ତଳିଆ ଅଞ୍ଚଳରେ ପଶିବ ପାଣି, ପ୍ରଶାସନକୁ ଆଲର୍ଟ ନିର୍ଦ୍ଦେଶ

Key Points
`ମହାନଦୀରେ ଆସୁଛି ଛୋଟ ବନ୍ୟା'
ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା
ଆସନ୍ତାକାଲି ସନ୍ଧ୍ୟାରେ ମୁଣ୍ଡଳୀରେ ପହଞ୍ଚିବ ବନ୍ୟା ଜଳ
ତଳିଆ ଅଞ୍ଚଳରେ ପଶିବ ପାଣି, ପ୍ରଶାସନକୁ ଆଲର୍ଟ ନିର୍ଦ୍ଦେଶ
ମହାନଦୀରେ ବିଗତ ଦିନରେ ଉପରମୁଣ୍ଡରେ ବର୍ଷା ହେବା ଯୋଗୁଁ ଅଧିକ ଜଳ ପଶିଛି । ହୀରାକୁଦର ୧୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ୩ ଲକ୍ଷ ୮୫ ହଜାର କ୍ୟୁସେକ୍ ପ୍ରବେଶ, ୪ ଲକ୍ଷ ୨୪ ହଜାର କ୍ୟୁସେକ୍ ନିଷ୍କାସିତ ହେଉଛି । ଆସନ୍ତାକାଲି ସନ୍ଧ୍ୟା ୬ଟାରେ ୫.୫୦ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ମୁଣ୍ଡଳୀକୁ ଆସିବ ।. ଫଳରେ ମହାନଦୀରେ ଛୋଟ ଧରଣର ବନ୍ୟା ଆସିବ । ନଦୀ ଅବବାହିକା ତଳିଆ ଅଞ୍ଚଳରେ ପାଣି ପଶିବ । ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ରେଙ୍ଗାଲିର ଦୁଇଟି ଗେଟ୍ ଦେଇ ବ୍ରାହ୍ମଣୀ ଜଳ ନିଷ୍କାସନ ହେଉଛି । ଜଳକା, ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ନଦୀରେ ଜଳସ୍ତର କମିଛି । ବନ୍ୟା ସ୍ଥିତି ନାହିଁ କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।
ସେପଟେ ମଥାନୀ ଠାରେ ବିପଦ ସଙ୍କେତ ତଳକୁ ଖସିଛି ଜଳକା ନଦୀ । ମାତ୍ର ଲୋକଙ୍କ ଦୁର୍ଦ୍ଦଶା କମିନି । ଏବେବି ବସ୍ତା ବ୍ଲକରେ ଶହ ଶହ ହେକ୍ଟର ଚାଷ ଜମି ଉପରେ ଲହଡ଼ି ମାରୁଛି ବନ୍ୟା ଜଳ । ଫସଲ ନଷ୍ଟ ନେଇ ଚାଷୀ ଚିନ୍ତାରେ ଥିବାବେଳେ ଅନେକ ଲୋକଙ୍କ ଘର ପାଣି ଘେରରେ । ସେହିପରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ବୈତରଣୀ ଶାଖା ନଦୀ ରେବ ଓ କପାଳୀ ନଦୀରେ ଆସିଛି ବନ୍ୟା ଜଳ । ଫଳରେ ଧାମନଗର ବ୍ଲକର ଅସୁରାଳୀଠାରେ ଭଦ୍ରକରୁ ଆଖଣ୍ଡଳମଣୀକୁ ସଂଯୋଗ ମୁଖ୍ୟ ରାସ୍ତାରେ ଗୋଟିଏ ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ଅସୁରାଳୀ, ଫତେପୁର, କାସିମପୁର, ବୋଡ଼କ ପଞ୍ଚାୟତର ହଂସପୁର, ସାହୁସାହି, ଲେଞ୍ଜରା, ଫତେପୁର, ଶ୍ରୀରାମପୁରରେ ଧାନ ଚାଷ ସହ ପନିପରିବା ଚାଷ ଜମି ପାଣିରେ ବୁଡ଼ି ରହିଛି ।
ରାଜ୍ୟରେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା । ଆଗାମୀ ୨୪ ଘଣ୍ଟା ଓ ଆସନ୍ତାକାଲି ପ୍ରବଳ ବର୍ଷା ପାଇଁ ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।