ପବିତ୍ର ମକର ସଂକ୍ରାନ୍ତିରେ ଉତ୍ସବମୁଖର ସାରା ଓଡ଼ିଶା

ଅର୍ଗସ ବ୍ୟୁରୋ: ସବୁଠି ମକର ମକର ମହକ । ଗାଁଠୁ ସହର ଉତ୍ସାହ, ଉଲ୍ଲାସ । ପବିତ୍ର ମକର ସଂକ୍ରାନ୍ତିରେ ଉଠୁଛି ପଡୁଛି ସାରା ରାଜ୍ୟ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି । ମହାପ୍ରଭୁଙ୍କ ଦ୍ବାଦଶଯାତ୍ରା ମଧ୍ୟରେ ମକର ସଂକ୍ରାନ୍ତି ଏକ ପ୍ରମୁଖ ପର୍ବ ହୋଇଥିବାବେଳେ ପାଳନ ହୋଇଛି ମକର ବେଢା । ସୁଗନ୍ଧିତ ପୁଷ୍ପ, ତୁଳସୀ ସହ ଛଅ ମୂର୍ତ୍ତି ଅଳଙ୍କାରରେ ବିଭୂଷିତ ହୋଇ ମକର ଚୌରାସୀ ବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜିଉ । ସେହିପରି ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ବଳଦେବଜୀଉଙ୍କ ମନ୍ଦିରରେ ଆଜିର ଦିନରେ ଶ୍ରୀଜୀଉଙ୍କ ନିକଟରେ ମା'ସାନ୍ତାଣୀ ଆଣିଥିବା ୮୪ ବ୍ୟଞ୍ଜନ ଲାଗି କରାଯିବାର ଅନନ୍ୟ ପରମ୍ପରା ରହିଛି ।
ମକର ସଂକ୍ରାନ୍ତିରେ ରାଜ୍ୟର ବିଭିନ୍ନ ଦେବାଳୟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିଛି । ଖୋର୍ଦ୍ଧା ଜିଲ୍ଲା ଅଟ୍ରି ଉଷ୍ଣ ପ୍ରସବଣରେ ହଜାର ହଜାର ଭକ୍ତ ବୁଡ ପକାଇଛନ୍ତି । ବିଶ୍ବାସ ରହିଛି, ଆଜିର ଦିନରେ ଏଠାରେ ବୁଡ଼ ପକାଇ ଗୁଆ ଖୋଜିଲେ ସନ୍ତାନ ପ୍ରାପ୍ତିର ସୌଭାଗ୍ୟ ମିଳେ । ସେହିପରି ମକର ସଂକ୍ରାନ୍ତିକୁ ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା' କାଳିଜାଈଙ୍କ ଜନ୍ମଦିନ ଭାବେ ପାଳନ କରାଯାଇଥାଏ । ଏଥିପାଇଁ ଆଜି ଦିନରେ ଭକ୍ତଙ୍କ ଗହଳି ଲାଗିଥିଲା ।
ମକର ସଂକ୍ରାନ୍ତି ଅବସରରେ ନିଜ ଜନ୍ମମାଟି କେନ୍ଦୁଝର ଜିଲ୍ଲା ପାଟଣାର ପୂଣ୍ୟତୋୟା ବୈତରଣୀରେ ମକର ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ । ପରେ ପ୍ରସିଦ୍ଧ ବାବା ପରମେଶ୍ବର ଓ ଆନନ୍ଦେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ମୋହନ ମାଝୀ ।
ସେପଟେ ଉତ୍ତର ଓଡ଼ିଶାରେ ବିଶେଷ କରି ମୟୂରଭଞ୍ଜ ଜିଲ୍ଲାରେ ମକରଯାତ୍ରା ଆଦିବାସୀଙ୍କ ଏକ ପ୍ରଧାନ ପର୍ବ । ନାଚଗୀତ ଓ ଭୋଜିଭାତରେ ନିଆରା ଢଙ୍ଗରେ ମକର ପାଳନ କରିଛନ୍ତି ଆଦିବାସୀ । ସେହିପରି ଗଜପତି ଜିଲ୍ଲାରେ ବେଶ୍ ଧୁମଧାମରେ ମକର ସଂକ୍ରାନ୍ତି ପାଳନ ହୋଇଛି । ପାରଳାଖେମୁଣ୍ଡିରେ ଉଭୟ ତେଲୁଗୁ ଓ ଓଡ଼ିଆ ଭାଷାଭାଷୀର ଲୋକେ ବସବାସ କରୁଥିବାବେଳେ ଏଠାରେ ଭାଇଚାର ଦେଖିବାକୁ ମିଳିଛି । ସେପଟେ ଗୁଡି ଉଡାଇ ମକର ପର୍ବକୁ ବେଶ ଆଡମ୍ବର ସହ ପାଳନ କରିଛନ୍ତି କଟକ ସହରବାସୀ ।
📱 Get Argus News App
✨ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମକର ସଂକ୍ରାନ୍ତିରୁ ସୂର୍ଯ୍ୟଦେବଙ୍କ ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ । ଏହାଦ୍ବାରା ଆଜିଠୁ ଦିନ ବଡ଼ ହୋଇଥାଏ । ହଜାର ହଜାର ବର୍ଷ ପୂର୍ବରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆକଳନ ହୋଇଥିଲା । ଯେତେବେଳେ ବିଶ୍ବ ଜାଣିନଥିଲା ସୌର ମଣ୍ଡଳର ଗତି । ଦେଶବାସୀଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: