Videos
|
Odisha

Flood In Odisha / ଲଗାଣ ବର୍ଷାରେ ବେହାଲ ରାଜ୍ୟର ଅନେକ ଅଞ୍ଚଳ, ପୂର୍ବରୁ ପଶ୍ଚିମ ସବୁଠି ଜଳବନ୍ଦୀ ସ୍ଥିତି

Bikash Mohanty
Browse all articles by Bikash Mohanty
·1 hour ago·3 min read
ଲଗାଣ ବର୍ଷାରେ ବେହାଲ ରାଜ୍ୟର ଅନେକ ଅଞ୍ଚଳ, ପୂର୍ବରୁ ପଶ୍ଚିମ ସବୁଠି ଜଳବନ୍ଦୀ ସ୍ଥିତି
Flood

Key Points

ଲଗାଣ ବର୍ଷା ଆଣିଲା ବନ୍ୟା ସ୍ଥିତି
ବେହାଲ ରାଜ୍ୟର ଅନେକ ଅଞ୍ଚଳ
ପୂର୍ବରୁ ପଶ୍ଚିମ ସବୁଠି ଜଳବନ୍ଦୀ ସ୍ଥିତି
ପରିସ୍ଥିତର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ
ଭୁବନେଶ୍ବର,୨୭/୦୭: ରାଜ୍ୟର ପ୍ରବଳ ବର୍ଷା ନେଇ ଆଲର୍ଟ ଥିବା ଜିଲ୍ଲାପାଳ ମାନଙ୍କ ସହ ବୈଠକ କରାଯାଇଛି। ସମସ୍ତ ପ୍ରସ୍ତୁତି ଜିଲ୍ଲା ପ୍ରଶାସନ କରିସାରିଛି। ନଜର ରଖିବାକୁ, ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନାନ୍ତର ହେଲେ ରନ୍ଧା ଖାଦ୍ୟ, ଜାରି ପାଲ, ଓଡ଼୍ରାଫ୍, ଅଗ୍ନିଶମ ବିଭାଗକୁ ମଧ୍ୟ ଆଲର୍ଟ କରାଯାଇଛି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ କହିଛନ୍ତି। ବର୍ଷା ହେଲେ ଯାହା ଆବଶ୍ୟକତା ଅଛି ସବୁ ବ୍ୟବସ୍ଥା କରାଯାଇଛି। ଆତଙ୍କିତ ହୁଅନ୍ତୁନାହିଁ। ଉପର ମୁଣ୍ଡରେ ବର୍ଷା ହେଲେ ଆମ ରାଜ୍ୟରେ ବନ୍ୟା ଆସେ। ଯେହେତୁ ଉପର ମୁଣ୍ଡରେ ବର୍ଷା ନାହିଁ ତେଣୁ ସେ ଆଶଙ୍କା ନାହିଁ। ଫ୍ଲାସ ଫ୍ଲଡ ପାଇଁ ମୋଟର ପମ୍ପ ନେଇ ଆଲର୍ଟ କରାଯାଇଛି। ପୌର, ଏବଂ ପଞ୍ଚାୟତକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବଙ୍ଗୋପସାଗରରେ ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର-ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ କେନ୍ଦ୍ରୀଭୂତ ରହିଛି । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଅପରାହ୍ନରେ ବାଲେଶ୍ୱର ଏବଂ କ୍ୟାନିଂ ମଧ୍ୟରେ ଅତିକ୍ରମ କରିବା ସମ୍ଭାବନା ରହିଛି । ପ୍ରଭାବରେ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ପାଇଁ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜକୁ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି । ଏହାସହ ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବର୍ଷା ଯୋଗୁଁ ଅନେକ ସ୍ଥାନରେ ଆକସ୍ମିକ ବନ୍ୟା ପରିସ୍ଥିତି ଦେଖାଦେବାର ମଧ୍ୟ ସମ୍ଭାବନା ରହିଛି।

ଉପରମୁଣ୍ଡରେ ଅବିରତ ବର୍ଷା ପରେ ମହାନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଏହାର ପ୍ରଭାବରେ କଟକ ଜିଲ୍ଲା ବଡ଼ମ୍ବାର ପ୍ରସିଦ୍ଧ ଶକ୍ତିପୀଠ ମାଆ ଭଟ୍ଟାରିକା ମନ୍ଦିର ନିକଟରେ ବନ୍ୟାଜଳ ପହଞ୍ଚିଯାଇଛି । ନଦୀର ସ୍ରୋତ ବଢ଼ିବା ସହ ମନ୍ଦିର ଚାରିପାଖରେ ପାଣି ଜମିବା ଆରମ୍ଭ ହୋଇଛି । ପ୍ରଶାସନ ଏବଂ ମନ୍ଦିର କର୍ତ୍ତୃପକ୍ଷ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ଯଦି ବନ୍ୟାଜଳ ମନ୍ଦିର ଭିତରକୁ ପ୍ରବେଶ କରେ, ତେବେ ପୂର୍ବ ପରମ୍ପରା ଅନୁଯାୟୀ ମାଆ ଭଟ୍ଟାରିକାଙ୍କୁ ରୋଷଘରକୁ ସ୍ଥାନାନ୍ତର କରାଯିବ । ଏହି ପଦକ୍ଷେପ ମନ୍ଦିରର ନୀତିନିୟମ ଅନୁସାରେ ନିଆଯିବ ବୋଲି ସେବାୟତମାନେ ସୂଚନା ଦେଇଛନ୍ତି । ଏପଟେ ଅନୁଗୋଳ ଜିଲ୍ଲାର ଟିକରପଡ଼ା ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ମୁଖ୍ୟ ରାସ୍ତା ଉପରେ ପ୍ରାୟ ୫ ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହେଉଛି ।

ପଢନ୍ତୁ ଏହି ଖବର: ଲଗାଣ ବର୍ଷା ପାଇଁ ବଡ଼ ନିଷ୍ପତ୍ତି: ଆସନ୍ତାକାଲି ସବୁ ସ୍କୁଲ, କଲେଜ ବନ୍ଦ

ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ଏବଂ ଚାରିଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ବନ୍ୟା ପରିସ୍ଥିତିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି । ଦୈନନ୍ଦିନ ଜୀବନଯାତ୍ରା ବ୍ୟାହତ ହୋଇଥିବା ବେଳେ ଜରୁରୀ ସେବା ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି । ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଉପରେ ସତର୍କ ନଜର ରଖିଥିବା ସହ ଆବଶ୍ୟକ ପଡ଼ିଲେ ଉଦ୍ଧାରକାର୍ଯ୍ୟ ପାଇଁ ଟିମ୍ ପ୍ରସ୍ତୁତ ରହିଛି । ମହାନଦୀର ଜଳସ୍ତର ଆହୁରି ବଢ଼ିବାର ସମ୍ଭାବନା ଥିବାରୁ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି । ନିମ୍ନାଞ୍ଚଳରେ ରହୁଥିବା ପରିବାରମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି ।
ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରରେ ଭକ୍ତଙ୍କ ପାଇଁ ସ୍ପର୍ଶ ଦର୍ଶନ ବନ୍ଦ । ଲଗାଣ ବର୍ଷା ଯୋଗୁଁ ପାହାଡ଼ିଆ ଝରଣାର ଜଳସ୍ତର ହଠାତ୍ ବୃଦ୍ଧି ପାଇଥିବାରୁ ଟ୍ରଷ୍ଟବୋର୍ଡ ଏହି ନିଷ୍ପତ୍ତି ନେଇଛି । ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ସ୍ପର୍ଶ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି ।

ବାଲେଶ୍ବର ଜିଲ୍ଲା ନୀଳଗିରି ସ୍ଥିତ ପଞ୍ଚଲିଙ୍ଗେଶ୍ୱର ମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ଦର୍ଶନ ପାଇଁ ଆସୁଥିବା ବେଳେ ଆଜି ଶ୍ରାବଣର ଦ୍ୱିତୀୟ ସୋମବାର । ଆଜି ମଧ୍ୟ ହଜାର ହଜାର କାଉଡ଼ିଆ ବାବାଙ୍କ ପୀଠକୁ ଯାଇ ରୀତିନୀତିରେ ପୂଜାର୍ଚ୍ଚନା କରି ଜଳାଭିଷେକ କରିଛନ୍ତି । ହେଲେ ଝରଣା ଭିତରେ ବାବାଙ୍କ ଲିଙ୍ଗ ସ୍ପର୍ଶ ସୁରକ୍ଷା ଦୃଷ୍ଟିକୋଣରୁ ବନ୍ଦ କରାଯାଇଛି।
ଗତ କିଛି ଦିନ ଧରି ହେଉଥିବା ପ୍ରବଳ ବର୍ଷା ଫଳରେ ଦେବଗିରି ପାହାଡ଼ରୁ ପ୍ରବାହିତ ଜଳର ପରିମାଣ ବଢ଼ିଯାଇଛି । ଏଥିଯୋଗୁଁ ଶିବଲିଙ୍ଗ ନିକଟକୁ ଯିବା ବିପଦଜନକ ହୋଇପଡ଼ିଥିବାରୁ ମନ୍ଦିର ପ୍ରଶାସନ ଓ ଟ୍ରଷ୍ଟବୋର୍ଡ ସୁରକ୍ଷା ଦୃଷ୍ଟିରୁ ସ୍ପର୍ଶ ଦର୍ଶନ ବନ୍ଦ କରିଥିବା ଜଣାପଡିଛି ।

ରବିବାର ଛୁଟିଦିନ ଥିବାରୁ ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟକ ଭକ୍ତ ଏବଂ ପର୍ଯ୍ୟଟକଙ୍କ ସହିତ କାଉଡ଼ିଆ ମାନେ ପଞ୍ଚଲିଙ୍ଗେଶ୍ୱରକୁ ଜଳପ୍ରବାହ ଅତ୍ୟଧିକ ଥିବାରୁ ସେମାନେ ବାବାଙ୍କ ସ୍ପର୍ଶ ଦର୍ଶନ କରିପାରିନପାରି ନିରାଶ ହୋଇ ଫେରିଯାଇଥିବା ବେଳେ କେତେକ ଦୂରରୁ ପ୍ରଣାମ କରି ପୂଜାର୍ଚ୍ଚନା କରିଥିଲେ ।
ଜଳସ୍ଥର ସ୍ୱାଭାବିକ ଅବସ୍ଥାକୁ ଫେରିବା ପରେ ପୁଣି ଥରେ ସ୍ପର୍ଶ ଦର୍ଶନ ଆରମ୍ଭ ହେବ ବୋଲି ଟ୍ରଷ୍ଟବୋର୍ଡ ପକ୍ଷରୁ କୁହାଯାଇଛି । ସେପର୍ଯ୍ୟନ୍ତ ଭକ୍ତମାନଙ୍କୁ ସତର୍କତା ଅବଲମ୍ବନ କରିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ଅନୁରୋଧ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored