Videos
|
Odisha

Flood Relief Package / ଗଞ୍ଜାମ, ଗଜପତି, କନ୍ଧମାଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା; ପ୍ରତି ପରିବାର ପାଇବେ ନଗଦ ଅଢ଼େଇ ହଜାର ଟଙ୍କା

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ଗଞ୍ଜାମ, ଗଜପତି, କନ୍ଧମାଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା; ପ୍ରତି ପରିବାର ପାଇବେ ନଗଦ ଅଢ଼େଇ ହଜାର ଟଙ୍କା
Ganjam, Gajapati, Kandhamal Get Odisha Flood Relief Package

Key Points

ବାତ୍ୟା ଓ ବନ୍ୟାରେ ଗଞ୍ଜାମ, ଗଜପତି, କନ୍ଧମାଳ ଜିଲ୍ଲାରେ ବ୍ୟାପକ ଭାବେ ପ୍ରଭାବ ପଡ଼ିଛି । ବାତ୍ୟା 'ଅର୍ଣ୍ଣବ' ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଭୁବନେଶ୍ଵର: ବାତ୍ୟା 'ଅର୍ଣ୍ଣବ' ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାତ୍ୟା ଓ ବନ୍ୟାରେ ଗଞ୍ଜାମ, ଗଜପତି, କନ୍ଧମାଳ ଜିଲ୍ଲାରେ ବ୍ୟାପକ ଭାବେ ପ୍ରଭାବ ପଡ଼ିଛି । ଅନେକ ଘର ଭାଙ୍ଗିଛି, ହଜାର ହଜାର ଏକର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଏବେ କ୍ଷୟକ୍ଷତି ଆକଳନ ଚାଲିଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏବେବି ରିଲିଫ୍ ଓ ପୁନରୁଦ୍ଧାର ଉପରେ ସ୍ଵତନ୍ତ୍ର ଫୋକସ୍ ରହିଛି । ଦିନେ ଦୁଇ ଦିନ ଭିତରେ ପୂର୍ବାବସ୍ଥା ଫେରି ଆସିବ । ସେନେଇ ଆବଶ୍ୟକ ପଦକ୍ଷେପ ନିଆ ଯାଇଛି । କ୍ଷେତ୍ରରେ ପ୍ରଶାସନିକ ଅଧିକାରୀ ଓ ସହଯୋଗୀ ଟିମ୍ ରାତିଦିନ ଏକ କରି କାମ କରୁଛନ୍ତି । ଆଉ ଏକ ବାତ୍ୟା 'ମୁରାସୁ' ପ୍ରଭାବରେ ବର୍ଷା ସମ୍ଭାବନା ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏବେ 'ଅର୍ଣ୍ଣବ' କ୍ଷୟକ୍ଷତି ପାଇଁ ସହାୟତା ପ୍ୟାକେଜ ଘୋଷଣା କରାଯାଇଛି । ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଲୋକ ଓ କ୍ଷୟକ୍ଷତି ଆକଳନ ସରିବା ପରେ ପରିମାଣ ଅନୁଯାୟୀ ପୁନର୍ବାର ଆବଶ୍ୟକ ତଳେ ପୁଣି ପ୍ଯାକେଜ୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ପରିବାର ପିଛା ୫୦ କେଜି ଚାଉଳ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବନ୍ୟା ବିପନ୍ନଙ୍କୁ ଅନୁଗ୍ରହମୂଳକ ସହାୟତା ଦିଆଯିବ । ସମସ୍ତ ପ୍ରଭାବିତ ପରିବାରକୁ ୫୦ କେଜି ଚାଉଳ ସହ ଅଢ଼େଇ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବ । ଚାଷ ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବା ସମସ୍ତ ଚାଷୀଙ୍କୁ ସହାୟତା ମିଳିବ । ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ କୃଷି ନିବେଶ ସହାୟତା ମିଳିବ ।

ଚାଷୀଙ୍କୁ ସହାୟତା

  • ଅଣଜଳସେଚିତ ଚାଷ ଜମି ହେକ୍ଟର ପିଛା ୮ ହଜାର ୫ ଶହ ଟଙ୍କା
  • ନିଶ୍ଚିତ ଜଳସେଚିତ ଚାଷ ଜମି ହେକ୍ଟର ପିଛା ୧୭ ହଜାର ଟଙ୍କା
  • ସମସ୍ତ ପ୍ରକାର ଫସଲ ପାଇଁ ହେକ୍ଟର ପିଛା ୨୨ ହଜାର ୫୦୦ ଟଙ୍କା

ଯେ କୌଣସି ପ୍ରଭାବିତ ଚାଷୀଙ୍କ ପାଇଁ କୃଷି ନିବେଶ ସହାୟତା (ପନିପରିବା, ବାରମାସୀ) ଅତି କମ୍‌ରେ ୨୫୦୦ ଟଙ୍କା ମିଳିବ । ନିଶ୍ଚିତ ଜଳସେଚିତ ଅଞ୍ଚଳରେ ୨ ହଜାର ଟଙ୍କା, ବର୍ଷା ନିର୍ଭରଶୀଳ ଅଞ୍ଚଳରେ ସର୍ବନିମ୍ନ ୧ ହଜାର ଟଙ୍କା ଦିଆଯିବ । ବାଲିଚର ଜମି ଓ ପଟୁ ମାଟି ହଟାଇବା ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ସହାୟତା ମିଳିବ । ପ୍ରତ୍ୟେକ ଚାଷୀ ସର୍ବନିମ୍ନ ସହାୟତା ରାଶି ୨ ହଜାର ୨ ଶହ ଟଙ୍କା ପାଇବେ ।

ବାତ୍ୟା 'ଅର୍ଣ୍ଣବ' ପ୍ରଭାବିତ ଚାଷୀଙ୍କୁ ୧ ଲକ୍ଷ ୨୦ ହଜାର ଡାଲି ଜାତୀୟ, ୫ ହଜାର ତୈଳ ବୀଜ ମିନିକିଟ୍, ୫୦ ହଜାର ପନିପରିବା ମଞ୍ଜି କିଟ୍ ଦିଆଯିବ । ରବି ଋତୁ ୨୦୨୬-୨୭ରେ କୀଟନାଶକ ଓ ଜୈବ କୀଟନାଶକ ଉପରେ ୭୫ ପ୍ରତିଶତ ସବସିଡି ବ୍ୟବସ୍ଥା କରାଯିବ । ଫସଲ ବୀମା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ।

କୃଷି ଋଣ

ଖରିଫ ୨୦୨୬ ସମୟରେ ଦିଆଯାଇଥିବା ଋଣ ପ୍ରଭାବିତ ଅଞ୍ଚଳରେ ୩୩ ପ୍ରତିଶତରୁ ଫସଲ ଅଧିକ ନଷ୍ଟ କ୍ଷେତ୍ରରେ ମଧ୍ୟମ ମିଆଦି ଋଣରେ ପରିଣତ କରାଯିବ । ସ୍ଵଳ୍ପ ମିଆଦି ଋଣକୁ ମଧ୍ୟମ ମିଆଦି ଋଣରେ ରୂପାନ୍ତରିତ କରାଯିବ । ଚଳିତ ରବି ଋତୁରେ ଚାଷୀଙ୍କୁ ଅଧିକ ଋଣ ଦେବା ଲାଗି ବ୍ୟବସ୍ଥା ହେବ ।

କ୍ଷତିଗ୍ରସ୍ତ ଘର ପାଇଁ ସହାୟତା

କ୍ଷତିଗ୍ରସ୍ତ ଘର ପାଇଁ ସମତଳ ଅଞ୍ଚଳରେ ୧ ଲକ୍ଷ ୨୦ ହଜାର ଟଙ୍କା, ପାହାଡ଼ିଆ ଅଞ୍ଚଳରେ ୧ ଲକ୍ଷ ୩୦ ହଜାର ଟଙ୍କା ଦିଆଯିବ । ଆଂଶିକ କ୍ଷତିଗ୍ରସ୍ତ ପକ୍କା ଘର ପାଇଁ ୬ ହଜାର ୫୦୦ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଘର ପାଇଁ ୪ ହଜାର ଟଙ୍କା ପ୍ରଦାନ କରାଯିବ । କୁଡ଼ିଆ ଘର ନଷ୍ଟ ହୋଇଥିଲେ ୮ ହଜାର ମିଳିବ । ଗୁହାଳ ଘର କ୍ଷତିଗ୍ରସ୍ତ ହୋଇଥିଲେ ୩ ହଜାର ଟଙ୍କା ମିଳିବ । ଘର ସମ୍ପୂର୍ଣ୍ଣ ଭାସିଯିବା, ନଷ୍ଟ ହୋଇଯିବା, ୨ ଦିନରୁ ଅଧିକ ଜଳମଗ୍ନ ହୋଇ ରହିଥିଲେ ଉକ୍ତ ପରିବାରକୁ ପୋଷାକପତ୍ର ଲାଗି ଅଢ଼େଇ ହଜାର ଟଙ୍କା, ବାସନ କୁସନ ଓ ଘରକରଣା ସାମଗ୍ରୀ ପାଇଁ ଅଢ଼େଇ ହଜାର ଟଙ୍କା ଦିଆଯିବ ।

ପଶୁ ସମ୍ପଦ ପାଇଁ ସହାୟତା

ଗାଇଁ, ମଇଁଷି ମୃତ୍ୟୁ କ୍ଷେତ୍ରରେ ୩୭ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ । ମେଣ୍ଢା ଓ ଛେଳି ପାଇଁ ୪ ହଜାର ଟଙ୍କା, ବଳଦ ଓ ଘୋଡ଼ା ପାଇଁ ୩୨ ହଜାର ଟଙ୍କା, ବାଛୁରୀ ଓ ଗଧ ପାଇଁ ୨୦ ହଜାର ଟଙ୍କା ମିଳିବ । କୁକୁଡ଼ା ପାଇଁ ପକ୍ଷୀ ପିଛା ୧୦୦ ଟଙ୍କା ହିସାବରେ ସର୍ବାଧିକ ୧୦ ହଜାର ଟଙ୍କା ଦିଆଯିବ ।

ଦୋକାନୀ ପାଇବେ ସହାୟତା

ପ୍ରଭାବିତ ଉଠାଦୋକାନୀ, ଅସ୍ଥାୟୀ ଷ୍ଟଲ୍ ପାଇଁ ୧୦ ହଜାର ଟଙ୍କା ଦିଆଯିବ । ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ୨୫ ହଜାର ଟଙ୍କାର ଏକକାଳୀନ ସହାୟତା ଦିଆଯିବ । ବ୍ୟବସାୟିକ ପରିସରର ପୁନରୁଦ୍ଧାର ପାଇଁ ପ୍ରତିଷ୍ଠାନ ପିଛା ୧୨ ଲକ୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ମିଳିବ । ମଞ୍ଜୁର ଋଣରେ ୨୫ ପ୍ରତିଶତ ହାରରେ ସବସିଡି ପ୍ରତିଷ୍ଠାନ ପିଛା ୩ ଲକ୍ଷ ମଧ୍ୟରେ ସୀମିତ ରହିବ ।