Videos
|
Odisha

Odisha Excise / ପାର୍ବଣ ଋତୁରେ ଅବକାରୀ ବିଭାଗର ବଡ଼ ସଫଳତା: ୪୫.୫୭ କୋଟି ଟଙ୍କାର ନିଶାଦ୍ରବ୍ୟ ଓ ଚୋରା ମଦ ଜବତ

Rashmita Mishra
Browse all articles by Rashmita Mishra
·1 hour ago·2 min read
ପାର୍ବଣ ଋତୁରେ ଅବକାରୀ ବିଭାଗର ବଡ଼ ସଫଳତା: ୪୫.୫୭ କୋଟି ଟଙ୍କାର ନିଶାଦ୍ରବ୍ୟ ଓ ଚୋରା ମଦ ଜବତ
Odisha Excise

Key Points

ପାର୍ବଣ ଋତୁରେ କଡ଼ା କାର୍ଯ୍ୟାନୁଷ୍ଠାନ
୪୫.୫୭ କୋଟିର ନିଶାଦ୍ରବ୍ୟ ଜବତ, ୩,୭୬୪ ଗିରଫ
୩,୨୦୧ କେଜି ଗଞ୍ଜେଇ ଜବତ
୪ ଲକ୍ଷରୁ ଅଧିକ ଲିଟର ଚୋରା ମଦ ଜବତ କଲା ଅବକାରୀ ବିଭାଗ

ପାର୍ବଣର ଉତ୍ସବ ମାହୋଲରେ ବେଆଇନ ନିଶା କାରବାର ଉପରେ ପଡ଼ିଛି ଅବକାରୀ ବିଭାଗର କଡ଼ା ପ୍ରହାର । ଚୋରା ମଦଠାରୁ ଆରମ୍ଭ କରି ଗଞ୍ଜେଇ, ହେରୋଇନ୍ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ବିରୋଧରେ ରାଜ୍ୟବ୍ୟାପୀ ଚାଲିଥିବା ମାସବ୍ୟାପୀ ଅଭିଯାନରେ ଖୋଲିଛି ବେଆଇନ କାରବାରର ବଡ଼ ଗୁମର ।

ମାତ୍ର ୩୧ ଦିନର ଚଢ଼ାଉରେ ଜବତ ହୋଇଛି ୪୫ କୋଟି ୫୭ ଲକ୍ଷ ଟଙ୍କାର ନିଶାଦ୍ରବ୍ୟ ଓ ଚୋରା ମଦ। ହଜାର ହଜାର ମାମଲା, ଶତାଧିକ ଗାଡ଼ି ଜବତ ଏବଂ ହଜାର ହଜାର ଗିରଫଦାରୀ ଅବକାରୀ ବିଭାଗର ଏହି ଅଭିଯାନର ବ୍ୟାପକତାକୁ ସ୍ପଷ୍ଟ କରୁଛି ।

ପାର୍ବଣ ଋତୁରେ ରାଜ୍ୟରେ ବେଆଇନ ମଦ ଓ ନିଶାଦ୍ରବ୍ୟ କାରବାର ଉପରେ ରୋକ୍ ଲଗାଇବା ଲକ୍ଷ୍ୟରେ ଅବକାରୀ ବିଭାଗ ପକ୍ଷରୁ ଚାଲିଥିବା ମାସବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ସଫଳତାର ସହ ଶେଷ ହୋଇଛି । ଅକ୍ଟୋବର ୧୦ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିଥିବା ଏହି ଅଭିଯାନରେ ମୋଟ ୪୫ କୋଟି ୫୭ ଲକ୍ଷ ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ ଓ ଚୋରା ମଦ ଜବତ କରାଯାଇଛି ।

ଅବକାରୀ ବିଭାଗର ସୂଚନା ଅନୁଯାୟୀ, ଏହି ଅଭିଯାନ ସମୟରେ ମୋଟ ୭ ହଜାର ୮୨୬ଟି ମାମଲା ରୁଜୁ ହୋଇଥିବାବେଳେ ୩ ହଜାର ୭୬୪ ଜଣଙ୍କୁ ଗିରଫ କରାଯାଇଛି । ଚଢ଼ାଉରେ ୩ ହଜାର ୨୦୧ କେଜି ଗଞ୍ଜେଇ, ୬.୩୬ କେଜି ହେରୋଇନ୍ ଏବଂ ୧୫୦.୫ ଲିଟର କଫ୍ ସିରପ୍ ଜବତ ହୋଇଛି ।

ସେହିପରି ୪ ଲକ୍ଷ ୨୮ ହଜାର ୫୮୫ ଲିଟର ଚୋରା ଭାଟି ମଦ, ୧ ହଜାର ୪୫ ଲିଟର ନକଲି ବିଦେଶୀ ମଦ ଏବଂ ୧୪ ହଜାର ୧୯୩ କେଜି ମହୁଲ ଫୁଲ ଜବତ କରାଯାଇଛି। ବେଆଇନ ମଦ ପ୍ରସ୍ତୁତି ଉପରେ ଅଙ୍କୁଶ ଲଗାଇବା ପାଇଁ ୪୦ ଲକ୍ଷ ୬୦ ହଜାର ୪୧୦ ଲିଟର ମଦ ପ୍ରସ୍ତୁତି ପୋଚ ନଷ୍ଟ କରାଯାଇଛି । ଏଥିସହ ବେଆଇନ ନିଶା କାରବାରରେ ବ୍ୟବହୃତ ୪୪୨ଟି ଗାଡ଼ି ମଧ୍ୟ ଜବତ ହୋଇଛି ।

ପାର୍ବଣ ସମୟରେ ନିଶାଦ୍ରବ୍ୟର ଚୋରା କାରବାର ରୋକିବା ଦିଗରେ ଏହି ଅଭିଯାନ ଏକ ବଡ଼ ସଫଳତା ବୋଲି କୁହାଯାଉଛି । ରାଜ୍ୟରେ ନିଶାସେବନ ଜନିତ ସାମାଜିକ ସମସ୍ୟାର ମୁକାବିଲା କରିବା ସହ ଜନସାଧାରଣଙ୍କୁ ନିଶାଦ୍ରବ୍ୟର କୁପ୍ରଭାବରୁ ସୁରକ୍ଷିତ ରଖିବା ପାଇଁ ଆଗାମୀ ଦିନରେ ଚଢ଼ାଉ, ଯାଞ୍ଚ ଓ ନିରୀକ୍ଷଣ ପ୍ରକ୍ରିୟାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: