|
logo
Live

Argus News - ସୀମା ପୁନଃନିର୍ଦ୍ଧାରଣ ବିଲ୍: ଓଡ଼ିଶାରେ ବଢ଼ିବ ଲୋକସଭା ଏବଂ ବିଧାନସଭା ସିଟ !

Odisha

Delimitation Bill / ସୀମା ପୁନଃନିର୍ଦ୍ଧାରଣ ବିଲ୍: ଓଡ଼ିଶାରେ ବଢ଼ିବ ଲୋକସଭା ଏବଂ ବିଧାନସଭା ସିଟ !

Bikash Mohanty
Browse all articles by Bikash Mohanty
·3 hours ago·2 min read
ସୀମା ପୁନଃନିର୍ଦ୍ଧାରଣ ବିଲ୍: ଓଡ଼ିଶାରେ ବଢ଼ିବ ଲୋକସଭା ଏବଂ ବିଧାନସଭା ସିଟ !
Odisha

Key Points

ଓଡ଼ିଶାରେ ବଢ଼ିବ ଲୋକସଭା ଓ ବିଧାନସଭା ଆସନ
ଓଡ଼ିଶାର ଲୋକସଭା ଆସନ ୩୧ କିମ୍ବା ୩୨ ହୋଇପାରେ
ସେହିପରି ବିଧାନସଭା ଆସନ ୨୨୦ କିମ୍ବା ୨୨୧ ହୋଇପାରେ

ଭୁବନେଶ୍ବର ୧୭/୦୪: ସୀମା ପୁନଃନିର୍ଦ୍ଧାରଣ ବିଲ୍ ପାସ୍ ହେଲେ ଓଡ଼ିଶାରେ ବଢ଼ିବ ଲୋକସଭା ଓ ବିଧାନସଭା ଆସନ। ସମାନ ଅନୁପାତରେ ବଢ଼ିପାରେ ୫୦ ପ୍ରତିଶତ ଆସନ। ଓଡ଼ିଶାର ଲୋକସଭା ଆସନ ୩୧ କିମ୍ବା ୩୨ ହୋଇପାରେ। ସେହିପରି ବିଧାନସଭା ଆସନ ୨୨୦ କିମ୍ବା ୨୨୧ ହୋଇପାରେ। କେଉଁ ଲୋକସଭା ଆସନର ସୀମା ପୁଣିଥରେ ନିର୍ଦ୍ଧାରଣ ହେବ, ଆଉ କେଉଁ ଅଞ୍ଚଳ ପାଇବ ନୂଆ ଲୋକସଭା ଆସନର ମାନ୍ୟତା ତାକୁ ନେଇ ଏବେ ଠାରୁ ଚର୍ଚ୍ଚା ଆରମ୍ଭ ହେଲାଣି।

ସୀମା ପୁନଃନିର୍ଦ୍ଧାରଣ ବିଲରେ ଜନସଂଖ୍ୟା ଆଧାରରେ ଲୋକସଭା ଓ ବିଧାନସଭା ଆସନକୁ ସମାନ ଅନୁପାତରେ ବଢ଼ାଇବା ପାଇଁ ସରକାର ସ୍ଥିର କରିଛନ୍ତି। ଅର୍ଥାତ୍ ଯେଉଁ ରାଜ୍ୟରେ ଯେତେ ଆସନ, ସେଠାରେ ଅଧା ଆସନ ବଢ଼ିବ। ସେହି ଅନୁଯାୟୀ, ଦେଶରେ ଲୋକସଭା ଆସନ ଅଧା ବୃଦ୍ଧି ପାଇ ୫୪୩ରୁ ୮୧୫ରେ ପହଞ୍ଚିପାରେ। ସେହି ସୂତ୍ରରେ ଓଡ଼ିଶାରେ ଲୋକସଭା ଆସନ ୨୧ରୁ ଅଧା ବୃଦ୍ଧି ପାଇ ୩୧ କିମ୍ବା ୩୨ ହୋଇପାରେ। ବିଧାନସଭା ଆସନ ୧୪୭ର ଅଧା ୭୩ କିମ୍ବା ୭୪ ବଢ଼ି ୨୨୦ କିମ୍ବା ୨୨୧ରେ ହୋଇପାରେ।
ଏହି ନୂଆ ଆସନ ଗଠନ ୨୦୧୧ର ଜନଗଣନାକୁ ଆଧାର କରି ହେବାକୁ ଯାଉଛି। ପୂର୍ବରୁ ୧୯୭୧ ଜନଗଣନା ଆଧାରରେ ଓଡ଼ିଶାରେ ଲୋକସଭା ଓ ବିଧାନସଭା ଆସନ ନିର୍ଦ୍ଧାରିତ ହୋଇଥିଲା। ସେତେବେଳେ ପ୍ରାୟ ୧୦ ଲକ୍ଷ ୪୪ ହଜାର ଲୋକସଂଖ୍ୟାରେ ଗୋଟିଏ ଲୋକସଭା ଆସନ ରହିଥିଲା। ଗୋଟିଏ ଲୋକସଭା ଆସନ ଭିତରେ ୭ଟି ବିଧାନସଭା ଆସନ ଥାଏ। ଏହା ଅନୁଯାୟୀ, ପ୍ରାୟ ୧ ଲକ୍ଷ ୪୯ ହଜାର ଲୋକସଂଖ୍ୟାକୁ ନେଇ ଗୋଟିଏ ବିଧାନସଭା ଆସନ ଗଠନ ହୋଇଥିଲା।

ଏହାର ଅର୍ଥ, ୨୦୧୧ ଜନସଂଖ୍ୟା ଆଧାରରେ ନୂଆ ଲୋକସଭା ଓ ବିଧାନସଭା ଆସନ ସୀମା ଓ ଲୋକସଂଖ୍ୟା ଅନୁପାତ ନିର୍ଦ୍ଧାରଣ ହେବ। ଏଥର ପ୍ରାୟ ୧୩ ଲକ୍ଷ ଲୋକସଂଖ୍ୟାକୁ ନେଇ ଗୋଟିଏ ଲୋକସଭା ଆସନ ଗଠନ ହୋଇପାରେ। ସେହି ହିସାବରେ ଓଡ଼ିଶାରେ ୧ ଲକ୍ଷ ୯୦ ହଜାରରୁ ଅଧିକ ଲୋକସଂଖ୍ୟାକୁ ନେଇ ଗୋଟିଏ ବିଧାନସଭା ଆସନ ଗଠନ ସମ୍ଭାବନା ରହିଛି।

ନୂଆ ଲୋକସଭା ଆସନ ଗଠନ ହେଲେ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ, କୋରାପୁଟ, ଭୁବନେଶ୍ବର, କଟକ, ବ୍ରହ୍ମପୁର, ଆସ୍କା, ପୁରୀ, ସୁନ୍ଦରଗଡ଼, ନବରଙ୍ଗପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଲୋକସଭା ଆସନର ସୀମା ପୁନଃନିର୍ଦ୍ଧାରଣ ହୋଇପାରେ। ନୂଆ ବିଧାନସଭା ଆସନ ଗଠନ ପାଇଁ ୨ ଲକ୍ଷ ଜନସଂଖ୍ୟା ଥିବା ଅଞ୍ଚଳକୁ ଆଧାର ଭାବେ ନିଆଯାଇପାରେ । ଏ କ୍ଷେତ୍ରରେ ଭୁବନେଶ୍ବର-ଉତ୍ତର ଓ ଭୁବନେଶ୍ବର-ଏକାମ୍ର, ଖୋର୍ଦ୍ଧା ଭାଗ ଭାଗ ହେବାର ସମ୍ଭାବନା ଅଧିକ। ପଶ୍ଚିମ ଓଡ଼ିଶାରେ କଣ୍ଟାବାଞ୍ଜି, ଟିଟିଲାଗଡ଼, ପଦ୍ମପୁର, ରାଜଗାଙ୍ଗପୁର, ଉତ୍ତର, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଭଦ୍ରକ, ବାସୁଦେବପୁର, ଢେଙ୍କାନାଳ, ମାହାଙ୍ଗା, ଜଳେଶ୍ବର, ଚାନ୍ଦବାଲି ଓ ବାରବାଟୀ-କଟକ ଭଳି ଆସନରେ ପୁନଃ ବିଭାଜନ ହୋଇପାରେ। ଦକ୍ଷିଣ ଓଡ଼ିଶାରେ ରାୟଗଡ଼ା ଓ ମାଲକାନଗିରି ଆସନ ବିଭାଜିତ ହୋଇପାରେ । ଏହି ପରିବର୍ତ୍ତନ ଓଡ଼ିଶାର ରାଜନୀତିକ ସମୀକରଣକୁ ପୂରା ପରିବର୍ତ୍ତନ କରିଦେବାର ସମ୍ଭାବନା ରହିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delimitation Bill: ସୀମା ପୁନଃନିର୍ଦ୍ଧାରଣ ବିଲ୍: ଓଡ଼ିଶାରେ ବଢ଼ିବ ଲୋକସଭା ଏବଂ ବିଧାନସଭା ସିଟ ! | Argus News