Videos
|
Odisha

CM Reviews Flood Situation / ବନ୍ୟା ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ପାଣି ଛାଡ଼ିବାର ୭୨ ଘଣ୍ଟାରେ ରିପୋର୍ଟ ଦେବେ ଅଧିକାରୀ

Bikash Mohanty
Browse all articles by Bikash Mohanty
·59 mins ago·3 min read
ବନ୍ୟା ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ପାଣି ଛାଡ଼ିବାର ୭୨ ଘଣ୍ଟାରେ ରିପୋର୍ଟ ଦେବେ ଅଧିକାରୀ
Chief Minister

Key Points

ଆକାଶମାର୍ଗରେ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ
୫ଟି ଜିଲ୍ଲାର ୧୨ଟିରୁ ଅଧିକ ବ୍ଲକରେ ବନ୍ୟାସ୍ଥିତି ଅନୁଧ୍ୟାନ
ବନ୍ୟା ଦ୍ବାରା ୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି
୨ ଲକ୍ଷ ୬୯ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି
ଭୁବନେଶ୍ୱର ୦୧/୦୮: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆକାଶମାର୍ଗରୁ ରାଜ୍ୟର ୫ଟି ଜିଲ୍ଲାର ୧୨ଟିରୁ ଅଧିକ ବ୍ଲକରେ ବନ୍ୟାସ୍ଥିତି ଅନୁଧ୍ୟାନ କରିଛନ୍ତି। ଚଳିତ ବନ୍ୟା ଦ୍ବାରା ୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ନେଇ ସମୀକ୍ଷା ପରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ। ଚଳିତ ବନ୍ୟାରେ  ୨ ଲକ୍ଷ ୬୯ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୧୭ଟି ଓଡ୍ରାଫ୍, ୭ ଏନଡିଆରଏଫ୍, ୧୨୯ ଅଗ୍ନିଶମ ଟିମ୍ ନିୟୋଜିତ ହୋଇଛନ୍ତି। ଜିଲ୍ଲାପାଳମାନଙ୍କୁ ପାଣି ଛାଡ଼ିବାର ୩ ଦିନ ଭିତରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସଡିଆରଏଫ୍ ରୁ ୨୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବନ୍ୟା ପରବର୍ତ୍ତୀ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚଳିତ ବନ୍ୟାରେ ସତର୍କତା ପଦକ୍ଷେପ ନିଆଯାଇଛି। ଏଥିଯୋଗୁଁ ବଡ଼ ବିପର୍ଯ୍ୟୟକୁ ଟାଳି ଦିଆଯାଇଛି। ଦୟା, କୁଶଭଦ୍ରା, ଭାର୍ଗବୀ ଉପରେ ନଜର ରଖାଯାଇଛି। ପାଣି ଛାଡ଼ିଲାଣି, ଧୀରେ ଧୀରେ ସ୍ଥିତି ସୁଧୁରୁଛି। ଆସନ୍ତା ଦୁଇ ଦିନ ଭିତରେ ବନ୍ୟା ପାଣି ଛାଡି ଯିବାର ସମ୍ଭାବନା ଅଛି।
ଏଥିସହିତ ବନ୍ୟା ଛାଡିବାର ୩ ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆକଳନ ପରେ ତୁରନ୍ତ କୃଷି ଓ ଘରଭଙ୍ଗା ଇତ୍ୟାଦି କ୍ଷେତ୍ରରେ ସହାୟତା ପ୍ୟାକେଜ ଦିଆଯିବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ଯାଜପୁର ଜିଲ୍ଲାର ଦଶରଥପୁର, ବରୀ ଓ ବିଂଝାରପୁର, ଭଦ୍ରକ ଜିଲ୍ଲାର ଧାମନଗର, ଭଣ୍ଡାରିପୋଖରୀ ଓ ଚାନ୍ଦବାଲି, ବାଲେଶ୍ୱର ଜିଲ୍ଲାର ସୋର, ରେମୁଣା ଓ ବାଲେଶ୍ୱର ସଦର, ମୟୂରଭଞ୍ଜ ଜିଲ୍ଲାର ବଡସାହି, ଉଦଳା ଓ କପ୍ତିପଦାର କିଛି ପ୍ରଭାବିତ ଅଂଶ ଏବଂ କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକର ପ୍ରଭାବିତ ଅଞ୍ଚଳ ଗୁଡିକର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।
ବନ୍ୟା ପରିସ୍ଥିତି ଉପରେ ତାଙ୍କର ସମ୍ପୂର୍ଣ୍ଣ ନଜର ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୁରୀ ଜିଲ୍ଲାର ବନ୍ୟା ପରିସ୍ଥିତି ଉପରେ ମଧ୍ୟ ସତର୍କ ଦୃଷ୍ଟି ରଖାଯାଇଛି।

ପଢନ୍ତୁ ଏହି ଖବର: ହୀରାକୁଦରେ ୨୨ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ,ମହାନଦୀର ତଳମୁଣ୍ଡକୁ ବିପଦ

ସବୁ ବିପର୍ଯ୍ୟୟ ପରି ଏହି ବନ୍ୟାରେ ମଧ୍ୟ Zero Casualty କୁ ଗୁରୁତ୍ୱ ଦିଆଯାଇଛି। ଚଳିତ ବନ୍ୟାରେ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ବନ୍ୟା ଦ୍ୱାରା ପ୍ରଭାବିତ ୨.୬୯ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।

ଉଦ୍ଧାର କାର୍ଯ୍ୟରେ ୧୭ଟି ODRAF, ୭ଟି NDRF ଏବଂ ୧୨୯ଟି ଅଗ୍ନିଶମ ଓ ଜରୁରୀ ସେବାଦଳ ସାମିଲ ଅଛନ୍ତି। ୭୦୦ଟି ଆଶ୍ରୟ ସ୍ଥଳ ଓ ରିଲିଫ କ୍ୟାମ୍ପରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ରହିବା, ଶୁଖିଲା ଓ ରନ୍ଧାଖାଦ୍ୟ ବ୍ୟବସ୍ଥା, ପିଇବା ପାଣି ଓ ଡାକ୍ତରୀ ସେବାର ବ୍ୟବସ୍ଥା କରାଯାଇଛି। ଏ ସମସ୍ତ ଜିଲ୍ଲା ଗୁଡିକରେ ବରିଷ୍ଠ ଅଧିକାରୀମାନେ କ୍ଷେତ୍ର ସ୍ତରରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି ବୋଲି ସେ କହିଥିଲେ।

ବନ୍ୟା ପ୍ରପୀଡିତଙ୍କ ସହାୟତା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୨୬ କୋଟି ଟଙ୍କା ପ୍ରଦାନ କରାଯାଇଛି। କ୍ଷତିଗ୍ରସ୍ତ ପରିବାରମାନଙ୍କୁ ପଲିଥିନ, ଶୁଖିଲା ଓ ରନ୍ଧାଖାଦ୍ୟ, ପିଇବା ପାଣି ଓ ଔଷଧ ଆଦି ଯୋଗାଇଦିଆଯାଉଛି।

କ୍ଷତିଗ୍ରସ୍ତ ରାସ୍ତାଗୁଡିକୁ ମଧ୍ୟ ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରକାଶ କରି ବନ୍ୟା ପରେ ସ୍ୱାସ୍ଥ୍ୟଜନିତ ସମସ୍ୟା ଯେପରି ନଉପୁଜେ ସେଥିପାଇଁ ମଧ୍ୟ କଡା ନଜର ରଖାଯାଇଛି। ସରକାରଙ୍କ ପକ୍ଷରୁ ଉପଯୁକ୍ତ ସମୟରେ ସୂଚନା ପ୍ରଦାନ ଓ ଉଚିତ ପଦକ୍ଷେପ ଯୋଗୁ ବନ୍ୟାଜନିତ ବଡ କ୍ଷୟକ୍ଷତିକୁ ରୋକାଯାଇ ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: