ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାରେ ଥିଲା ଶିଳ୍ପ ମରୁଡ଼ି

Key Points
ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାରେ ଥିଲା ଶିଳ୍ପ ମରୁଡ଼ି
ଓଡିଶାରୁ ଆରମ୍ଭ ହେବ ଶିଳ୍ପ ବିପ୍ଳବ
CII ନ୍ୟାସନାଲ୍ କାଉନସିଲ୍ ଅଧିବେଶନରେ ହେଲା ମାନସ ମନ୍ଥନ
ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ରାଜ୍ୟର ଶିଳ୍ପ ସମ୍ଭାବନା ନେଇ କଲେ ବ୍ୟାଖା
ଆସନ୍ତାକାଲି ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଠୁ ଆରମ୍ଭ ହେବାକୁ ଯାଉଛି ଓଡିଶାର ଶିଳ୍ପ ମହାକୁମ୍ଭ ଉତ୍କର୍ଷ ଓଡିଶା । ଜନତା ମଇଦାନରେ ଜମିବ ବଡ ବଡ ଶିଳ୍ପ ପତିଙ୍କ ଆସର । କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ୱେବସାଇଟ ଜରିଆରେ ପାଖାପାଖି 7500 ଜଣ ଶିଳ୍ପ ପ୍ରତିନିଧି ନାଁ ପଞ୍ଜିକରଣ କରିଛନ୍ତି । ସରକାରଙ୍କ କହିବା ଅନୁଯାୟୀ ମହାକୁମ୍ଭରେ 16 ଟି ଦେଶର କୁଟନୈତିଜ୍ଞ ଏବଂ ପ୍ରତିନିଧି ଯୋଗ ଦେବେ । ଶିଳ୍ପପତି ଏସ୍ ଏଲ ମିତଲ, ଓମ ମଙ୍ଗଲମ ବିର୍ଲା, ଅନୀଲ ଅଗ୍ରୱାଲ, ହିତେଶ ଯୋଶୀ, ଟି ବି ନରେନ୍ଦ୍ରନ, କରଣ ଆଦାନୀ, ନବୀନ ଜିନ୍ଦଲ, ସଜ୍ଜନ ଜିନ୍ଦଲ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଆଜି ପ୍ରାକ୍ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଅଂଶ ସ୍ବରୂପ ହେବ CII ନ୍ୟାସନାଲ୍ କାଉନସିଲ୍ ଅଧିବେଶନ ।
ଚଳିତ ଥର ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଆଇଟି, ଅକ୍ଷୟ ଶକ୍ତି, ବୟନ, କେମିକାଲ, ଫୁଡ ପ୍ରସେସିଂ ଭଳି ୫ଟି କ୍ଷେତ୍ରକୁ ଫୋକସ କ୍ଷେତ୍ର ଭାବେ ଚୟନ କରାଯାଇଛି । ସେହିପରି ଅଷ୍ଟ୍ରେଲିଆ, ମ୍ୟାଲେସିଆ, ଜାପାନ, ଜର୍ମାନୀ, ପୋଲାଣ୍ଡ, କ୍ୟୁବା ଭଳି 12ଟି ରାଷ୍ଟ୍ର 'କଣ୍ଟ୍ରି ଅଫ ଫୋକସ' ରହିବାକୁ ନିମନ୍ତ୍ରଣ ହୋଇଛନ୍ତି । ଆସନ୍ତାକାଲି ପୂର୍ବାହ୍ନ 11 ଟାରେ ଉଦଘାଟନ ହେବ ଉତ୍କର୍ଷ ଓଡ଼ିଶା କନକ୍ଲେଭ । କନକ୍ଲେଭର 2 ଦିନରେ ବିଭିନ୍ନ କ୍ଷେତ୍ର ପାଇଁ ଅନୁଷ୍ଠିତ ହେବ 15ଟି ସ୍ଵତନ୍ତ୍ର ଅଧିବେଶନ । ପ୍ରଥମ ଦିନରେ 5ଟି ଓ ଦ୍ଵିତୀୟ ଦିନରେ 10ଟି ଅଧିବେଶନ ଅନୁଷ୍ଠିତ ହେବ । ଜାନୁଆରୀ 28-29 ଦୁଇ ଦିନ ଧରି 4ଟି ପ୍ଲେନାରି ସେସନ, 16ଟି ସେକ୍ଟରାଲ ସେସନ ଓ 4ଟି ଗୋଲଟେବୁଲ ବୈଠକ ରହିଛି । ଶିଳ୍ପ ମନ୍ତ୍ରୀ କହିଛନ୍ତି ବିଗତ ଦୁଇ ଦଶନ୍ଧି ଧରି ଶିଳ୍ପ ମରୁଭୂମି ପାଲଟି ଥିଲା ଓଡ଼ିଶା । ଶିଳ୍ପ ଭାଗିରଥି ସାଜି ଶିଳ୍ପ ପତି ମାନଙ୍କୁ ଧରି ଓଡ଼ିଶା ପ୍ରଥମ ଥର ପାଇଁ ଆସିବେ ମୋଦି । ମୋଦି ଙ୍କ ପଛେ ପଛେ ବହିବ ଶିଳ୍ପର ଗଙ୍ଗା ।
ନୂଆ ସରକାର ଆସିବାର 7 ମାସ ମଧ୍ୟରେ 159 ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ମୋହନ ସରକାର । ଏଥିରେ 2 ଲକ୍ଷ 75 ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଓଡ଼ିଶାକୁ ଆସିଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି 2 ଲକ୍ଷ 15 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ନିକଟରେ ସିଙ୍ଗାପୁର ସହିତ ଓଡିଶା ସରକାର ସବୁଜ ଶକ୍ତି, ଶିଳ୍ପ ଭିତ୍ତିଭୂମି ଏବଂ ଦକ୍ଷତା କ୍ଷେତ୍ରରେ 8ଟି ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି । ତେବେ ଚଳିତ ଇନଭେଷ୍ଟର୍ସ ମିଟ୍ରେ 5 ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଆସିବାର ଆଶା ରଖିଛନ୍ତି ସରକାର । ଯାହା ଫଳରେ ରାଜ୍ୟରେ 3.5 ଲକ୍ଷରୁ ଅଧିକ ନିଯୁକ୍ତି ସମ୍ଭାବନା ମଧ୍ୟ ସୃଷ୍ଟି ହୋଇପାରିବ । ଏହି କାର୍ଯ୍ୟକ୍ରମରେ 100ରୁ ଅଧିକ ନିବେଶକ ଚୁକ୍ତି ସ୍ବାକ୍ଷର କରିବାର ସମ୍ଭାବନା ରହିଛି ।