|
logo
Live
Argus News App
GET APP

Argus News - ଉଚ୍ଚଶିକ୍ଷାରେ ବଢିଲା ସଂରକ୍ଷଣ, STଙ୍କ ପାଇଁ ୨୨.୫%, SCଙ୍କ ପାଇଁ ୧୬.୨%, ପଛୁଆ ବର୍ଗ ବି ପାଇବେ ସଂରକ୍ଷଣ

Odisha

Reservation / ଉଚ୍ଚଶିକ୍ଷାରେ ବଢିଲା ସଂରକ୍ଷଣ, STଙ୍କ ପାଇଁ ୨୨.୫%, SCଙ୍କ ପାଇଁ ୧୬.୨%, ପଛୁଆ ବର୍ଗ ବି ପାଇବେ ସଂରକ୍ଷଣ

Bikash Mohanty
Browse all articles by Bikash Mohanty
·8 hours ago·3 min read
ଉଚ୍ଚଶିକ୍ଷାରେ ବଢିଲା ସଂରକ୍ଷଣ, STଙ୍କ ପାଇଁ ୨୨.୫%, SCଙ୍କ ପାଇଁ ୧୬.୨%,  ପଛୁଆ ବର୍ଗ ବି ପାଇବେ ସଂରକ୍ଷଣ
Cabinet

Key Points

ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ
ST ଛାତ୍ରଛାତ୍ରୀଙ୍କ ପାଇଁ  ସଂରକ୍ଷଣ ୧୨% ବୃଦ୍ଧି
SC  ଛାତ୍ରଛାତ୍ରୀଙ୍କ ପାଇଁ  ସଂରକ୍ଷଣ ୮%  ବୃଦ୍ଧି
ଏ ସମସ୍ତ ସରକାରୀ ଓ ଘରୋଇ ଉଚ୍ଚ ଶିକ୍ଷାନୁଷ୍ଠାନରେ ଲାଗୁ ହେବ
ରାଜ୍ୟ କ୍ୟାବିନେଟର ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତି


ଭୁବନେଶ୍ବର୦୫/୦୪: ରାଜ୍ୟର ପଛୁଆ ବର୍ଗ ଏବଂ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ନ୍ୟାୟ ଦେବା ପାଇଁ ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରିଛନ୍ତି। ନୂତନ ନିଷ୍ପତ୍ତି ଅନୁଯାୟୀ ଅନୁସୂଚିତ ଜନଜାତିଙ୍କ ଲାଗି ସଂରକ୍ଷଣ ୧୨% ରୁ ବୃଦ୍ଧି କରାଯାଇ ୨୨.୫% କରାଯାଇଛି। ଅନୁସୂଚିତ ଜାତିଙ୍କ ଲାଗି ସଂରକ୍ଷଣ ୮% ରୁ ବୃଦ୍ଧି କରାଯାଇ ୧୬.୨% କରାଯାଇଛି। ସେହିପରି SEBC ଓ ପଛୁଆ ବର୍ଗଙ୍କ ପାଇଁ ପ୍ରଥମ ଥର ପାଇଁ ୧୧.୨% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଏହି ନିୟମ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଉଚ୍ଚ ଶିକ୍ଷାନୁଷ୍ଠାନରେ ଲାଗୁ ହେବ। ରାଜ୍ୟ କ୍ୟାବିନେଟ୍ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ଏହି ପ୍ରସ୍ତାବକୁ ଅନୁମୋଦନ ଦେଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଏହି ସଂରକ୍ଷଣ ରାଜ୍ୟର ବିଶ୍ୱବିଦ୍ୟାଳୟ, ସେମାନଙ୍କର ଅନୁବନ୍ଧିତ କଲେଜ ଓ ଶିକ୍ଷାନୁଷ୍ଠାନ, ଆଇଟିଆଇ ଏବଂ ପଲିଟେକ୍‌ନିକ୍‌ଗୁଡ଼ିକରେ ପ୍ରଦାନ କରାଯାଉଥିବା ଇଞ୍ଜିନିୟରିଂ, ଟେକ୍ନୋଲୋଜି, ମ୍ୟାନେଜ୍‌ମେଣ୍ଟ, କମ୍ପ୍ୟୁଟର ଆପ୍ଲିକେସନ୍, ମେଡିସିନ୍, ସର୍ଜରି, ଡେଣ୍ଟାଲ୍‌, ନର୍ସିଂ, ଫାର୍ମାସି, ଆନୁଷଙ୍ଗିକ ସ୍ୱାସ୍ଥ୍ୟ ବିଜ୍ଞାନ, ପ୍ରାଣିଚିକିତ୍ସା ବିଜ୍ଞାନ, ଆୟୁର୍ବେଦ, ହୋମିଓପ୍ୟାଥି, ଏଗ୍ରିକଲ୍‌ଚର ଆଣ୍ଡ ଆଲାଏଡ୍‌ ସାଇନ୍ସେସ୍, ଆର୍କିଟେକ୍‌ଚର୍, ପ୍ଲାନିଙ୍ଗ୍‌, ସିନେମାଟିକ୍‌ ଆର୍ଟ ଆଣ୍ଡ ଟେକ୍ନୋଲୋଜି ଆଦି ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ ହେବ। ଏହା ସହିତ ରାଜ୍ୟ ସରକାରଙ୍କ ଦ୍ବାରା ସମୟ ସମୟରେ ବିଜ୍ଞପ୍ତି ପ୍ରକାଶିତ ଅନ୍ୟ ଯେକୌଣସି ପାଠ୍ୟକ୍ରମମାନଙ୍କରେ ସ୍ନାତକ ଓ ସ୍ନାତକୋତ୍ତର ସ୍ତରରେ ସାର୍ଟିଫିକେଟ୍‌, ଡିପ୍ଲୋମା ଏବଂ ଡିଗ୍ରି ପ୍ରଦାନ କରାଯାଉଥିବା କ୍ଷେତ୍ରରେ ମଧ୍ୟ ଏହି ନୂତନ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ୨୨%ରୁ ଅଧିକ ଥିଲେ ମଧ୍ୟ ଦୀର୍ଘଦିନ ଧରି ରାଜ୍ୟର ବୈଷୟିକ, ବୃତ୍ତିଗତ, ମେଡିକାଲ ଓ ଆନୁଷଙ୍ଗିକ ପାଠ୍ୟକ୍ରମରେ ସେମାନଙ୍କ ପାଇଁ ସଂରକ୍ଷଣ ମାତ୍ର ୧୨% ଥିଲା। ସେହିପରି ଅନୁସୂଚିତ ଜାତିଙ୍କ ସଂଖ୍ୟା ୧୭%ରୁ ଅଧିକ ଥିଲେ ମଧ୍ୟ ସେମାନଙ୍କ ପାଇଁ ମାତ୍ର ୮% ସଂରକ୍ଷଣ ଥିଲା। ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗମାନଙ୍କ ପାଇଁ କୌଣସି ସଂରକ୍ଷଣ ନଥିଲା। ସାମାଜିକ ନ୍ୟାୟ ପ୍ରଦାନ ଓ ସଶକ୍ତୀକରଣ କ୍ଷେତ୍ରରେ ଏହି ପାର୍ଥକ୍ୟ ସମସ୍ୟା ସୃଷ୍ଟି କରୁଥିଲା। ସ୍ୱାଧୀନତାର ୭୮ ବର୍ଷ ମଧ୍ୟରେ ମୁଖ୍ୟସ୍ରୋତରୁ ବାହାରେ ଥିବା ଏହି ବର୍ଗର ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ଅଧିକାରର ସୁରକ୍ଷା ପାଇଁ ଅନେକ ଆନ୍ଦୋଳନ, ଦାବି ଓ ସଚେତନତା ସୃଷ୍ଟି ହୋଇଥିଲେ ମଧ୍ୟ ତାଙ୍କର ସଂଖ୍ୟା ଅନୁପାତରେ ସଂରକ୍ଷଣ ପାଇଁ କୌଣସି ସରକାର ପଦକ୍ଷେପ ନେଇ ନଥିଲେ। ଆମେ ଏସ୍‌ଟି, ଏସ୍‌ସି ଓ ପଛୁଆବର୍ଗ ପିଲାମାନଙ୍କର ଶିକ୍ଷାଗତ ଅଧିକାର ଓ ସଶକ୍ତୀକରଣ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରିଥିବାରୁ ଖୁସି ଲାଗୁଛି। ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମର ଏହି ପଦକ୍ଷେପ ଏକ ବଳିଷ୍ଠ ମାଧ୍ୟମ ହେବ।

ଆହୁରି ପଢନ୍ତୁପିଲାଙ୍କ ହାତ ଧରି ପାଠ ପଢ଼େଇଲେ ମୁଖ୍ୟମନ୍ତ୍ରୀ, ବ୍ରହ୍ମା, ବିଷ୍ଣୁ, ମହେଶ୍ୱର କରି ଖଡ଼ି ଛୁଆଁଇଲେ

ସ୍ନାତକ ଓ ସ୍ନାତକୋତ୍ତରକୁ ମିଶାଇ ରାଜ୍ୟର ସମୁଦାୟ ମେଡିକାଲ ସିଟ୍‌ ସଂଖ୍ୟା ୨୪୨୧। ଏହି ନୂତନ ସଂରକ୍ଷଣ ନୀତି କାର୍ଯ୍ୟକାରୀ ହେବା ପରେ ଏଥିମଧ୍ୟରୁ ଅନୁସୂଚିତ ଜନଜାତି (ଏସ୍‌ଟି)ଙ୍କ ପାଇଁ ସିଟ୍‌ ସଂଖ୍ୟା ୨୯୦ରୁ ବୃଦ୍ଧି ପାଇ ୫୪୪ରେ ପହଞ୍ଚିବ। ଅନୁସୂଚିତ ଜାତି (ଏସ୍‌ସିଙ୍କ)ଙ୍କ ପାଇଁ ସିଟ୍‌ ସଂଖ୍ୟା ୧୯୩ରୁ ବୃଦ୍ଧି ପାଇ ୩୯୨ ହେବ। ସେହିପରି ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ (ଏସ୍‌ଇବିସି) ଛାତ୍ରଛାତ୍ରୀମାନଙ୍କ ପାଇଁ ୨୭୧ଟି ସିଟ୍‌ ସଂରକ୍ଷିତ ରହିବ। ପୂର୍ବରୁ ଏହି ସଂଖ୍ୟା ଶୂନ ଥିଲା। ସେହିଭଳି ରାଜ୍ୟରେ ସମୁଦାୟ ଇଞ୍ଜିନିୟରିଂ ସିଟ୍‌ ସଂଖ୍ୟା ୪୪,୫୭୯ ମଧ୍ୟରୁ ଅନୁସୂଚିତ ଜନଜାତି (ଏସ୍‌ଟି)ଙ୍କ ପାଇଁ ଆସନ ସଂଖ୍ୟା ୫,୩୪୯ରୁ ବୃଦ୍ଧି ପାଇ ୧୦,୦୩୦ ହେବ। ଅନୁସୂଚିତ ଜାତି (ଏସ୍‌ସି)ଙ୍କ ପାଇଁ ଆସନ ସଂଖ୍ୟା ୩,୫୬୬ରୁ ୭,୨୪୪କୁ ବୃଦ୍ଧି ପାଇବ। ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ (ଏସ୍‌ଇବିସି) ଛାତ୍ରଛାତ୍ରୀଙ୍କ ପାଇଁ ୫୦୧୫ଟି ସିଟ୍ ସଂରକ୍ଷିତ ରହିବ। ପୂର୍ବରୁ ଏହିସଂଖ୍ୟା ଶୂନ ଥିଲା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Reservation: ଉଚ୍ଚଶିକ୍ଷାରେ ବଢିଲା ସଂରକ୍ଷଣ, STଙ୍କ ପାଇଁ ୨୨.୫%, SCଙ୍କ ପାଇଁ ୧୬.୨%, ପଛୁଆ ବର୍ଗ ବି ପାଇବେ ସଂରକ୍ଷଣ | Argus News