Odisha Flood / ଲଗାଣ ବର୍ଷାରେ ବେହାଲ ଓଡ଼ିଶା, ପୁଣି ଲଘୁଚାପ ଆଶଙ୍କାରେ ବଢ଼ିଲା ଚିନ୍ତା

Key Points
ଲଗାଣ ବର୍ଷାରେ ବେହାଲ ଓଡ଼ିଶା ଭଦ୍ରକ-ଯାଜପୁରରେ ବନ୍ୟା ତାଣ୍ଡବ ।
ବୈତରଣୀ-ବ୍ରାହ୍ମଣୀରେ ବନ୍ୟା ଆତଙ୍କ ଶତାଧିକ ଗାଁ ପାଣିଘେରରେ ।
ବନ୍ୟା ଛାଡ଼ୁନି ପଛ ପୁଣି ଲଘୁଚାପ ଆଶଙ୍କାରେ ବଢ଼ିଲା ଚିନ୍ତା ।
ଲଘୁଚାପ ପରେ ଲଘୁଚାପ... ଆସନ୍ତା ସପ୍ତାହରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ଯାହାର ପ୍ରଭାବରେ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ । ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ଉତ୍ତର ଓ ଉପକୂଳ ଓଡ଼ିଶାରେ ବନ୍ୟା ଲାଗି ରହିଥିବା ବେଳେ ପୁଣି ଲଘୁଚାପ ହେଲେ ସ୍ଥିତି ଆହୁରି ଗମ୍ଭୀର ହେବ ବୋଲି ଆଶଙ୍କା କରାଯାଉଛି । ବର୍ତ୍ତମାନର ଅବପାତ ଝାଡ଼ଖଣ୍ଡ ଉପରେ ରହିଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଝାଡ଼ଖଣ୍ଡ ଓ ବିହାର ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି ଜାରି ରଖିବା ସହିତ ଦୁର୍ବଳ ହେବ ।
ସେପଟେ ଭଦ୍ରକ ଜିଲ୍ଲାରେ ବି ସ୍ଥିତି ବେହାଲ ! ଜିଲ୍ଲାର ୪ ବ୍ଲକର ୧୪୯ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି । ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଭଣ୍ଡାରିପୋଖରୀ ଓ ତିହିଡ଼ି ବ୍ଲକର ଅନେକ ଗାଁ ଜଳବନ୍ଦୀ ହୋଇଛି । ସାଳନ୍ଦୀ ନଦୀରେ ବନ୍ୟା ଆସିବା ଯୋଗୁଁ ରାଜାମୁକୁନ୍ଦପୁର ଓ ମାତଗଜପୁର ବ୍ରିଜ୍ ଉପରେ ୪ ଫୁଟର ପାଣି ଚାଲୁଛି ।
ସେହିପରି ଲଗାଣ ବର୍ଷାରେ ବାସୁଦେବପୁର ପୌରପାଳିକା ଅଞ୍ଚଳରେ କାନ୍ଥ ଭାଙ୍ଗି ଏକାଧିକ ପରିବାର ବେସାହାରା ହୋଇପଡ଼ିଛନ୍ତି । ବୈତରଣୀ ନଦୀର ପଞ୍ଚମ ବନ୍ୟା ଜଳ, କଣ୍ଟି ଏସ୍କକେଫ ଦେଇ ଜନବସତିକୁ ପ୍ରବେଶ କରିଛି । ଏହି ବନ୍ୟା ପାଣିରେ ଭଣ୍ଡାରିପୋଖରୀ ବ୍ଲକରେ ବିଶେଷ କରି ଷୋଳମପୁର, ମାଳଦା, ନପଙ୍ଗ, ରହଣିଆ, କୁରୀଗାଁ, ବନ୍ଦାଳ, ମାଢିଆଳି ପଞ୍ଚାୟତର ଅନେକ ଗାଁ ଜଳମଗ୍ନ ହେଇଛି । ଷୋଳମପୁରରେ ରାସ୍ତା ଉପରେ ବନ୍ୟା ପାଣି ଚାଲୁଥିବିରୁ ଭଦ୍ରକ-ଯାଜପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି ।
ବିପଦ ସଂକେତ ଉପରେ ବୈତରଣୀ ସେପଟେ ବ୍ରାହ୍ମଣୀରେ କମୁଛି ବନ୍ୟା ପାଣି । ଆଖୁଆପଦାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ । ସେହିପରି ବ୍ରାହ୍ମଣୀ ନଦୀର ଜେନାପୁର ଠାରେ ବିପଦ ସଙ୍କେତ ତଳେ ରହିଛି । ଉଭୟ ନଦୀ ଏବଂ ସେମାନଙ୍କ ଶାଖା ନଦୀର ପ୍ରଭାବରେ ବରୀ ଏବଂ ଦଶରଥପୁର ବ୍ଲକର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇରହିଛି । ବ୍ରାହ୍ମଣୀ ଏବଂ ଖରସ୍ରୋତା ପ୍ରଭାବରେ ବରୀ ବ୍ଲକର ପ୍ରାୟ ସମସ୍ତ ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ ଶତାଧିକ ଗାଁରେ ବନ୍ୟାର ପ୍ରକୋପ ଦେଖିବାକୁ ମିଳିଛି ।
ସେହିପରି ଦଶରଥପୁର ବ୍ଲକରେ ୨୦ରୁ ଅଧିକ ପଞ୍ଚାୟତର ୭୦ରୁ ଅଧିକ ଗାଁ ପାଣିଘେରରେ ରହିଛି । ଘାଇ ମୁହଁ ଦେଇ ପାଣିର ପ୍ରଖର ସ୍ରୋତରେ ଗାଁ ଗଣ୍ଡାରେ ପ୍ରବେଶ କରିଛି । ବ୍ୟାପକ ଚାଷଜମି ଜଳମଗ୍ନ ହୋଇରହିଛି। ଫଳରେ ଧାନ ଓ ପନିପରିବା ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ଥଇଥାନ ସହିତ ରିଲିଫ କାର୍ଯ୍ୟ ମଧ୍ୟ ଜାରି ରହିଛି । ଉଭୟ ବ୍ଲକରେ ଜଳସମ୍ପଦ ବିଭାଗ ସହିତ ନୋଡାଲ ଟିମ, ଉଦ୍ଧାରକାରୀ ଦଳ ଓ ସ୍ୱାସ୍ଥ୍ୟ ଟିମ ପକ୍ଷରୁ ବ୍ୟାପକ ତତ୍ପରତା ପ୍ରକାଶ ପାଇଛି।
📱 Get Argus News App
✨Related Topics
Explore more stories