Videos
|
Odisha

Cyclone Alert / ସୃଷ୍ଟି ହେଲା ଅବପାତ; ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ୧୧୫ରୁ ୧୨୫ କିମି ବେଗରେ ପବନ

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ସୃଷ୍ଟି ହେଲା ଅବପାତ; ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ୧୧୫ରୁ ୧୨୫ କିମି ବେଗରେ ପବନ
Bay of Bengal Cyclone

Key Points

ବଙ୍ଗୋପସାଗରରେ ବଳ ଗୋଟାଇ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇଛି । ପରେ ଏହା ଗଭୀର ଅବପାତ ଏବଂ ଅକ୍ଟୋବର ୨୬ ତାରିଖ ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ ।
ଭୁବନେଶ୍ଵର: ବଳ ଗୋଟାଉଛି ଲଘୁଚାପ । ପୂର୍ବ କେନ୍ଦ୍ରୀୟ ଏବଂ ତତ୍‌ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏବେ ଅବପାତଟି ଆଣ୍ଡାମାନ ଦ୍ୱୀପପୁଞ୍ଜର ଶ୍ରୀ ବିଜୟ ପୁରମ୍‌ଠାରୁ ପ୍ରାୟ ୫୧୦ କିଲୋମିଟର ଉତ୍ତର-ଉତ୍ତର-ପଶ୍ଚିମରେ ରହିଛି ।

ସେହିଭଳି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ୮୨୦ କିଲୋମିଟର ପୂର୍ବ-ଦକ୍ଷିଣ-ପୂର୍ବରେ, କାକିନାଡ଼ାଠାରୁ ୯୧୦ କିଲୋମିଟର ପୂର୍ବ-ଦକ୍ଷିଣ-ପୂର୍ବରେ, ମଚ୍ଛଲିପଟ୍ଟନମ୍‌ଠାରୁ ୧୦୨୦ କିଲୋମିଟର ପୂର୍ବରେ ଏବଂ ବାପଟଲାଠାରୁ ୧୧୦୦ କିଲୋମିଟର ପୂର୍ବରେ ରହିଛି ଅବପାତ ।

ଏଥିସହ ପଢ଼ନ୍ତୁ: ବଳ ଗୋଟାଉଛି ଲଘୁଚାପ, ୨୬ ସକାଳ ସୁଦ୍ଧା ବାତ୍ୟା; ଦୁଇ ଦିନ ସବୁ ସ୍କୁଲ୍ ଛୁଟି ଘୋଷଣା 

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହି ଅବପାତ ଅକ୍ଟୋବର ୨୫ ତାରିଖରେ ପ୍ରାୟ ଦକ୍ଷିଣ ଦିଗକୁ ଗତି କରି ଗଭୀର ଅବପାତରେ ପରିଣତ ହେବା ସହ ପରବର୍ତ୍ତୀ ସମୟରେ ଧୀରେ ଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇବାର ସମ୍ଭାବନା ରହିଛି । ଏହା ପରେ ଏହି ଗଭୀର ଅବପାତ ନିଜର ଗତିପଥ ବଜାୟ ରଖି ଅକ୍ଟୋବର ୨୬ ତାରିଖ ସକାଳ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହୋଇପାରେ ।

ପରବର୍ତ୍ତୀ ସମୟରେ ଏହା ଅଧିକ ଶକ୍ତିଶାଳୀ ହୋଇ ଅକ୍ଟୋବର ୨୭ ତାରିଖ ସକାଳ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଇପାରେ । ଏହା ପରେ ବାତ୍ୟାଟି ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆହୁରି ତୀବ୍ର ହେବା ସହ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଅକ୍ଟୋବର ୨୮ ତାରିଖ ସକାଳ ସୁଦ୍ଧା ଆନ୍ଧ୍ରପ୍ରଦେଶ ଉପକୂଳ ନିକଟବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ ।


କେଉଁଠି ଛୁଇଁବ ସ୍ଥଳଭାଗ ?

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନ ସୁଦ୍ଧା ଏହି ଅତି ଭୀଷଣ ବାତ୍ୟା ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀ ଉପକୂଳର ବାପଟଲା ଓ ବିଶାଖାପାଟଣା ମଧ୍ୟରେ ଉପକୂଳ ଅତିକ୍ରମ କରିପାରେ । ଅତି ଭୀଷଣ ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିପାରେ । ସେହିଭଳି ଝଟ୍‌କା ପବନର ବେଗ ଘଣ୍ଟାପ୍ରତି ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ।

ଆଲର୍ଟରେ ଓଡ଼ିଶା

ପ୍ରଭାବରେ ଓଡ଼ିଶାରେ ୨୭ ତାରିଖରୁ ପ୍ରବଳ ବର୍ଷା ପୂର୍ବାନୁମାନ କରାଯାଇଛି । ୨୭ ତାରିଖରେ ଜଗତସିଂହପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଦିଆଯାଇଛି ।

ସେହିଭଳି ୨୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ଭୀଷଣ ବର୍ଷା ନେଇ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗରପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି ।

ଯଦିଓ IMDର ବର୍ତ୍ତମାନ ଆକଳନ କହୁଛି, ବାତ୍ୟା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବ । ତଥାପି ଓଡ଼ିଶା ସରକାର ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ବୈଠକରେ ଅଂଶଗ୍ରହଣ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ବାତ୍ୟା ମୁକାବିଲା ପାଇଁ ସମସ୍ତ ବିଭାଗକୁ ସତର୍କ ରହିବାକୁ ସରକାରଙ୍କ ନିର୍ଦ୍ଦେଶ 

୨ ଦିନ ସ୍କୁଲ୍, କଲେଜ ଛୁଟି

ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି । ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ଓ ପବନ ବହିପାରେ । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଆଦି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇପାରେ ।

ତେଣୁ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲା- ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ୨୮ ଓ ୨୯ ତାରିଖ ଦିନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ୟ ଜିଲ୍ଲା ଗୁଡ଼ିକରେ ସ୍କୁଲ କଲେଜ ଛୁଟି କରିବା ନେଇ ଜିଲ୍ଲାପାଳମାନେ ପରିସ୍ଥିତି ଦେଖି ନିଷ୍ପତ୍ତି ନେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: