୍କ ପୋଡିୟମ୍ ତଳେ ଘଣ୍ଟ ବଜାଇ ପ୍ରତିବାଦ କରିଥିବା ବେଳେ ବିଜେଡି ଗୃହ ମଧ୍ୟ ଭାଗରେ ପ୍ଲା କାର୍ଡ ଦେଖାଇଥିଲା ।
ବିରୋଧୀ କଂଗ୍ରେସ ଓ ବିଜେଡିର ପ୍ରବଳ ହଟ୍ଟଗୋଳ, ହଙ୍ଗାମା ଭିତରେ ଗୃହ ମାତ୍ର ୧୫ ମିନିଟ୍ ଚାଲିଥିଲା । ହୋ ହଲ୍ଲା ବଢ଼ିବାରୁ ବାଚସ୍ପତି ଗୃହକୁ ଦିନ ୧୨ଟା ୯ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି । ପ୍ରଶ୍ନକାଳ ଆଲୋଚନାରେ ରଖିଛନ୍ତି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଥିଲେ । କହିଥିଲେ, ୨୦୨୫ ଡିସେମ୍ବର ସୁଦ୍ଧା ଓଡ଼ିଶାରୁ ସେମି କଣ୍ଡକ୍ଟର ଚିପ୍ ଉତ୍ପାଦନ ଲକ୍ଷ୍ୟ ରଖିଛୁ ।
ଏହା ଛଡ଼ା ଓଡ଼ିଶାକୁ ଆଇଟି ହବ୍ କରିବା ଲାଗି ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ପୁରୀ ସମୁଦ୍ରରେ ଡାଟା ସେଣ୍ଟର ଲାଗି ଏମ୍ଓୟୁ ହୋଇଛି । ନିକଟରେ ସିଙ୍ଗାପୁର ରାଷ୍ଟ୍ରପତି ଭୁବନେଶ୍ଵର ଆସିଥିବା ବେଳେ ବିଭିନ୍ନ କ୍ଷେତ୍ର ପାଇଁ ଚୁକ୍ତିନାମା ହୋଇଛି । ଏହା କାର୍ଯ୍ୟକାରୀ ହେଲେ ଓଡ଼ିଶା ଆଇଟି କ୍ଷେତ୍ରରେ ଆହୁରି ଆଗକୁ ଯିବ ବୋଲି କହିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ ।