Videos
|
Odisha

Odisha Flood / କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝରରେ ବନ୍ୟା ବିତ୍ପାତ…ବୈତରଣୀ, ଖରସ୍ରୋତା, ବ୍ରାହ୍ମଣୀରେ ଆସିଲା ଦ୍ବିତୀୟ ବନ୍ୟା

Ritu Das
Browse all articles by Ritu Das
·1 hour ago·3 min read
କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝରରେ ବନ୍ୟା ବିତ୍ପାତ…ବୈତରଣୀ, ଖରସ୍ରୋତା, ବ୍ରାହ୍ମଣୀରେ ଆସିଲା ଦ୍ବିତୀୟ ବନ୍ୟା
Flood

Key Points

ଗାଁ ଦାଣ୍ଡରେ ଚାଲିଛି ଚାରି ଫୁଟର ପାଣି
ପାଣିରେ ଚାଲିଛି ଡଙ୍ଗା
ଅନେକ ଲୋକଙ୍କ ଘରେ ଲହଡି ମାରୁଛି ଦୁଇ ଫୁଟ ପାଣି
ଗାଁ ଦାଣ୍ଡରେ ଚାଲିଛି ଚାରି ଫୁଟର ପାଣି। ପାଣିରେ ଚାଲିଛି ଡଙ୍ଗା। ଅନେକ ଲୋକଙ୍କ ଘରେ ଲହଡି ମାରୁଛି ଦୁଇ ଫୁଟ ପାଣି। ଲୋକଙ୍କ କଚା ଘର ଘର ଭାଙ୍ଗି ଗଲାଣି। ପିଇବା ପାଣିର ବି ରହିଛି ସମସ୍ୟା। ଚାରି ଦିନ ହେବ ଭୋକ ଉପାସ ରେ ରହିଛନ୍ତି। ନଦୀ କୁଳିଆ ଗାଁ ହୋଇଥିବାରୁ କୁମ୍ଭୀର ଓ ସାପଙ୍କ ଭୟ ବି ଘାରୁଛି। ବୈତରଣୀ, ଖରସ୍ରୋତା, କାଣି ଓ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ବନ୍ୟା ଜଳ ଆସିବାରୁ ବଢିଲା ଲୋକଙ୍କ ଦୁର୍ଦ୍ଦଶା। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ୧୫ପଞ୍ଚାୟତ ଓ ଆଳି ବ୍ଲକର ୨୨ ପଞ୍ଚାୟତରେ ଲୋକେ ପାଣି ଘେରରେ। ଆଳି ଓ ରାଜକନିକା ବ୍ଲକରେ ପାଖାପାଖି ୧ ଲକ୍ଷରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ। ଆଳି ବ୍ଲକର ଧୋୟା ଅଞ୍ଚଳର 10 ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି।

ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଆଳି ଓ ରାଜକନିକା ବ୍ଲକରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାରେ ୬୦ ପଞ୍ଚାୟତ ଓ ୧୩୫ ଟି ଗାଁ ବନ୍ୟାରେ ପ୍ରଭାବିତ। ୧୦ ଦିନ ଧରି ପାଣି ଘେରରେ ଜଳବନ୍ଦୀ ଜୀବନ ବିତାଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ତିକନପୁର ପଞ୍ଚାୟତର ଡିହସାହି ଓ ହରିପୁର ଗ୍ରାମବାସୀ। ମୁଖ୍ୟ ରାସ୍ତା କଡ଼ରୁ ଜେସିବି ଲଗାଇ ମାଟି ଖୋଳି ପାଣି ନିଷ୍କାସନ କରାଯାଇଛି। ବନ୍ୟାରେ କେନ୍ଦ୍ରାପଡା ସହରରେ କୁମ୍ଭୀର ଆତଙ୍କ। ସହରର ଭାସ୍କର ସିନେମା ପଛପାଖ ଗୋବରୀ ନଦୀରେ ଦେଖାଦେଇଛି ଏକ ବିରାଟ କୁମ୍ଭୀର।

କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରା ନଜର ରଖାଯାଇଛି। ଏ ପର୍ଯ୍ୟନ୍ତ ଜିଲ୍ଲାର ୬ଟି ବ୍ଲକ ଆଳି, ଡେରାବିଶ, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ରାଜନଗର ଓ ରାଜକନିକାର ୬୫ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୩୭ଟି ଗ୍ରାମ ପ୍ରଭାବିତ ହୋଇଛି। ପଟ୍ଟାମୁଣ୍ଡାଇ ପୌରପାଳିକାର ୧୧ଟି ୱାର୍ଡ, ମୋଟ ୧,୪୮,୩୧୫ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ୧୧ଟି ଆଶ୍ରୟ କେନ୍ଦ୍ରରେ ୨,୧୧୫ ଜଣଙ୍କୁ ରଖାଯାଇଛି। ପ୍ରଭାବିତ ଲୋକଙ୍କ ପାଇଁ ୬ଟି ରିଲିଫ୍ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ୨,୦୬୫ ଜଣ ହିତାଧିକାରୀଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି। ବନ୍ୟା ପ୍ରଭାବିତ ଲୋକଙ୍କୁ ଆଜି ୬୮.୪୮ କ୍ୱିଣ୍ଟାଲ ଚୁଡ଼ା, ୪ କ୍ୱିଣ୍ଟାଲ ଗୁଡ଼/ଚିନି, ୬,୧୬୦ ପ୍ୟାକେଟ୍ ବିସ୍କୁଟ୍ ଓ ଶିଶୁ ଖାଦ୍ୟ ବଣ୍ଟନ କରାଯାଇଛି। ସ୍ୱାସ୍ଥ୍ୟ ସେବା ପାଇଁ ୧୬ଟି ମେଡିକାଲ୍ ଟିମ୍, ୩ଟି ପଶୁ ଚିକିତ୍ସା ଟିମ୍ ମଧ୍ୟ ନିୟୋଜିତ ରହିଛି।

ବନ୍ୟାରେ ମୋଟ ୬୫,୮୨୮ଟି ପଶୁ ପ୍ରଭାବିତ ହୋଇଥିବା ବେଳେ କୌଣସି ପଶୁଙ୍କ ମୃତ୍ୟୁ ଘଟିନାହିଁ। ୧୧୮ଟି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ୪ଟି ଏସଆରସି ପାୱାର ବୋଟ୍, ୯୩ଟି ଦେଶୀ ଡଙ୍ଗା ଓ ୬ଟି ଯାନ୍ତ୍ରିକ ଦେଶୀ ଡଙ୍ଗା ନିୟୋଜିତ ହୋଇଛି। ଦେବଦୁତ ସାଜିଲେ ଅଗ୍ନିଶମ ବାହିନୀ କର୍ମଚାରୀ । ହୃଦଘାତ ରେ ପୀଡିତ ଜଣେ ଆଶା କର୍ମୀଙ୍କୁ କଲେ ଉଦ୍ଧାର। କେନ୍ଦ୍ରାପଡା ବ୍ଲକ ଘାଗରା ଡିଆ ଗାଁର ଆଶା ଦିଦି ଶାନ୍ତିଲତା ମାଝୀଙ୍କୁ ହୃଦଘାତ ହେବାରୁ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପାୱାର ବୋଟ ଜରିଆରେ, ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରିବା ସହିତ ଇନ୍ଦୁପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା।

ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀନାଳଗୁଡିକରେ ବନ୍ୟାର ଆଶଙ୍କା ଦେଖାଯାଇଛି l ଯଶିପୁର, ରରୁଆଁ, ଶୁକୃଳି ଓ କୁସୁମୀ ବ୍ଲକ ଅଞ୍ଚଳର ନଦୀନାଳ ଗୁଡ଼ିକ ଫୁଲି ରହିଛି। ବନ୍ୟାକୁ ପ୍ରତିହତ କରିବା ପାଇଁ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହୋଇଛି। ମନ୍ତ୍ରୀ ଯଶିପୁର ନିର୍ବାଚନ ମଣ୍ଡଳୀରେ ଜରୁରୀକାଳୀନ ସେବା ପାଇ ପାରିବେ ସେଥିପାଇଁ ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଲଗାଣ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ବାରିପଦା ରେଳ ଟ୍ରାକ୍‌ର ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁ ରହିଛି। ଗତକାଲି ଠାରୁ ରାତିସାରା ରେଳ ବିଭାଗର ଇଞ୍ଜିନିୟରିଂ ଟିମ୍ କାର୍ଯ୍ୟରେ ନିୟୋଜିତ ରହିଛନ୍ତି।

ଆନନ୍ଦପୁରରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ନଦୀର ବିପଦ ସଂକେତ ୩୮.୩୬୦ ମିଟର ଥିବାବେଳେ ବର୍ତ୍ତମାନ ୩୮.୫୧୦ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ନଦୀ କୂଳିଆ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: