Videos
|
Odisha

FloodAlert / ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ବିପତ୍ତି…ଉପରମୁଣ୍ଡରେ ବର୍ଷା ପରେ ଫୁଲୁଛି ନଦୀ

Ritu Das
Browse all articles by Ritu Das
·1 hour ago·2 min read
ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ବିପତ୍ତି…ଉପରମୁଣ୍ଡରେ ବର୍ଷା ପରେ ଫୁଲୁଛି ନଦୀ
Flood

Key Points

ଲଗାଣ ବର୍ଷା ଫଳରେ ଉତ୍ତର ଓଡ଼ିଶାର ସ୍ଥିତି ଗମ୍ଭୀର ହେବାରେ ଲାଗିଛି
ଲଗାଣ ବର୍ଷା ଫଳରେ ଉତ୍ତର ଓଡ଼ିଶାର ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଂକେତ ଅତିକ୍ରମ କରିଥିବାବେଳେ ବୁଢ଼ାବଳଙ୍ଗ ଓ ଜଳକାର ଜଳସ୍ତର ହ୍ରାସ ପାଇଛି। ବସ୍ତା ତହସିଲ କାଦରାୟା ଗାଁ ପାର୍ଶ୍ବରେ ୨୦ ଫୁଟ ଓସାରରେ ସୁବର୍ଣ୍ଣରେଖା ନଦୀ ବନ୍ଧ ଦବିଯିବାରୁ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ହୋଇଛନ୍ତି। ରାଜଘାଟରେ ସୁବର୍ଣ୍ଣରେଖାନଦୀର ସତର୍କ ସଙ୍କେତ ୯.୫ ମିଟର ଥିବାବେଳେ, ସକାଳ ୧୦ଟା ସୁଦ୍ଧା ଏହା ୧୦.୧୨ ମିଟର ଉପରେ ପ୍ରବାହିତ ହେଉଛି। ବୁଢ଼ାବଳଙ୍ଗରେ ଜଳସ୍ତର ୭.୬୪ ମିଟର ଓ ଜଳକାରେ ୬.୯୮ ମିଟରରେ ପ୍ରବାହିତ ହେଉଛି। ତଳିଆ ଅଞ୍ଚଳରେ ଏବେ ବି ଲଗି ରହିଛି ଜଳବନ୍ଦୀ ସମସ୍ୟା। ଚାନ୍ଦବାଲି ବ୍ଲକରେ ଦ୍ବିତୀୟ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଆରଡ଼ି, ନାନ୍ଦପୁର, ସୁନ୍ଦରପୁର ଓ ଓଳଗ ପଞ୍ଚାୟତର ୩୦ରୁ ଅଧିକ ଗାଁ ପାଣି ଘେରରେ ରହିଛି। ଏନ୍‌ଏଚ୍‌-୨୦ର ବୋଡ଼କ ରାସ୍ତା ଉପରେ ପ୍ରାୟ ୫ ଫୁଟ୍‌ର ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ଠପ୍ ହୋଇଛି।

ଯାଜପୁରରେ ଏପଟେ ବୈତରଣୀର ଚତୁର୍ଥ ବନ୍ୟା ଆସିବା ଫଳରେ ଲୋକଙ୍କ ସମସ୍ୟା ବଢ଼ିଛି। ବଲ୍ଲଭିଘାଟ ଓ ଦଶରଥପୁରରେ ବିପଦ ସଂକେତ ଉପରେ ପାଣି ପ୍ରବାହିତ ହେଉଛି। ଦଶରଥପୁର ଡୋଭାବିଲ ପାଟଣାରେ ପୂର୍ବ ବନ୍ୟାରେ ସୃଷ୍ଟି ହୋଇଥିବା ଘାଇକୁ ବନ୍ଦ କରିବାକୁ ପ୍ରଶାସନ ଚେଷ୍ଟା କରିଥିଲେ ମଧ୍ୟ, ଘାଇ ଉପର ଦେଇ ପାଣି ଗାଁ ଭିତରକୁ ପ୍ରବେଶ କରୁଛି। ପ୍ରାୟ ୧୫ଟି ପଞ୍ଚାୟତ ବନ୍ୟା ପାଣିରେ ବୁଡ଼ି ରହିଥିବାବେଳେ ଗାଁ ଦାଣ୍ଡରେ ଲହଡ଼ି ମାରୁଛି ପାଣି। ଅନେକ ପରିବାର ବନ୍ଧ ଉପରେ, ଆଶ୍ରୟସ୍ଥଳୀ ଓ ଘର ଛାତ ଉପରେ ଜୀବନ କାଟୁଛନ୍ତି। ଘରେ ପାଣି ପଶିଥିବାବେଳେ ଚାଷଜମିରେ ପାଣି ଜମି ରହିବା ଫଳରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ଫସଲ।

ସେପଟେ ଭଦ୍ରକର ଭଣ୍ଡାରିପୋଖରୀ ବ୍ଲର ମାଳଦା, ଷୋଳମପୁର, ଝୁଂଟୁନା, ବନ୍ଦାଳ ମଢିଆଳି, ନପଙ୍କ, ରହଣିଆ, ବାଲି ପୋଖରୀ ଆଦି 7 ଟି ପଞ୍ଚାୟତ ଜଳାର୍ଣ୍ଣବ ହୋଇଥିଲା ବେଳେ ଆଜି ଭଣ୍ଡାରିପୋଖରୀ ଓ ଧାମନଗର ଦୋବଲ ଅଞ୍ଚଳର କିଛି ସ୍ଥାନରେ ବନ୍ୟା ପାଣି ମାଡ଼ିଛି । ଧାମନଗର ଧୂଷୁରୀ ଅଞ୍ଚଳରେ ବନ୍ୟା ସଙ୍କଟ ବଢ଼ିବା ସହ ପାଖାପାଖି ୨୦ଟି ପଞ୍ଚାୟତ ପାଣିଘେରରେ ରହିଛି । ଭଦ୍ରକରୁ ଆଖଣ୍ଡଳମଣିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ବିଭିନ୍ନ ସ୍ଥାନରେ ପାଣି ସ୍ରୋତ ଚାଲିଥିବା ଦେଖିବାକୁ ମିଳିଛି । ବହୁ ଗାଁ ଜଳବନ୍ଦୀ ସ୍ଥିତିରେ ରହିଛି।

(ଢେଙ୍କାନାଳ) ଅନ୍ୟପଟେ ରେଙ୍ଗାଳୀ ଜଳଭଣ୍ଡାରରୁ ପାଣି ଛାଡ଼ିବା ପରେ ବ୍ରାହ୍ମଣୀ ଓ ରାମିଆଳ ନଦୀ କୂଳ ଲଙ୍ଘିଛି । ଫଳରେ ଭୁବନ ବ୍ଲକ ଭୁଷଳ ପଞ୍ଚାୟତ ଜୟପୁର ଗ୍ରାମ ପାଣିଘେରରେ ରହିଛି । ରାସ୍ତା ଉପରେ ୪ ଫୁଟ୍ ପାଣି ଚାଲୁଥିବା ବେଳେ କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା ବୋଟ୍ ଯୋଗେ ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବା ସହ ଗାଈଗୋରୁଙ୍କ ଖାଦ୍ୟ ଓ ନୂତନ ଡଙ୍ଗା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ବନ୍ୟା ବିପନ୍ନଙ୍କ ପାଇଁ ଚିନ୍ତା ବଢ଼ାଇଛି ପାଣିପାଗ ବିଭାଗର ପୂର୍ବାନୁମାନ। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସମୁଦ୍ର ପତନଠାରୁ ୫.୮ ରୁ ୭.୬ କିଲୋମିଟର ଉଚ୍ଚତା ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷକରି ଉତ୍ତର-ଉପକୂଳବର୍ତ୍ତୀ ଓ ଏହାର ପାଶ୍ବବର୍ତ୍ତୀ ଆଭ୍ୟନ୍ତରୀଣ ୧୫ଟି ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ସମ୍ଭାବନା ରହିଛି। ପ୍ରଶାସନ ପକ୍ଷରୁ ସମସ୍ତ ସ୍ଥାନରେ ତତ୍ପରତା ଜାରି ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories