Weather Alert / ଶୀତରେ ବି ପ୍ରବଳ ବର୍ଷିବ, ପାଣି ମାଡ଼ି ଆସିବ !

Key Points
୨୨ରୁ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ।
ଅକ୍ଟୋବରରେ ଡରାଇଥିଲା ବାତ୍ୟା ‘ମୋନ୍ଥା’। ମାସକ ପରେ ପୁଣି ଲଘୁଚାପ, ପୁଣି ଘାରିଲାଣି ବାତ୍ୟା ଡର । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୨୨ ତାରିଖରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଘନୀଭୂତ ହେବ । ୨୪ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗର କେନ୍ଦ୍ରୀୟ ଅଞ୍ଚଳରେ ଅବପାତରେ ପରିଣତ ହେବ । ପରବର୍ତ୍ତୀ ୪୮ ଘଣ୍ଟାରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହୋଇ ୨୬ ତାରିଖ କିମ୍ବା ୨୭ ତାରିଖ ବେଳକୁ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ।
ଆମେରିକୀୟ ପାଣିପାଗ ମଡେଲ GFS ଅନୁମାନ କରିଛି, ନଭେମ୍ବର ୨୬ କିମ୍ବା ୨୭ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ । ଏହା ୨୯ ନଭେମ୍ବର ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି । ସେହିପରି ୟୁରୋପୀୟ ମଡେଲ ECMWF ପୂର୍ବାନୁମାନ କରିଛି, ନଭେମ୍ବର ୨୫ ବେଳକୁ ବାତ୍ୟା ସୃଷ୍ଟି ହୋଇପାରେ ।
ଅନ୍ୟପଟେ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ୪ ଦିନ ପ୍ରବଳ ବର୍ଷା ହୋଇପାରେ । ବିଶେଷ କରି ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। ୨୫ ତାରିଖଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ଆକଳନ କରାଯାଇଛି ।
ତେବେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ପାଣିପାଗ ସୁହାଉଥିବାରୁ ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇପାରେ, କିନ୍ତୁ ବାତ୍ୟାର ପ୍ରକୋପ କେତେ ରହିବ ତାହା ଏବେ ବି ଅସ୍ପଷ୍ଟ । ତେବେ ଓଡିଶା ଉପରେ ଏହାର ପ୍ରଭାବ କିପରି ରହିବ ତାହା ୨୨ ତାରିଖ ପରେ ସ୍ପଷ୍ଟ ହେବ ।
ଅନ୍ୟପଟେ ଯଦି ଏହା ବାତ୍ୟା ହୁଏ ତେବେ ତେବେ ଏହାର ନାଁ ରହିବ ସେନାୟ୍ୟାର (SENYAR) ଏହା ଆନ୍ଧ୍ର ଉପକୂଳ ଆଡକୁ ଗତି କରିବ । ତେଣୁ ପୂର୍ବ ତେଲେଙ୍ଗାନାରେ ମଧ୍ୟମ ବର୍ଷା ହୋଇପାରେ । ସେହିପରି ହାଇଦ୍ରାବାଦ ଏବଂ ଅନ୍ୟ କେତେକ ଅଂଚଳରେ ମଧ୍ୟ ବର୍ଷା ହେବ । କିନ୍ତୁ ବାତ୍ୟାର ପ୍ରକୋପ କେତେ ରହିବ ତାହା ଏବେବି ଅସ୍ପଷ୍ଟ ।
ଅକ୍ଟୋବରରେ ଆସିଥିବା ବାତ୍ୟା ‘ମୋନ୍ଥା’ ଯୋଗୁଁ ଓଡ଼ିଶାର ଗଜପତି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଥିଲା । ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ବେଳେ କେତେକ ସ୍ଥାନରେ ଭୂସ୍ଖଳନ ହୋଇଥିବା ସୂଚନା ରହିଥିଲା । ଗଜପତି ଜିଲ୍ଲାରେ ଭୟଙ୍କର ତାଣ୍ଡବ ରଚିଥିଲା ବାତ୍ୟା । ଆର୍.ଉଦୟଗିରି ବ୍ଳକ ଅନଘା ପଞ୍ଚାୟତରୁ ସାମ୍ନାକୁ ଆସିଥିଲା ଭୟଙ୍କର ଦୃଶ୍ୟ । ଯେତିକି ବିପଜ୍ଜନକ ସେତିକି ଚିନ୍ତାଜନକ । ପାହାଡ଼ରୁ ବିରାଟ କାୟ ପଥର ସବୁ ରାସ୍ତା ଉପରେ ଖସିବା ଫଳରେ ପୁରା ଠପ୍ ହୋଇଯାଇଥିଲା ଯାତାୟାତ। ଗଜପତି ଓ ଗଞ୍ଜାମ ଜିଲ୍ଲା ମଧ୍ୟରେ ବିଚ୍ଛିନ୍ନ ହେଇଥିଲା ଯୋଗାଯୋଗ । ଆଉ ଏବେ ବାତ୍ୟା 'ମୋନ୍ଥା'ର ଗୋଟିଏ ମାସ ମଧ୍ୟରେ ଆଉ ଏକ ବାତ୍ୟା ସମ୍ଭାବନା ଥିବାରୁ ଲୋକଙ୍କ ମନରେ ଛନକା ସୃଷ୍ଟି ହୋଇଛି ।
📱 Get Argus News App
✨Related Topics
Explore more stories