Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା: ରାଜ୍ୟରେ ଅଘୋଷିତ ବିଜୁଳି କାଟ୍‌ କରାଯିବ ନାହିଁ

Ritu Das
Browse all articles by Ritu Das
·1 year ago·2 min read
ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା: ରାଜ୍ୟରେ ଅଘୋଷିତ ବିଜୁଳି କାଟ୍‌ କରାଯିବ ନାହିଁ

ରାଜ୍ୟରେ ଦିନକୁ ଦିନ ଖରାର ପ୍ରକୋପ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେଷକରି ଖରାଦିନରେ ବିଜୁଳି କାଟ୍‌ ସମସ୍ୟା ଲୋକଙ୍କୁ କଲବଲ କରିଥାଏ। ତେବେ ବିଜୁଳି କାଟ୍‌କୁ ନେଇ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଜ୍ୟରେ ଅଘୋଷିତ ବିଜୁଳି କାଟ୍‌ କରାଯିବ ନାହିଁ। ସୂଚନାଯୋଗ୍ୟ, ମଙ୍ଗଳବାର ଲୋକସେବା ଭବନରେ ଗ୍ରୀଷ୍ମ ମୁକାବିଲା ସମୀକ୍ଷା ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ନିଆଯାଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏଥିରେ ଖରାଦିନେ ବିଦ୍ୟୁତ୍‌ କାଟ୍‌ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୂର୍ବାହ୍ନ୧୧ଟାରୁ ୫ଟା ଏବଂ ରାତି ୯ରୁ ସକାଳ ୬ଟା ପର୍ଯ୍ୟନ୍ତ ଯେପରି ବିଦ୍ୟୁତ କାଟ୍‌ ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ସେ ଶକ୍ତି ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।


ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଯେପରି ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ। କାଳବୈଶାଖୀ ସମୟରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ନ ହେବା ପାଇଁ ଆଗୁଆ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସଭା, ସମିତି ଗୁଡ଼ିକୁ ପିକ୍‌ ଟାଇମ୍‌ରେ ଅନୁମତି ନ ଦେଇ ସକାଳେ ଓ ମଧ୍ୟାହ୍ନରେ କରିବା ପାଇଁ ସେ କହିଥିଲେ। ଏମ୍‌ପି ଓ ବିଧାୟକମାନଙ୍କୁ ଏ ବିଷୟରେ ଅବଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥିସହିତ ଖରାଦିନେ ଗ୍ରାମାଞ୍ଚଳରେ ନିଆଁ ଲାଗିବାର ସମ୍ଭାବନା ଥିବାରୁ ଅଗ୍ନିଶମ ବିଭାଗ ସଜାଗ ରହିବାକୁ ସେ କହିଥିଲେ । ଗ୍ରାମାଞ୍ଚଳରେ ଗ୍ରୀଷ୍ମଜନିତ ସମସ୍ୟାର ନିରାକରଣ ପାଇଁ ସରକାରୀ ଅଧିକାରୀମାନଙ୍କୁ କ୍ଷେତ୍ରକୁ ପଠାଇବା ସହିତ ଜିଲାପାଳମାନେ ନିଜେ ମଧ୍ୟ ଏ କ୍ଷେତ୍ରରେ ସଂଶ୍ଳିଷ୍ଟ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି, ଜିଲାସ୍ତରରେ ହେଉଥିବା ଅଭିଯୋଗ ପ୍ରକୋଷ୍ଠର ଶୁଣାଣି ସମୟ ପରିବର୍ତ୍ତନ କରି ସକାଳ ୭ଟାରୁ ୧୦ଟା ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍‌ କମିଶନର ଦେଓ ରଞ୍ଜନ କୁମାର ସିଂହ ଗ୍ରୀଷ୍ମ ପ୍ରବାହ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
odisha-governments-big-announcement-there-will-be-no-unannounced-power-cuts-in-the-state | Argus News