School Closed / ଓଡ଼ିଶାରେ ବର୍ଷାର ତାଣ୍ଡବ... ୩ ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି

Key Points
ଓଡ଼ିଶାରେ ବର୍ଷାର ତାଣ୍ଡବ, ଅରେଞ୍ଜ-ୟେଲୋ ଆଲର୍ଟ ଜାରି
ଯାଜପୁରରେ ବନ୍ୟା ସ୍ଥିତି ଗମ୍ଭୀର, ୨.୮୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ
ବର୍ଷା-ବନ୍ୟାରେ ବେହାଲ ଓଡ଼ିଶା, ୨୭୦ ଗାଁ ପ୍ରଭାବିତ; ଉଦ୍ଧାର କାର୍ଯ୍ୟ ଜୋରଦାର
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା...ବିଭିନ୍ନ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି... ପ୍ରବଳ ବର୍ଷା ଯୋଗୁଁ ୩ ଜିଲ୍ଲାରେ ସ୍କୁଲ ଛୁଟି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସୁନ୍ଦରଗଡ଼,ଯାଜପୁର ଏବଂ ଭଦ୍ରକର ୨୬୮ଟି ସ୍କୁଲ୍ ଓ ୫ଟି ବ୍ଲକ୍ର ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ।
ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସଂଲଗ୍ନ ଅଞ୍ଚଳରେ ଅବପାତ ସକ୍ରିୟ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଝାଡ଼ଖଣ୍ଡ ଓ ବିହାର ଅତିକ୍ରମ କରିବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଓ ବଲାଙ୍ଗିର, ସୁବର୍ଣ୍ଣପୁର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଜାରି ହୋଇଛି ୟେଲୋ ଆଲର୍ଟ । ରାଜ୍ୟରେ ୨୨ ତାରିଖ ଯାଏଁ ବର୍ଷା ଜାରି ରହିବ ।
ଓଡ଼ିଶା ଉପକୂଳରେ ମେଘୁଆ ପାଗ ସହ ୪୫ରୁ ୫୫ କିମି ବେଗରେ ପବନ, ଏପରିକି ସର୍ବାଧିକ ୬୫ କିମି ବେଗରେ ପବନ ବହିବାର ସମ୍ଭାବନାକୁ ନେଇ ସମୁଦ୍ର ଅସାନ୍ତ ରହିବ । ତେଣୁ ଆଜି ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।
ସେପଟେ ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି । ବୈତରଣୀ ଓ ଏହାର ଶାଖା କାଣୀ ନଦୀରେ ଘାଇ ସୃଷ୍ଟି ହେବା ପରେ ବନ୍ୟାଜଳ ବିଭିନ୍ନ ଅଞ୍ଚଳରେ ପ୍ରବେଶ କରିଛି । ଦଶରଥପୁର ବ୍ଲକ୍ ତରପଦା ପଞ୍ଚାୟତ ପାଟଣା ନିକଟରେ କାଣୀ ନଦୀ ଏବଂ ବିଞ୍ଝାରପୁର ବ୍ଲକ୍ ଜରୀ ପଞ୍ଚାୟତ ନାଉଁବାଙ୍କ ନିକଟରେ ଖରସ୍ରୋତା ନଦୀର ଘାଇ ଦେଇ ହୁ ହୁ ହୋଇ ବନ୍ୟା ପାଣି ମାଡ଼ିଆସୁଛି ।
ଏହି ବନ୍ୟାରେ ଜିଲ୍ଲାର ୧୦ଟି ବ୍ଲକ୍ - ଦଶରଥପୁର, ବିଞ୍ଝାରପୁର, ବରୀ, ଯାଜପୁର, କୋରେଇ, ଧର୍ମଶାଳା, ରସୁଲପୁର, ବଡ଼ଚଣା, ଦାନଗଦୀ ଓ ସୁକିନ୍ଦା ର ୧୧୭ଟି ପଞ୍ଚାୟତ ଏବଂ ୨୭୦ଟି ଗ୍ରାମ ଗୁରୁତର ଭାବେ ପ୍ରଭାବିତ ହୋଇଛି। ସରକାରୀ ଆକଳନ ଅନୁଯାୟୀ, ମୋଟ ୨ ଲକ୍ଷ ୮୪ ହଜାର ୫୭୮ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୯୫ ହଜାର ୪୫୭ ଜଣ ଜଳବନ୍ଦୀ ଅଛନ୍ତି ।
ସେହିପରି ୧୪୧ଟି ଗ୍ରାମ ସମ୍ପୂର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ପ୍ରଶାସନ ପକ୍ଷରୁ ୭୭ ହଜାର ୬୮୦ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇ ୨୦୩ଟି ଆଶ୍ରୟସ୍ଥଳୀରେ ରଖାଯାଇଛି ଏବଂ ୧୯୫ଟି ମାଗଣା ରୋଷେଇ ଘର ମାଧ୍ୟମରେ ଖାଦ୍ୟ ଯୋଗାଇ ଦିଆଯାଉଛି ।
ବନ୍ୟା ଯୋଗୁଁ ୧୮,୬୪୨ ହେକ୍ଟର ଚାଷଜମି ଓ ୯୮,୫୫୪ ପ୍ରାଣୀସମ୍ପଦ ପ୍ରଭାବିତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ୩ଟି ODRAF, ୨ଟି NDRF, ୧୨ଟି ଅଗ୍ନିଶମ ଏବଂ ୧୨ଟି ପୋଲିସ-ସିଭିଲ ଡିଫେନ୍ସ ଟିମ୍ ନିୟୋଜିତ ଅଛନ୍ତି । ପ୍ରଶାସନ ପକ୍ଷରୁ ରିଲିଫ୍, ଉଦ୍ଧାର ଓ ସ୍ୱାସ୍ଥ୍ୟସେବା କାର୍ଯ୍ୟକୁ ଜୋରଦାର କରାଯିବା ସହ ସମଗ୍ର ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି ।
📱 Get Argus News App
✨Related Topics
Explore more stories