Videos
|
Odisha

Odisha Cyclone Alert / ବାତ୍ୟା ପାଇଁ ୩ ପ୍ରମୁଖ ପୀଠରେ କଟକଣା… ଧବଳେଶ୍ୱର, ସିଂହନାଥ ଓ ଭଟ୍ଟାରିକା ଦର୍ଶନ ବନ୍ଦ

Ritu Das
Browse all articles by Ritu Das
·1 hour ago·2 min read
ବାତ୍ୟା ପାଇଁ ୩ ପ୍ରମୁଖ ପୀଠରେ କଟକଣା… ଧବଳେଶ୍ୱର, ସିଂହନାଥ ଓ ଭଟ୍ଟାରିକା ଦର୍ଶନ ବନ୍ଦ
India

Key Points

ବାତ୍ୟା ‘ଅକଭାନ୍‌’କୁ ନେଇ କଟକ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି
ବାବା ଧବଳେଶ୍ୱର, ବାବା ସିଂହନାଥ ଓ ମା’ ଭଟ୍ଟାରିକାଙ୍କ ପୀଠକୁ ଯାଇପାରିବେ ନାହିଁ ଶ୍ରଦ୍ଧାଳୁ

ବାତ୍ୟା ‘ଅକଭାନ୍‌’କୁ ନେଇ କଟକ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି । ନଭେମ୍ବର ୨୦ ତାରିଖରେ ତିନି ପ୍ରମୁଖ ଧର୍ମପୀଠରେ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଲା କଟକଣା । ବାବା ଧବଳେଶ୍ୱର, ବାବା ସିଂହନାଥ ଓ ମା’ ଭଟ୍ଟାରିକାଙ୍କ ପୀଠକୁ ଯାଇପାରିବେ ନାହିଁ ଶ୍ରଦ୍ଧାଳୁ । ଭାରତୀୟ ପାଣିପାଗ ବିଭାଗର ଅରେଞ୍ଜ ୱାର୍ଣ୍ଣିଂ ସହ ପ୍ରବଳ ବର୍ଷା ଓ ପବନ ଆଶଙ୍କା ଥିବାରୁ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନେଇଛି ପ୍ରଶାସନ ।

ଆସନ୍ତାକାଲି ପଞ୍ଚକ ବ୍ରତର ପ୍ରଥମ ଦିନ ହୋଇଥିବାରୁ ଏହି ତିନି ପୀଠରେ ଭକ୍ତଙ୍କ ଭିଡ଼ ହେବାର ଆଶଙ୍କା ରହିଛି। ତେଣୁ ବାତ୍ୟାଜନିତ ବିପଦକୁ ଏଡ଼ାଇବା ପାଇଁ ଧବଳେଶ୍ୱର ଓ ସିଂହନାଥ ପୀଠ ସମେତ ମହାନଦୀ କୂଳରେ ଥିବା ମା’ ଭଟ୍ଟାରିକା ପୀଠକୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିବ । ଧବଳେଶ୍ୱର ପୀଠକୁ ଯିବା ପାଇଁ ଥିବା ଝୁଲା ପୋଲ ଓ ଆରସିସି ପୋଲ ଦେଇ ଯାତାୟାତ ସହ ମହାନଦୀରେ ଡଙ୍ଗା ଚଳାଚଳ ବନ୍ଦ ରହିବ। ସେହିପରି ସିଂହନାଥ ଓ ଭଟ୍ଟାରିକା ପୀଠକୁ ମଧ୍ୟ ଭକ୍ତଙ୍କ ଯାତାୟାତ ନିଷିଦ୍ଧ କରାଯାଇଛି । ତେବେ ମନ୍ଦିରର ନିୟମିତ ନୀତିକାନ୍ତି ସେବାୟତଙ୍କ ଦ୍ୱାରା ଜାରି ରହିବ । ଆଇନଶୃଙ୍ଖଳା, ଉଦ୍ଧାରକାର୍ଯ୍ୟ, ଚିକିତ୍ସା ଓ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ କଟକଣା ଲାଗୁ ହେବ ନାହିଁ। ନିର୍ଦ୍ଦେଶ ଉଲ୍ଲଂଘନ କଲେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ହେବ।

ଓଡ଼ିଶା ଆଡକୁ ମୁହାଁଇଛି ବାତ୍ୟା ଅକଭାନ। ବର୍ତ୍ତମାନ ଏହା ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳ ଏବଂ ଏହାକୁ ଲାଗି ରହିଥିବା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଭୀଷଣ ବାତ୍ୟା ଆକାରରେ ରହିଛି । ଏବେ ଘଣ୍ଟାପ୍ରତି ୫ କିମି ବେଗରେ ଆଗଉଛି ଭୀଷଣ ବାତ୍ୟା `ଅକଭାନ୍' । କଳିଙ୍ଗପଟନମ ଠାରୁ ୫୧୦ କିମି ଦୂରରେ, ଗୋପାଳପୁର ଠାରୁ ୬୦୦ କିମି ଓ ପୁରୀ ଠାରୁ ୬୬୦ କିମି ଦୂରରେ ରହିଛି । ଧୀରେ ଧୀରେ ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ସ୍ଥଳଭାଗ ଆଡକୁ ଅଗ୍ରସର ହେଉଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଏହା ଭୀଷଣ ବାତ୍ୟା ଆକାରରେ ୨୦ ତାରିଖ ମଧ୍ୟାହ୍ନ ବେଳକୁ ଆନ୍ଧ୍ରପ୍ରଦେଶର ନର୍ସାପୁରରୁ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ।

ବଡ଼କଥା ହେଉଛି ଏଥିପାଇଁ ଗଞ୍ଜାମ ଜିଲ୍ଲାର ଚିକିଟିରୁ ଖଲ୍ଲିକୋଟ ପର୍ଯ୍ୟନ୍ତ ହାଇଆଲର୍ଟ ଜାରି କରାଯାଇଛି । ଗତ ତିନିଦିନ ମଧ୍ୟରେ ତିନିଥର ଗତିପଥ ପରିବର୍ତ୍ତନ କଲାଣି `ଅକଭାନ’ । ପ୍ରଥମେ ଏହା ଆନ୍ଧ୍ରପ୍ରଦେଶର ନେଲ୍ଲୋରରୁ ଟୁନି ମଧ୍ୟରେ ଅତିକ୍ରମ କରିବା ନେଇ ବାତ୍ୟାର ଗତିପଥରେ ଦର୍ଶାଯାଇଥିଲା । ପରେ ଏହା ଗତିପଥ ପରିବର୍ତ୍ତନ କରିବାକୁ ତାଜା ସୂଚନା ଦିଆଗଲା ଯେ ଅକଭାନ୍ କଳିଙ୍ଗପଟ୍ଟନମରୁ ବିଶାଖାପାଟଣା ମଧ୍ୟରେ ଅତିକ୍ରମ କରିପାରେ। ହେଲେ ଗତକାଲି ସକାଳୁ ତାଜା ସୂଚନା ଜାରି କରଯାଇଥିଲା ଯେ, ଅକଭାନ ଏହାର ଗତିପଥ ପରିବର୍ତ୍ତନ କରି ଓଡ଼ିଶା ଉପକୂଳ ଆଡକୁ ମୁହାଁଇଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: