ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ନୂଆ ନିର୍ଦ୍ଦେଶାବଳୀ ଆଣିବେ ରାଜ୍ୟ ସରକାର

ଭୁବନେଶ୍ଵର: ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ମିଳିବ । ଅର୍ଥ ରାଶି ଫେରସ୍ତ ପ୍ରକ୍ରିୟାକୁ ସରକାର ସରଳୀକରଣ କରିବା ପାଇଁ ଏକ ନୂତନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛନ୍ତି । ଏହାଦ୍ଵାରା ଅର୍ଥ ଫେରସ୍ତ ପ୍ରକ୍ରିୟା ତ୍ଵରିତ ହେବ ବୋଲି ବିଧାନସଭାରେ ଲିଖିତ ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ସେମାନଙ୍କ ଜମାରାଶି ଫେରସ୍ତ କରିବା ପାଇଁ ସରକାର ତ୍ଵରିତ ପଦକ୍ଷେପ ନେଉଛନ୍ତି ।
ଫେରସ୍ତ ପ୍ରକ୍ରିୟା ତ୍ଵରାନ୍ଵିତ କରିବା ପାଇଁ ସରକାର ପ୍ରକ୍ରିୟାକୁ ସରଳୀକରଣ ଏବଂ ବିକେନ୍ଦ୍ରୀକରଣ କରି ପ୍ରତ୍ୟେକ ଜିଲ୍ଲାକୁ କ୍ଷତିଗ୍ରସ୍ତ ଜମାକାରୀଙ୍କ ଜମା ରାଶି ଫେରସ୍ତ କରିବା ପାଇଁ ଅଧିକୃତ କରିଛନ୍ତି । ତଦନ୍ତ କମିଶନ ୭ ଗୋଟି ଅନ୍ତରୀଣ ରିପୋର୍ଟ ସରକାରଙ୍କ ନିକଟରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଉପସ୍ଥାପନ କରିଥିଲେ ।
୪, ୭୨, ୬୫୧ ଜଣ ଜମାକାରୀଙ୍କୁ ଅର୍ଥ ଫେରସ୍ତ ପାଇଁ ସୁପାରିସ୍ କରିଥିଲେ ତଦନ୍ତ କମିଶନ । ସେଥିରୁ ବର୍ତ୍ତମାନ ସୁଦ୍ଧା ୯୬, ୪୭୪ ଜଣ କ୍ଷୁଦ୍ର ଜମାକାରୀଙ୍କୁ ୪୫, ୬୯, ୩୬, ୮୩୩ ଟଙ୍କା କର୍ପସ ପାଣ୍ଠିରୁ କ୍ଷତିପୂରଣ ଆକାରରେ ସରକାର ଜମକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରିଛନ୍ତି । ଅବଶିଷ୍ଟ ଜମାକାରୀଙ୍କ ଟଙ୍କା ଫେରସ୍ତ ଲାଗି ସରକାର ତ୍ଵରିତ ପଦକ୍ଷେପ ନେଉଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଏତଦବ୍ୟତୀତ, ଅତିରିକ୍ତ ଜିଲ୍ଲାପାଳ ଓ କ୍ଷମତାସମ୍ପର୍ଣ୍ଣ ପ୍ରାଧିକାରୀ, କଟକଙ୍କ ଦ୍ଵାରା ପ୍ରକୃତ ଜମାକାରୀମାନଙ୍କୁ ଚିହ୍ନଟ ପାଇଁ ଆହ୍ଵାନ କରାଯାଇଥିବା ଦରଖାସ୍ତରୁ ରୋଜ୍ ଭ୍ୟାଲି ଗ୍ରୁପ୍ ଅଫ୍ କମ୍ପାନୀରେ ୨, ୩୮, ୪୭୭ ଜଣ କ୍ଷୁଦ୍ର ଜମାକାରୀ ଏବଂ ଗୋଲଡେନ୍ ଲ୍ୟାଣ୍ଡ ଡେପଲପର୍ସ ଗ୍ରୁପ୍ ଅଫ୍ କମ୍ପାନୀରେ ୨, ୯୭, ୫୨୫ ଜଣ କ୍ଷୁଦ୍ର ଜମାକାରୀ ଚିହ୍ନଟ ହୋଇଛନ୍ତି ।
📱 Get Argus News App
✨
ନ୍ୟାୟାଳୟଙ୍କ ଆଦେଶ ଅନୁସାରେ, ରୋଜ୍ ଭ୍ୟାଲି ଗ୍ରୁପ୍ ଅଫ୍ କମ୍ପାନୀର ବ୍ୟାଙ୍କରୁ ଜବତ ଅର୍ଥରପ ୧, ୮୨, ୧୫୫ ଜଣ କ୍ଷୁଦ୍ର ଜମାକାରୀଙ୍କୁ ୬୫, ୩୫, ୯୨, ୪୭୬ ଟଙ୍କା ଫେରସ୍ତ କରାଯାଇଛି । ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ଗ୍ରୁପ୍ ଅଫ୍ କମ୍ପାନୀର ସମ୍ପତ୍ତି ନିଲାମ ଏବଂ ବ୍ୟାଙ୍କରୁ ଜବତ ହୋଇଥିବା ଅର୍ଥକପ ୨୪, ୮୨୫ ଜଣ କ୍ଷୁଦ୍ର ଜମାକାରୀଙ୍କୁ ୮, ୫୨, ୬୪, ୦୧୨ ଟଙ୍କା ଫେରସ୍ତ କରାଯାଇଛି ।