School Closed / ପ୍ରବଳ ବର୍ଷା ନେଇ ୫ ଜିଲ୍ଲାରେ ସ୍କୁଲ ଛୁଟି... ୭ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

Key Points
ଗଞ୍ଜାମ, ଗଜପତି, ମାଲକାନଗିରି, ଖୋର୍ଦ୍ଧା, ଜଗତସିଂହପୁରରେ ସ୍କୁଲ ବନ୍ଦ ।
ସ୍କୁଲ ସହ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ ।
ପ୍ରଧାନଶିକ୍ଷକ, ଶିକ୍ଷକ, କର୍ମଚାରୀ ରହିବେ ଉପସ୍ଥିତ ।
୭ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ ।
ଆସୁଛି ବଡ଼ ବର୍ଷା... ଯାହାକୁ ନେଇ ଏବେଠୁ ଭୟ ଆରମ୍ଭ ହେଲାଣି । ଗତକାଲିଠାରୁ ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ଆଜି ପ୍ରବଳ ବର୍ଷା ହେଲାଣି । ଆସନ୍ତା ୩ ଘଣ୍ଟା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରିଛି । ଓଡ଼ିଶାର ୧୨ ଜିଲ୍ଲାରେ ବର୍ଷା ସହ ଝଟକା ପବନ ସମ୍ଭାବନା ।
ଆସନ୍ତା ୩ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ (କଟକ ସହର ସମେତ), ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିବାର ମଧ୍ୟ ସମ୍ଭାବନା ରହିଛି । ଏହି ସମୟରେ ବାହାରକୁ ନଯିବାକୁ ପରାମର୍ଶ ।
ପ୍ରବଳ ବର୍ଷା ନେଇ ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା । ଗଞ୍ଜାମ, ଗଜପତି, ମାଲକାନଗିରି, ଖୋର୍ଦ୍ଧା, ଜଗତସିଂହପୁରରେ ବନ୍ଦ ରହିବ ସ୍କୁଲ । ଆଜିଠାରୁ ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ବନ୍ଦ ରହିବ । ଏହା ସହ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।
ସେପଟେ ଗଜପତି ଜିଲ୍ଲାରେ ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, ଅଙ୍ଗନବାଡ଼ି ଓ କଲେଜ ବନ୍ଦ ରହିବ । ସେହିପରି ଆସନ୍ତାକାଲିଠାରୁ ୨୫ ସେପ୍ଟେମ୍ବର ଯାଏଁ ମାଲକାନଗିରିରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ ରହିବ । ଜିଲ୍ଲାର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ ସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି ।
ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଶିଶୁ ବାଟିକାଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟଗୁଡିକ ବନ୍ଦ ରହିବ । ସେହିଭଳି ଜିଲ୍ଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ ।
ଆଜି ଜଗତସିଂହପୁର ଜିଲ୍ଲାର ସବୁ ସରକାରୀ ଓ ଘରୋଇ ସ୍କୁଲ୍ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ସ୍କୁଲର ପ୍ରଧାନଶିକ୍ଷକ, ଶିକ୍ଷକ, କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ ଓ ଅନ୍ୟ କର୍ମଚାରୀମାନେ ନିଜ ନିଜ ଅନୁଷ୍ଠାନରେ ଉପସ୍ଥିତ ରହିବେ । ସେହିପରି କଳାହାଣ୍ଡି, ମାଲକାନଗିରି, କୋରାପୁଟ, ଗଜପତି, ଜଗତସିଂହପୁର ଓ ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ ହୋଇଛି ।
📱 Get Argus News App
✨Related Topics
Explore more stories