ଅକ୍ଟୋବର ମାସର ଦିନ ଗଡୁଛି, ବାତ୍ୟା ଭୟ ବଢୁଛି

Key Points
- ଅକ୍ଟୋବର ମାସର ଦିନ ଗଡୁଛି, ବାତ୍ୟା ଭୟ ବଢୁଛି
- ୨୦ରେ ଘୂର୍ଣ୍ଣିବଳୟ, ୨୨ରେ ଲଘୁଚାପ କ୍ଷେତ୍ର
- ବାତ୍ୟା ହେବା ନେଇ ଏବେ ବି ସସ୍ପେନ୍ସ
ଅର୍ଗସ ବ୍ୟୁରୋ: ବାତ୍ୟା ଖବର ମିଳିବା ମାତ୍ରେ ଓଡ଼ିଶାବାସୀ ଛାନିଆ ହେଲେଣି । ପ୍ରତିବର୍ଷ ଅକ୍ଟୋବର ମାସ ହେବା ମାତ୍ରେ ଓଡ଼ିଶାକୁ ବାତ୍ୟା ଭୟ ଘାରେ । କାରଣ ୧୯୯୯ ମସିହାରେ ହୋଇଥିବା ମହାବାତ୍ୟାକୁ ଯେଉଁମାନେ ଦେଖିଛନ୍ତି ତାହାର ଭୟାଭୟତା ମନେ ପଡିଲେ ଲୋମମୂଳ ଟାଙ୍କୁରୀ ଉଠେ । ଏହାରି ଭିତରେ ବିଭିନ୍ନ ସୋସିଆଲ ମିଡିଆରେ ବାତ୍ୟା ଖବର ଆସିବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ । ତେବେ ଆଇଏମଡି ବାତ୍ୟାକୁ ନେଇ କୌଣସି ଖବର ସ୍ପଷ୍ଟ କରିନାହିଁ ।
ଆସନ୍ତା ରବିବାର ଅର୍ଥାତ୍ ୨୦ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ହେବା ସହିତ ୨୨ ବେଳକୁ ଲଘୁଚାପ କ୍ଷେତ୍ର ରୂପ ନେଇପାରେ । ପରେ ପରେ ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । କିନ୍ତୁ ଏହା ଅବପାତ ହେବ ନା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ସେନେଇ ଦେଖାଦେଇଛି ସସ୍ପେନ୍ସ । କାହିଁକି ନା କିଛି ବିଦେଶୀ ମଡେଲ୍ ଘୂର୍ଣ୍ଣିବଳୟ ପରେ ବାତ୍ୟା ରୂପ ନେବ ବୋଲି ଆକଳନ କରୁଛନ୍ତି । କିନ୍ତୁ ଭାରତୀୟ ପାଣିପାଗ ବିଭାଗ-IMD ଏଯାଏଁ ବାତ୍ୟା ନେଇ କୌଣସି ଆକଳନ କରିନାହିଁ ।
ବାତ୍ୟାକୁ ନେଇ ପୁରା ରାଜ୍ୟରେ ହଇଚଇ ହେଉଥିବା ବେଳେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତା ୨୦ ତାରିଖ ସୁଦ୍ଧା ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ୨୨ ବେଳକୁ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ । ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ଏବଂ ୨୪ରେ ଅଧିକ ବର୍ଷାର ସମ୍ଭାବନା ରହିଛି ।
📱 Get Argus News App
✨ଅକ୍ଟୋବର ମାସରେ ପୂର୍ବରୁ ଅନେକ ବାତ୍ୟା ଓଡ଼ିଶା ଦେଖିଛି । ତେଣୁ ଏବେ ସେହି ବାତ୍ୟା କଥା ଆସିଲେ ମନରେ ଭୟ ସଂଚାର ହେବା ସ୍ଵାଭାବିକ କଥା । କାରଣ ୧୯୯୯ ଅକ୍ଟୋବର ୨୯ରେ ଉପକୂଳ ଓଡ଼ିଶାକୁ ଧ୍ୱସ୍ତବିଧ୍ୱସ୍ତ କରିଥିଲା ମହାବାତ୍ୟା । ପରେ ପୁଣି ୨୦୧୩ରେ ସେହି ଅକ୍ଟୋବରରେ ଆସିଥିଲା ଅତିଭୀଷଣ ସାମୁଦ୍ରିକ ଝଡ଼ ଫାଇଲିନ୍ । ୨୦୧୪ ଅକ୍ଟୋବରରେ ହୁ଼ଡହୁଡ ଓ ୨୦୧୮ ଅକ୍ଟୋବରରେ ତିତଲିର ତାଣ୍ଡବକୁ ସାମ୍ନା କରିଥିଲେ ଓଡ଼ିଶାବାସୀ । ସେପଟେ ବାତ୍ୟାକୁ ନେଇ ପାଣିପାଗ ବିଜ୍ଞାନୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଏବେ ବାତ୍ୟା ପାଇଁ ଅନୁକୂଳ ପରିବେଶ ରହିଛି । କାରଣ ସାଧାରଣତଃ ମୌସୁମୀ ଆଗମନ ଓ ପ୍ରତ୍ୟାବର୍ତ୍ତନ ସମୟରେ ବାତ୍ୟା ହେଉଥିବା ବେଳେ ବର୍ତ୍ତମାନ ପ୍ରତ୍ୟାବର୍ତ୍ତନ ସମୟ । ସେହିଭଳି ସମୁଦ୍ର ପତ୍ତନର ତାପମାତ୍ର ମଧ୍ୟ ବାତ୍ୟା ଅନୁକୂଳ ରହିଛି । ଅନୂକୂଳ ପରିବେଶ ଓ ପରିସ୍ଥିତି ସାଙ୍ଗକୁ ଅଧିକାଂଶ ମେଡେଲର ଇଣ୍ଡିକେସନ ବାତ୍ୟା ଆଡ଼କୁ ଯାଉଥିଲେ ବି ଆସନ୍ତା ୨୨ ଓ ୨୩ ତାରିଖ ବେଳକୁ ଚିତ୍ର ସ୍ପଷ୍ଟ ହେବ ବୋଲି ପାଣିପାଗ ବିଜ୍ଞାନୀ ମତ ରଖିଛନ୍ତି ।