ରାଜ୍ୟ ସରକାର କହିଲେ ରାଜ୍ୟରେ ନାହିଁ ସାର ସଙ୍କଟ

Key Points
ସରୁନି ସାର ସମସ୍ୟା । ଏବେ ବି ୟୁରିଆ ପାଉନାହାନ୍ତି ଚାଷୀ । ଦେଖନ୍ତୁ କେମିତି ସାର ପାଇଁ ରାସ୍ତା ଉପରେ ଧାଡି ବାନ୍ଧିଛନ୍ତି ଆଧାର କାର୍ଡ ଆଉ ବ୍ୟାଗ।
ସରୁନି ସାର ସମସ୍ୟା । ଏବେ ବି ୟୁରିଆ ପାଉନାହାନ୍ତି ଚାଷୀ । ଦେଖନ୍ତୁ କେମିତି ସାର ପାଇଁ ରାସ୍ତା ଉପରେ ଧାଡି ବାନ୍ଧିଛନ୍ତି ଆଧାର କାର୍ଡ ଆଉ ବ୍ୟାଗ । ଏ ହେଉଛି ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ନରେନ୍ଦ୍ର ପଞ୍ଚାୟତର ଘଟଣା। ସାର ନଥିବାରୁ ପୂର୍ବରୁ ବାରମ୍ବାର ନିରାଶ ହୋଇ ଫେରିଥିଲେ ଚାଷୀ । ତେବେ ବୁଧବାର ଦିନ ୨୦୦ ବସ୍ତା ସାର ଆସିଛି ବୋଲି ଖବର ପାଇ ଆଜି ଲାମ୍ପସ୍ ଆଗରେ ଭିଡ ଜମାଇଛନ୍ତି ସ୍ଥାନୀୟ ଚାଷୀ । ଟିଟିଲାଗଡ଼ର ସଇଁତଲା, ଗୁଡ଼ଭେଳାର ସମବାୟ ସମିତିରେ ସାର ପାଇଁ ସକାଳୁ ସନ୍ଧ୍ୟା ଯାଏ ସଂଘର୍ଷ କରୁଛନ୍ତି ଚାଷୀ। ଗତକାଲି ସଇଁତଲା ପାକ୍ସରେ ତାଲା ପକାଇଥିଲେ ଚାଷୀ । କିଛି ଅସାଧୁ ପାକ୍ସ ସଂପାଦକଙ୍କ ମଧୁଚନ୍ଦ୍ରିକା ଯୋଗୁଁ ୟୁରିଆ ସାର ବାଟ ମାରଣା ହେଉଥିବା ଅଭିଯୋଗ ଆଣିଛନ୍ତି ଚାଷୀ।
ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଗେରେଜା ସମବାୟ ସମିତିର କଥା ମଧ୍ୟ ନଜରକୁ ଆସିଛି।୧୫୦ ବସ୍ତା ସାର ପାଇଁ ପ୍ରାୟ ୩୦୦ରୁ ଅଧିକ ଚାଷୀ ଅପେକ୍ଷା କରି ରହିଛନ୍ତି । ଏପରିକି କାଳେ ଗଣ୍ଡଗୋଳ ପରିସ୍ଥିତି ହେବ, ସେଥିପାଇଁ ପୋଲିସ ଉପସ୍ଥିତିରେ ସାର ବଣ୍ଟନ କରାଯାଉଛି । ସାର ପାଇଁ କିଛି ସ୍ଥାନରେ ରାସ୍ତାକୁ ଓହ୍ଲାଇଥିଲେ ଚାଷୀ। ସେପଟେ ରାଜ୍ୟରେ ସାର ଯୋଗାଣ ସ୍ଥିତର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତ ଜିଲ୍ଲାରେ ଥିବା PACS ଏବଂ LAMPCS ଜରିଆରେ ସାର ଆବଣ୍ଟନ କାର୍ଯ୍ୟକୁ ମନିଟରିଂ କରିବାକୁ ସବୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି କଡା ନିର୍ଦ୍ଦେଶ।ଏହାସହ ନକଲି ସାର କିମ୍ବା କଳାବଜାରୀ ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରୁ ଜଣାପଡିଛି ଯେ ରାଜ୍ୟରେ ସାର ର କୌଣସି ଅଭାବ ନାହିଁ । ସମସ୍ତ ଜିଲ୍ଲାରେ ଆବଶ୍ୟକତା ଅନୁଯାୟୀ ସାର ଆବଣ୍ଟନ ଚାଲିଛି ।
📱 Get Argus News App
✨୨୦୨୫ ଖରିଫ ଋତୁରେ ସେପ୍ଟେମ୍ବର ୩୦ ସୁଦ୍ଧା ସମୁଦାୟ ୯ ଲକ୍ଷ ୫୫ ହଜାର ମେଟ୍ରିକ ଟନ ସାର ଆବଶ୍ୟକ ଥିବା ବେଳେ କେନ୍ଦ୍ର ସରକାର ସମ ପରିମାଣର ସାର ଯୋଗାଇ ଦେଇଛନ୍ତି । ଆବଶ୍ୟକ ହେଲେ ରାଜ୍ୟ ସରକାର ଅଧିକ ସାର ପାଇଁ କେନ୍ଦ୍ରକୁ ଅନୁରୋଧ କରିବେ । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପାଖରେ ମହଜୁଦ ଥିବା ୧୧ ଲକ୍ଷ ୬୬ ହଜାର ୭୩୩ ମେଟ୍ରିକ ଟନ ସାର ମଧ୍ୟରୁ ୯ ଲକ୍ଷ ୮୫ ହଜାର ୯୬୭ ମେଟ୍ରିକ ଟନ ସାର ବିକ୍ରି ହୋଇସାରିଛି । ଏଠି ପ୍ରଶ୍ନ, ଯଦି ଆବଶ୍ୟକତା ଠାରୁ ଅଧିକ ସାର ଅଛି ତେବେ ରାସ୍ତାକୁ କାହିଁକି ଓହ୍ଲାଉଛି ଚାଷୀ ? କଳାବଜାରୀ ଯୋଗୁଁ ସୃଷ୍ଟି ହୋଇଛି କି କୃତ୍ରିମ ଅଭାବ ?