Videos
|
Odisha

Ganjam Flood Report / ବାତ୍ୟା ‘ଅର୍ଣ୍ଣବ’ ଓ ବନ୍ୟା କ୍ଷୟକ୍ଷତି: ଗଞ୍ଜାମକୁ ସର୍ବାଧିକ ୩୦୬ କୋଟି

Rashmita Mishra
Browse all articles by Rashmita Mishra
·2 hours ago·2 min read
ବାତ୍ୟା ‘ଅର୍ଣ୍ଣବ’ ଓ ବନ୍ୟା କ୍ଷୟକ୍ଷତି: ଗଞ୍ଜାମକୁ ସର୍ବାଧିକ ୩୦୬ କୋଟି
Ganjam Flood Report

Key Points

୬ ଜିଲ୍ଲାର ପୁନରୁଦ୍ଧାର ପାଇଁ ମଞ୍ଜୁର ହେଲା ୪୮୨.୪୨ କୋଟି
ଗଞ୍ଜାମକୁ ସର୍ବାଧିକ ୩୦୬ କୋଟି
ବିଦ୍ୟାଳୟ, ରାସ୍ତା ଓ ପାନୀୟ ଜଳ ପ୍ରକଳ୍ପର ମରାମତି ପାଇଁ ପାଣ୍ଠି ମଞ୍ଜୁର
ବାତ୍ୟା ଓ ବନ୍ୟା ବିପନ୍ନଙ୍କ ପାଇଁ ପୁନରୁଦ୍ଧାର ପାଣ୍ଠି
୬ ଜିଲ୍ଲା ପାଇଁ ୪୮୨.୪୨ କୋଟି ଟଙ୍କା ଅନୁମୋଦନ

ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହା ପରବର୍ତ୍ତୀ ପ୍ରବଳ ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୪୮୨ କୋଟି ୪୨ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି)ଙ୍କ ନିକଟରେ ଥିବା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସ୍‌ଡିଆର୍‌ଏଫ୍‌)ରୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ଏହି ଅର୍ଥ ଯୋଗାଇ ଦିଆଯାଇଛି ।

ଏହି ପ୍ରାକୃତିକ ବିପର୍ଯ୍ୟୟରେ ରାଜ୍ୟର ୬ଟି ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଥିବାବେଳେ କ୍ଷୟକ୍ଷତିର ପରିମାଣ ଅନୁଯାୟୀ ଜିଲ୍ଲାଗୁଡ଼ିକୁ ଅର୍ଥ ବଣ୍ଟନ କରାଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ୩୦୬ କୋଟି ୫୪ ଲକ୍ଷ ଟଙ୍କା ମିଳିଛି । ସେହିପରି ଗଜପତିକୁ ୧୦୯ କୋଟି ୯୭ ଲକ୍ଷ, କନ୍ଧମାଳକୁ ୪୨ କୋଟି ୫୭ ଲକ୍ଷ, ନୂଆପଡ଼ାକୁ ୧୫ କୋଟି ୮ ଲକ୍ଷ, ନବରଙ୍ଗପୁରକୁ ୭ କୋଟି ୭୮ ଲକ୍ଷ ଏବଂ ରାୟଗଡ଼ାକୁ ୯୭ କୋଟି ୬୦ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି ।

ମଞ୍ଜୁର ହୋଇଥିବା ଏହି ଅର୍ଥରେ ବିପର୍ଯ୍ୟୟ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଭିତ୍ତିଭୂମିର ମରାମତି ଓ ପୁନର୍ନିର୍ମାଣ କରାଯିବ । ଏଥିମଧ୍ୟରେ ବିଦ୍ୟାଳୟ କୋଠା, ଅଙ୍ଗନବାଡ଼ି କେନ୍ଦ୍ର, ପଞ୍ଚାୟତ ଗୃହ, ଗ୍ରାମୀଣ ରାସ୍ତା, ପୋଲ, କଲଭର୍ଟ, ସ୍ୱାସ୍ଥ୍ୟ ଉପକେନ୍ଦ୍ର, ପାନୀୟ ଜଳ ପ୍ରକଳ୍ପ ଓ ନଳକୂପ ରହିଛି ।

ପ୍ରାକୃତିକ ବିପର୍ଯ୍ୟୟ ପରେ ଗ୍ରାମାଞ୍ଚଳରେ ଜନଜୀବନକୁ ସ୍ୱାଭାବିକ କରିବା ସହ ମୌଳିକ ସେବାର ପୁନଃସ୍ଥାପନ ଏହି ଅର୍ଥ ବ୍ୟୟର ମୁଖ୍ୟ ଲକ୍ଷ୍ୟ । ବିଶେଷକରି ପାନୀୟ ଜଳ ଯୋଗାଣ ଓ ଯୋଗାଯୋଗ ବ୍ୟବସ୍ଥାକୁ ଶୀଘ୍ର ସ୍ୱାଭାବିକ କରିବା ଉପରେ ଗୁରୁତ୍ୱ ଦିଆଯିବ । ଏହି ସହାୟତା ଦ୍ୱାରା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହେବା ସହ ଲୋକଙ୍କୁ ଆଶ୍ୱସ୍ତି ମିଳିବ ବୋଲି ପ୍ରଶାସନ ଆଶା ପ୍ରକାଶ କରିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: