|
logo
Live
Argus News App
GET APP

Argus News - ଦ୍ରୁତ ଅଭିବୃଦ୍ଧି ସହ ଆଗକୁ ବଢ଼ୁଛି ଓଡ଼ିଶା; କ'ଣ ରହିଛି ସମୟର ଆହ୍ଵାନ ?

Odisha

Odisha Growth vs Challenges / ଦ୍ରୁତ ଅଭିବୃଦ୍ଧି ସହ ଆଗକୁ ବଢ଼ୁଛି ଓଡ଼ିଶା; କ'ଣ ରହିଛି ସମୟର ଆହ୍ଵାନ ?

Sushanta Sahoo
Browse all articles by Sushanta Sahoo
·1 hour ago·7 min read
ଦ୍ରୁତ ଅଭିବୃଦ୍ଧି ସହ ଆଗକୁ ବଢ଼ୁଛି ଓଡ଼ିଶା; କ'ଣ ରହିଛି ସମୟର ଆହ୍ଵାନ ?
Odisha at a Turning Point

Key Points

ସଂଘୀୟ ବ୍ୟବସ୍ଥାରେ, ବିକାଶ ସେମାନଙ୍କୁ ଅପେକ୍ଷା କରିବ ନାହିଁ ଯେଉଁମାନେ ସଂକୋଚ କରିବେ । ଭାରତ ଆଗକୁ ବଢ଼ୁଛି, ଆହୁରି ଆଗକୁ ମଧ୍ୟ ବଢ଼ିବ । ପ୍ରଶ୍ନ ହେଉଛି, କ'ଣ ଓଡ଼ିଶା ଏହି ଗତିର ଅଂଶ ହେବ ନା ନିଜ ଗୌରବମୟ ଅତୀତରେ ବୁଡ଼ି ରହିବ ?
ଭୁବନେଶ୍ଵର: ବିରଳ ସୁଯୋଗ ସହ ୨୦୨୬ରେ ପ୍ରବେଶ କରିଛି ଓଡ଼ିଶା । ପ୍ରାୟ ୧୨ ପ୍ରତିଶତ ଅଭିବୃଦ୍ଧି ସହିତ ରାଜ୍ୟର ମୋଟ ଘରୋଇ ଉତ୍ପାଦ (GSDP) ୧୦ ଲକ୍ଷ ୬୩ କୋଟି ରହିବା ଆକଳନ କରାଯାଇଛି । ଯାହାକି ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅଧିକ । ତେବେ ଓଡ଼ିଶାର ଦ୍ରୁତ ବିକାଶରେ ବାଧା ସୃଷ୍ଟି କରୁଛି ନିୟମ । ଯାହାକି ପ୍ରକଳ୍ପ ଗୁଡ଼ିକୁ ବିଳମ୍ବିତ କରିବା ସହ ଷ୍ଟାର୍ଟ-ଅପ୍‌ର ଶକ୍ତିକୁ ବାଧା ପହଞ୍ଚାଉଛି ।

ସମାଧାନ କ'ଣ ?

ତେବେ ଏହି ସମସ୍ୟାର ସମାଧାନ ପାଇଁ ତ୍ଵରିତ ଓ ସ୍ପଷ୍ଟ ପଦକ୍ଷେପ ଆବଶ୍ୟକ । ଓଡ଼ିଶାକୁ ଦରକାର ଏକ ନିୟମ ସରଳୀକରଣ (Deregulation) ପ୍ରକୋଷ୍ଠ । ଯାହା ନିୟମ କୋହଳ ଏବଂ ଅନୁପାଳନରେ ସଂସ୍କାର ଆଣିବ । ଓଡ଼ିଆ ଅସ୍ମିତା କେବଳ ପୁରୁଣା ମନେ ରଖିବା ଭଳି ବୟାନବାଜି ପରିବର୍ତ୍ତେ ଆଗକୁ ବଢ଼ି ଯୁବପିଢ଼ିଙ୍କୁ ଭବିଷ୍ୟତର ଓଡ଼ିଶା ନିର୍ମାଣ ଲାଗି ସଶକ୍ତ କରିବା ଦରକାର ।

ପରିଚୟକୁ ନେଇ ଖାଲି ଗର୍ବ କଲେ ହେବନି

ନିଜ ପରିଚୟକୁ ନେଇ ଗର୍ବ, ଶତାବ୍ଦୀ ପୁରୁଣା ପରମ୍ପରାକୁ ବାରମ୍ବାର ଦୋହରାଇବା ଅଥବା ତାହା ଉପରେ ଗୁରୁତ୍ଵ ଦେଲେ କାମ ହେବନି । ଉକ୍ତ ସାର୍ଥକ କାର୍ଯ୍ୟକୁ ନୂଆ ବିଚାର ଓ ସୁଧାର ଉପରେ ଆଧାରିତ କରିବାକୁ ପଡ଼ିବ । ୨୦୨୬ରେ ଏକ ନିୟମ ସରଳୀକରଣ ପ୍ରକୋଷ୍ଠ ପ୍ରତିଷ୍ଠା କରିବା ପରିବର୍ତ୍ତନକୁ ପ୍ରକାଶ କରିବ । ଯାହା ପୁରୁଣା ଓ ଆବଶ୍ୟକତା ନଥିବା ଔପଚାରିକତାର ଅନ୍ତ ଘଟାଇବ । ଉଦ୍ୟୋଗୀ ଶକ୍ତିକୁ ମୁକ୍ତ କରିବ ଏବଂ ଓଡ଼ିଶାର ଷ୍ଟାର୍ଟଅପ୍ ଏବଂ ଭିନ୍ନ ଭିନ୍ନ କ୍ଷେତ୍ରର ବିକାଶର କେନ୍ଦ୍ର ରୂପେ ନିଜକୁ ସ୍ଥାପିତ କରିବ । ଏହି ପଦକ୍ଷେପ 'ଓଡ଼ିଆ ଅସ୍ମିତା'ର ଫମ୍ପା ନାରାକୁ ପ୍ରଗତିର ଏକ ଗତିଶୀଳ ନୀତିରେ ପରିଣତ କରିବ । ଯେଉଁଠି ଆର୍ଥିକ ସମୃଦ୍ଧି ଦ୍ଵାରା ସାଂସ୍କୃତିକ ଗର୍ବ ଅନୁପ୍ରାଣିତ ହେବ ।

ଓଡ଼ିଶାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସ୍କାର ଦୃଷ୍ଟିକୋଣ ସହ ପାଦ ମିଶାଇ ଓଡ଼ିଶା ନୂଆ ବର୍ଷରେ ନିଜକୁ ନବୀକରଣ ପୁରସ୍କାର ଦେଇ ପାରିବ । ଯେଉଁଠି ଅସ୍ମିତାକୁ କେବଳ ମନେ ପକାଯିବ ନାହିଁ ବରଂ ସାହସ, ନବଚିନ୍ତନ ଏବଂ ସାମୁହିକ ଉନ୍ନତିରେ ଜୀବନ୍ତ ରହିବ । ପଞ୍ଚମ ଜାତୀୟ ମୁଖ୍ୟ ସଚିବ ସମ୍ମିଳନୀ (ଡିସେମ୍ବର ୨୦୨୫)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସ୍କାରକୁ ତ୍ଵରାନ୍ଵିତ ଓ ଜୀବନ ଯାପନକୁ ଉନ୍ନତ କରିବା ଲାଗି ନିୟମ ସରଳୀକରଣ ପ୍ରକୋଷ୍ଠ ପ୍ରତିଷ୍ଠା ଲାଗି ରାଜ୍ୟମାନଙ୍କୁ ଆହ୍ଵାନ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, "ଭାରତ ଏବେ 'ସଂସ୍କାର ଏକ୍ସପ୍ରେସ୍‌'ରେ ବସିଛି, ଯାହାକୁ ଯୁବପିଢ଼ିଙ୍କ ଶକ୍ତି ମିଳୁଛି । ଓଡ଼ିଶାକୁ ଏହି କ୍ଷଣର ଲାଭ ଉଠାଇବା ଦରକାର । ଏବେ ବିଶ୍ଵବ୍ୟାପୀ ନିୟମ ସରଳୀକରଣ ହେଉଛି ଅଭିବୃଦ୍ଧିର ମୁଖ୍ୟ ଆଧାର ।"

ସରଳୀକରଣ ଆଣୁଛି ସମୃଦ୍ଧି; ଓଡ଼ିଶାର ଆଶା

ବାଂଲାଦେଶରେ ବାଣିଜ୍ୟକୁ ସରଳୀକରଣ କରାଯିବା ପରେ ପୋଷାକ ଶିଳ୍ପ ଦେଶର ଅଭିବୃଦ୍ଧିରେ ୧୧ ପ୍ରତିଶତ ଯୋଗଦାନ ଦେଉଛି । ୧୯୯୦ରେ ଭାରତ ଟେଲିକମ୍ ନୀତିରେ ସରଳୀକରଣ କରିଥିଲା, ଏବେ ଦୁନିଆର ଦ୍ଵିତୀୟ ବଡ଼ ମୋବାଇଲ୍ ବଜାର ପାଲଟିଛି । ସେହିଭଳି ଇଣ୍ଡୋନେସିଆର ଖଣି ନୀତିରେ କୋହଳ Billion (ଅରବ) ଡଲାରର ବିଦେଶୀ ପୁଞ୍ଜିକୁ ଆକୃଷ୍ଟ କରୁଛି । ଯାହା ରପ୍ତାନୀ ବଢ଼ାଇଛି । ଓଡ଼ିଶା ପାଖରେ ଖଣିଜ ସମ୍ପଦ, ଉର୍ବର ସମତଳ ଭୂମି ଓ ସୁଦୀର୍ଘ ବେଳାଭୂମି ରହିଛି । ଏକ ନିୟମ ସରଳୀକରଣ ପ୍ରକୋଷ୍ଠ ଅଦରକାରୀ ନିୟମକୁ ହଟାଇ, ଅନୁମୋଦନ ପ୍ରକ୍ରିୟାକୁ ତ୍ଵରିତ କରି ସଫଳତା ଦୋହରାଇ ପାରିବ ।

ଓଡ଼ିଶା ଅର୍ଥନୀତିର ୪ ସ୍ତମ୍ଭ

ଓଡ଼ିଶାର ଅର୍ଥ ବ୍ୟବସ୍ଥା ମୁଖ୍ୟତଃ ୪ଟି କ୍ଷେତ୍ର ଉପରେ ନିର୍ଭରଶୀଳ । ପ୍ରତିଟି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି । ଯେଉଁଠି ନିୟମରେ କୋହଳ କରାଯାଇ ପାରିବ । ପ୍ରଥମ ଓ ଦୃଶ୍ୟମାନ କ୍ଷେତ୍ର ହେଉଛି ଖଣି ଓ ଖଣିଜ ସମ୍ପଦ । ଭାରତର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଯୋଗଦାନ ହେଉଛି ୨୦ ପ୍ରତିଶତ । ଯାହାକି ଓଡ଼ିଶାକୁ ଦେଶର ସବୁଠୁ ଅଧିକ ଖଣିଜ ସମ୍ପଦଭରା ରାଜ୍ଯ ମଧ୍ୟରେ ସ୍ଥାନିତ କରିଛି । ତେବେ ଏହି କ୍ଷେତ୍ରରେ ପ୍ରାୟତଃ ଅନୁମତି ମିଳିବା ବିଳମ୍ବ ଏବଂ ଜଟିଳ ପ୍ରକ୍ରିୟା ପାଇଁ କାମ ଧିର ହୋଇଯାଏ । ଏ କ୍ଷେତ୍ରରେ ନିୟମ ସରଳୀକରଣ ପ୍ରକୋଷ୍ଠ ଅନୁମତି ପ୍ରକ୍ରିୟାକୁ ସହଜ କରିପାରେ । ବିଦେଶୀ ପୁଞ୍ଜିକୁ ଆକର୍ଷିତ କରି ବଢ଼ାଇପାରେ ରପ୍ତାନୀ । ଯାହାଦ୍ଵାରା ଓଡ଼ିଶା, ବୈଶ୍ଵିକ ସ୍ତରରେ ଖଣିଜ କେନ୍ଦ୍ର ଭାବେ ଉଭା ହୋଇପାରିବ । ଦ୍ଵିତୀୟ କ୍ଷେତ୍ର ହେଉଛି କୃଷି, ଯାହାକି ରାଜ୍ୟ ଅର୍ଥନୀତିର ମେରୁଦଣ୍ଡ । କୃଷି କ୍ଷେତ୍ର ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୬୦ ପ୍ରତିଶତକୁ କର୍ମ ନିଯୁକ୍ତି ଦେଉଛି ।

କୃଷିକ୍ଷେତ୍ରରେ ସୁଯୋଗ

ଜଳସେଚନ ଓ ଗ୍ରାମାଞ୍ଚଳ ପାଇଁ ସରକାର ବଜେଟ୍‌ରେ ବିପୁଳ ବ୍ୟୟ କରିବା ସତ୍ତ୍ଵେ ଚାଷୀ ବଜାର ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ଅଭାବ ସାମ୍ନା କରୁଛନ୍ତି । ନିୟମରେ କୋହଳ, ବିଶେଷ କରି Agristack ଜରିଆରେ ସ୍ମାର୍ଟ ବିତରଣ ଓ ବଜାର ଉପଲବ୍ଧତା ପାଇଁ ଜମି ବ୍ୟବହାର ଅନୁମତିକୁ ସରଳୀକରଣ କରାଯାଇ ପାରିବ । ଏହାଦ୍ଵାରା ମଧ୍ୟସ୍ଥି ବା ମିଡିଲ୍ ମ୍ୟାନଙ୍କ ପ୍ରଭାବ କମିବା ସହ କୃଷକଙ୍କ ଆୟ ବୃଦ୍ଧି ପାଇବ । ଯେଉଁଠି ଫଣ୍ଡ ଏବଂ ପୁରସ୍କାର କୃଷି କ୍ଷେତ୍ରରେ ଓଡ଼ିଶା କେତେ ଅଗ୍ରଣୀ ଦର୍ଶାଉଛି ସେଠି ବାସ୍ତବ ଆହ୍ଵାନ ହେଉଛି ସମ୍ବଳର ସଦୁପଯୋଗ ।

କୃଷି ପାଇଁ ଆବଶ୍ୟକତା

କୃଷି କୈନ୍ଦ୍ରିକ ନିବେଶକୁ ପ୍ରାଥମିକତା ମିଳିବା ଉଚିତ୍ । ଉତ୍ପାଦନରେ ଉନ୍ନତି, ସ୍ଥାୟୀ ଅଭ୍ୟାସ ଓ ଜଳବାୟୁ ପରିବର୍ତ୍ତନ ବିରୋଧରେ ସ୍ଥିରତା ଆବଶ୍ୟକ । ଡିଜିଟାଲ ଭିତ୍ତିଭୂମି ଏବଂ ଶେଷ ସୀମା ପର୍ଯ୍ୟନ୍ତ ବିତରଣକୁ ଗୁରୁତ୍ଵ ଦେଇ ପାଣ୍ଠିର ଉପଯୋଗ ହେବା ଆବଶ୍ୟକ । ସୁନିଶ୍ଚିତ କରିବା ଉଚିତ୍ ଯେ, ବୈଷୟିକ ଜ୍ଞାନକୌଶଳର ବ୍ୟବହାର ନାମମାତ୍ର ଓ କ୍ଷୁଦ୍ର ଚାଷୀଙ୍କୁ ଲାଭ ଦେଉଛି । ଅକ୍ଷମତା ଓ ଭୁଲ୍ ଆବଣ୍ଟନକୁ ରୋକିବା ପାଇଁ ସ୍ଵଚ୍ଛ ନିରୀକ୍ଷଣ, ଉତ୍ତରଦାୟିତ୍ଵ ଗୁରୁତ୍ଵପୂର୍ଣ୍ଣ ଅଟେ । ଏଭଳି ଭାବେ ଓଡ଼ିଶା ମାନ୍ୟତାକୁ ସ୍ଥାୟୀ ପ୍ରଭାବରେ ବଦଳାଇ ପାରିବ । ଯାହାଦ୍ଵାରା କୃଷି କେବଳ ଜୀବନଯାପନର ଏକ କ୍ଷେତ୍ର ହେବନି ବରଂ ଗୌରବ ଓ ସମୃଦ୍ଧିର ବାହକ ସାଜିବ । ଯାହା ହେବ 'ଓଡ଼ିଆ ଅସ୍ମିତା'ର ପ୍ରକୃତ ଅଭିବ୍ୟକ୍ତି । ତୃତୀୟ କ୍ଷେତ୍ର ହେଉଛି, ସାମୁଦ୍ରିକ ଅର୍ଥ ବ୍ୟବସ୍ଥା । ଯେଉଁଥିରେ ବନ୍ଦର, ମତ୍ସ୍ୟ ପାଳନ ଓ ସାମୁଦ୍ରିକ ବାଣିଜ୍ୟ ଅନ୍ତର୍ଭୁକ୍ତ ।

ବଜେଟ୍‌ରେ ବ୍ୟବସ୍ଥା

୨୦୨୫-୨୬ ବର୍ଷରେ ଓଡ଼ିଶା ଏହି କ୍ଷେତ୍ର ପାଇଁ ୬୫, ୦୧୨ କୋଟି ଟଙ୍କା ଆବଣ୍ଟନ କରିଛି । ତେବେ ପରିବହନ ସମସ୍ୟା ଏବଂ ନୀତିଗତ ପ୍ରତିବନ୍ଧକ ଏହି କ୍ଷେତ୍ରର ସମ୍ଭାବନାକୁ ସୀମିତ କରୁଛି । ଉପକୂଳ ବ୍ୟାପାର ଓ ମତ୍ସ୍ୟ ପାଳନ ପାଇଁ ଏକ ନୀତି ସରଳୀକରଣ ଢାଞ୍ଚା ଓଡ଼ିଶାକୁ ଏକ ସାମୁଦ୍ରିକ କେନ୍ଦ୍ରରେ ପରିଣତ କରିପାରିବ । ଯାହା ଓଡ଼ିଶାର ସୁଦୀର୍ଘ ୫୭୪.୭ କିଲୋମିଟର ଉପକୂଳରେ ରପ୍ତାନୀ ସହ ରୋଜଗାରକୁ ବଢ଼ାଇବ । ସେବା କ୍ଷେତ୍ର ସହିତ ପର୍ଯ୍ୟଟନ, ସ୍ଵାସ୍ଥ୍ୟ ସେବା ଓ ଶିକ୍ଷା ଆଦି କ୍ଷମତା ତୁଳନାରେ କମ୍ ବିକଶିତ ହୋଇଛି । ୨୦୨୫-୨୬ରେ ଓଡ଼ିଶା ଶିକ୍ଷା ପାଇଁ ୪୧, ୨୭୩ କୋଟି, ସ୍ଵାସ୍ଥ୍ୟ ପାଇଁ ୨୩, ୬୩୫ କୋଟି ଆବଣ୍ଟନ କରିବା ଉଦ୍ଦେଶ୍ୟକୁ ଦର୍ଶାଉଛି ।

ଓଡ଼ିଶାର ଶକ୍ତି ପାରମ୍ପରିକ କ୍ଷମତା

ତଥାପି, ଘରୋଇ ନିବେଶ କ୍ଷେତ୍ରରେ ଜଟିଳତା ଓ PPP ମୋଡ୍‌ରେ ଅନୁମୋଦନ ବିଳମ୍ବିତ ହେଉଛି । ଏଠାରେ ନିୟମର ସରଳୀକରଣ ବିଶ୍ଵସ୍ତରୀୟ ବିଶ୍ଵବିଦ୍ୟାଳୟ, ହସ୍ପିଟାଲ୍ ଓ ପର୍ଯ୍ୟଟନ ସହ ଜଡ଼ିତ କ୍ଷେତ୍ର ପାଇଁ ବାଟ ଖୋଲିପାରେ । ଯାହାଦ୍ଵାରା ଓଡ଼ିଶାର ତାର ପାରମ୍ପରିକ କ୍ଷମତା ସହିତ ସେବା କ୍ଷେତ୍ରରେ ଏକ ବଡ଼ ଶକ୍ତି ଭାବେ ଉଭା ହୋଇ ପାରିବ । ଖଣିଜ, କୃଷି, ସାମୁଦ୍ରିକ ଅର୍ଥନୀତି ଏବଂ ସେବା ଏହି ୪ କ୍ଷେତ୍ର ଓଡ଼ିଶାର ଆର୍ଥିକ ସ୍ଵାସ୍ଥ୍ୟର ମୂଳଦୂଆ । ୨୦୨୬ରେ ଆରମ୍ଭ ହେବାକୁ ଯାଉଥିବା ନିୟମ ସରଳୀକରଣ ପ୍ରକୋଷ୍ଠ ଏହି ସମସ୍ତ କ୍ଷେତ୍ରର ସମ୍ପୂର୍ଣ୍ଣ କ୍ଷମତାକୁ ସର୍ବସମ୍ମୁଖକୁ ଆଣିବା ଲାଗି ପ୍ରମୁଖ ମାଧ୍ୟମ ସାଜିବ । ଏହା ସୁନିଶ୍ଚିତ କରିବ ଯେ, ବିକାଶ କେବଳ କାଗଜ କଲମରେ ନୁହେଁ ବରଂ ବାସ୍ତବରେ ହେଉଛି । ଦେଶର ପ୍ରମୁଖ ଫାର୍ମା କମ୍ପାନୀ ଓଡ଼ିଶା ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି । ରାଜ୍ୟର କିଛି ବିଶେଷ ସ୍ଥାନକୁ ପୋଷ୍ୟ ଭାବେ ଚୟନ କରି ଶିଶୁ ଓ ମହିଳାଙ୍କ ସ୍ଵାସ୍ଥ୍ୟ ସହ ଜଡ଼ିତ ସମସ୍ୟାର ସମାଧାନ କରାଯାଇ ପାରିବ ।

ଏହି ସହଭାଗୀତା ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ନୃତନତ୍ଵ ଆଣିବ । ଗୋଟିଏ ସ୍ଥାନରେ ସ୍ଵାସ୍ଥ୍ୟ ବିଶେଷଜ୍ଞ, ବୈଷୟିକ ଜ୍ଞାନକୌଶଳ ସହ ସମ୍ପ୍ରଦାୟକୁ ଯୋଡ଼ିବ । ଯାହା ପୁଷ୍ଟି, ପୈତୃକ ସେବା ଏବଂ ନବଜାତର ବିକାଶ ମଧ୍ୟରେ ଥିବା ବ୍ୟବଧାନ ପୂରଣ କରିବ । ରାଜ୍ୟ ଏଭଳି ପଦକ୍ଷେପକୁ ପ୍ରୋତ୍ସାହନ ଦେବା ଆବଶ୍ୟକ । ଯାହା ଘରୋଇ କ୍ଷେତ୍ର ସହିତ ସମ୍ବଳର ବ୍ୟବହାର ଦୂରଦୃଷ୍ଟି ସହ ଓଡ଼ିଶାର ଅଭିବୃଦ୍ଧି ଏବଂ ସାମାଜିକ ରୂପାନ୍ତରଣ କରିପାରିବ । ଓଡ଼ିଶାର ଷ୍ଟାର୍ଟ-ଅପ୍ ବ୍ୟବସ୍ଥା ଏବେ ସଂଘର୍ଷ କରୁଛି । ଯଦିଓ ନୀତିଗତ ସମର୍ଥନ ରହିଛି ତଥାପି ରାଜ୍ୟରେ ୨୦୨୫ ସୁଦ୍ଧା ୩, ୨୧୧ଟି ସକ୍ରିୟ ଷ୍ଟାର୍ଟ-ଅପ୍ ରହିଛି ।

ଷ୍ଟାର୍ଟ-ଅପ୍ ଓ ଓଡ଼ିଶା

୨୦୨୫ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ୮୫ଟି ଷ୍ଟାର୍ଟଅପ୍‌କୁ ମାନ୍ୟତା ମିଳିଛି । ସେଥିରୁ ୨୬ଟିକୁ ଓ-ହବ୍‌ ସହାୟତା ଦେଉଛି । କର୍ଣ୍ଣାଟକ ଓ ମହାରାଷ୍ଟ୍ର ତୁଳନାରେ ଏହା ବହୁତ କମ୍ । କହିବାକୁ ଗଲେ ଓଡ଼ିଶାର ଷ୍ଟାର୍ଟ-ଅପ୍ କାହାଣୀ ଏବେ କେବଳ ଲୋକ ଦେଖାଣିଆ ହୋଇ ରହିଛି । ଏ କ୍ଷେତ୍ରରେ ନିୟମ ସରଳୀକରଣ ପ୍ରକୋଷ୍ଠ ନିୟମ ପାଳନକୁ ସହଜ କରିବା ସହ ପ୍ରଶାସନିକ ବାଧା ହ୍ରାସ କରିବ ଏବଂ ନିବେଶକଙ୍କ ଲାଗି ଏକି ସ୍ଵଚ୍ଛ ପରିବେଶ ସୃଷ୍ଚି କରି ସ୍ଥିତି ବଦଳାଇ ପାରିବ । ଏହା ନହେଲେ ଓଡ଼ିଶା ତାର ଟ୍ୟାଲେଣ୍ଟକୁ ଅନ୍ୟ ରାଜ୍ୟ ପଳାଇବାର ଆଶଙ୍କା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନବ ସମ୍ବଳ, ସହଜ ବ୍ୟାପାର ଓ ପରବର୍ତ୍ତୀ ପିଢ଼ି ସଂସ୍କାର ଉପରେ ଗୁରୁତ୍ଵ ଦେଉଛନ୍ତି । ଯାହା ଓଡ଼ିଶାର ଆବଶ୍ୟକତା ସହ ମେଳ ଖାଉଛି । ନିୟମ ସରଳୀକରଣ ପ୍ରକୋଷ୍ଠ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିବେଦନ କୌଣସି ପରିକଳ୍ପନା ନୁହେଁ ବରଂ ରାଜ୍ୟମାନଙ୍କ ଲାଗି ଏହା ଏକ ବ୍ଲୁପ୍ରିଣ୍ଟ । ଓଡ଼ିଶା ପାଇଁ ୨୦୨୬ରେ ଏହା ପ୍ରମୁଖ ଏଜେଣ୍ଡା ହେବା ଉଚିତ୍ ।

ଖଣିରୁ ନେଇ ସେବା ପର୍ଯ୍ୟନ୍ତ, ସବୁ କ୍ଷେତ୍ରରେ ନିୟମର ସରଳୀକରଣ ବାଧା ଲାଘବ କରିବା ସହ ଉତ୍ପାଦନ ବଢ଼ାଇବ । ନିୟମ ପାଳନର ବୋଝ ହ୍ରାସଦ୍ଵାରା ସମ୍ବଳର କୌଶଳ-ନର୍ମାଣ ଓ ନୂତନତ୍ଵ ବୃଦ୍ଧି ପାଇବ । ଖଣିଜ, କୃଷି ରପ୍ତାନୀ ଏବଂ ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ନିୟମର ସରଳୀକରଣ ବୈଶ୍ଵିକ ସ୍ତରରେ ଓଡ଼ିଶାକୁ ପ୍ରତିନ୍ଦ୍ଵନ୍ଦ୍ଵୀତାକୁ ନେଇଯିବ । ଓଡ଼ିଶା ଏବେ ଏକ କୋଣରେ ଅଛି । ରାଜ୍ୟର ମଜଭୁତ ମୋଟ ଘରୋଇ ଉତ୍ପାଦ (GSDP) ସତ୍ତ୍ଵେ ନିୟମ ବାଧା ସୃଷ୍ଟି କରୁଛି । ଦୁର୍ବଳ ଶିଳ୍ପ ଗତି ପାଇଁ ରାଜ୍ୟର ବିକାଶ ବାଧାପ୍ରାପ୍ତ ହୋଇପାରେ ।

ଓଡ଼ିଶା ପାଇଁ ଅବସର

୨୦୨୬ରେ ନିୟମ ସରଳୀକରଣ ପ୍ରକୋଷ୍ଠ ଆମ ପାଇଁ ଏକ ଗିଫ୍ଟ ହୋଇପାରେ । ଏହା ଏଭଳି ଏକ ସାହସିକ ସଂସ୍ଥାଗତ ସଂସ୍କାର ଯାହା ଷ୍ଟାର୍ଟ-ଅପ୍ସକୁ ପୁଣି ଥରେ ଛିଡ଼ା କରିବ । ଭିନ୍ନ ଭିନ୍ନ କ୍ଷେତ୍ରର ବିକାଶକୁ ବଳ ଦେବ ଏବଂ ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ 'ବିକଶିତ ଭାରତ' ଲକ୍ଷ୍ୟ ସହିତ ଯୋଡ଼ି ପାରିବ । ୨୦୨୬ର ଆରମ୍ଭ ଓଡ଼ିଶା ପାଇଁ କେବଳ ଏକ ନୂଆ କ୍ୟାଲେଣ୍ଡର ବର୍ଷ ଆଣି ନାହିଁ ବରଂ ଏକ ନୂଆ ମୁଖ୍ୟ ସଚିବଙ୍କୁ ନେଇ ଆସିଛି । ଯାହା ନିର୍ଣ୍ଣାୟକ ନେତୃତ୍ଵ ଦେଖାଇବାର ସୁଲଭ ଅବସର । ଏବେ ସମୟ ଆସିଛି, ଆମେ ସଚିବାଳୟ ସହ ଜଡ଼ିତ ଜଟିଳତାରୁ ନିଜକୁ ମୁକ୍ତ କରିବା ଏବଂ ନିୟମ ସରଳୀକରଣ ପ୍ରକୋଷ୍ଠ ଆରମ୍ଭ କରିବା ।

ଅନ୍ୟ ରାଜ୍ୟ ପୂର୍ବରୁ ହିଁ ସଂସ୍କାର ପାଇଁ ପ୍ରୟାସ କରୁଛନ୍ତି । ସଂଘୀୟ ବ୍ୟବସ୍ଥାରେ, ବିକାଶ ସେମାନଙ୍କୁ ଅପେକ୍ଷା କରିବ ନାହିଁ ଯେଉଁମାନେ ସଂକୋଚ କରିବେ । ଭାରତ ଆଗକୁ ବଢ଼ୁଛି, ଆହୁରି ଆଗକୁ ମଧ୍ୟ ବଢ଼ିବ । ପ୍ରଶ୍ନ ହେଉଛି, କ'ଣ ଓଡ଼ିଶା ଏହି ବେଗର ଅଂଶ ହେବ ନା ନିଜ ଗୌରବମୟ ଅତୀତରେ ବୁଡ଼ି ରହିବ ? ମୁଖ୍ୟ ସଚିବ ଏହା ଉପରେ ପଦକ୍ଷେପ ନେଇ ଏଭଳି ନର୍ଣ୍ଣାୟକ ପଦକ୍ଷେପ ନିଅନ୍ତୁ ଯାହା ଦଶନ୍ଧି ପର୍ଯ୍ୟନ୍ତ ଓଡ଼ିଶାର ଆର୍ଥିକ ସ୍ଵାସ୍ଥ୍ୟକୁ ଆକାର ଦେବ ।

ଏ ଦିଗରେ ଏବେଠୁ ଛୋଟ ଛୋଟ ପଦକ୍ଷେପ ଉଠାଇବା ଦରକାର । କାରଣ ଆମକୁ ସମୟ ସହ ଦୌଡ଼ୁଛେ । ବିଳମ୍ବର ଅର୍ଥ ଅପ୍ରାସଙ୍ଗିକତା ଏବଂ ପଦକ୍ଷେପର ଅର୍ଥ ପରିବର୍ତ୍ତନ । ଓଡ଼ିଶାର ଗୌରବ ହେଉଛି 'ଅସ୍ମିତା' । ଯାହା ପୁରୁଣା ନାରାରେ ନୁହେଁ ବରଂ ଏଭଳି ସଂସ୍କାରରେ ପ୍ରତିଫଳିତ ହେବା ଦରକାର ଯାହା ଯୁବପିଢ଼ି ଓ ଉଦ୍ୟୋଗୀଙ୍କ ଶକ୍ତିକୁ ପରିସ୍ଫୁଟିତ କରିବ । ନିୟମ ସରଳୀକରଣ ପ୍ରକୋଷ୍ଠ ଓଡ଼ିଶା ନିଜକୁ ଦେଇଥିବା ସବୁଠୁ ବଡ଼ ପୁରସ୍କାର ହେବ । ଯାହା ହେବ ସ୍ଵାଧୀନତା, ଅଭିବୃଦ୍ଧି ଓ ଭବିଷ୍ୟତର ସମୃଦ୍ଧ ପୁରସ୍କାର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Growth vs Challenges: ଦ୍ରୁତ ଅଭିବୃଦ୍ଧି ସହ ଆଗକୁ ବଢ଼ୁଛି ଓଡ଼ିଶା; କ'ଣ ରହିଛି ସମୟର ଆହ୍ଵାନ ? | Argus News