ଅନ୍ତ୍ୟୋଦୟ ଗୃହରେ ସାମିଲ୍ ପାଇଁ ବଢ଼ୁଛି ଆଗ୍ରହ, ଆବେଦନ କଲେଣି ୧୯ ଲକ୍ଷରୁ ଅଧିକ ଲୋକ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଗଇଁତଳା ଗାଁର ରଞ୍ଜିତ ବେହେରାଙ୍କ ଆଶ୍ରା କହିଲେ ଏକମାତ୍ର ଭଙ୍ଗା ଦଦରା ମାଟି ଘର ଖଣ୍ଡିକ । କାନ୍ଥ ଫାଟି ଆଁ କାଲଣି । ତଥାପି ଭଙ୍ଗା ଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି ୩ ପ୍ରାଣୀ କୁଟୁମ୍ବ । ପୂର୍ବ ସରକାର ସମୟରେ ପକ୍କା ଘର ଖଣ୍ଡେ ପାଇଁ ବାରମ୍ବାର ଆବେଦନ କରିଥିଲେ ରଞ୍ଜିତ । କିନ୍ତୁ କେହି ଶୁଣିଲେନି, ଏବେ ଆବାସ ସର୍ଭେରେ ସାମିଲ ହୋଇଛନ୍ତି ରଞ୍ଜିତ। ଏଥର ପକ୍କା ଘରରୁ ବଞ୍ଚିତ ହେବେନି ବୋଲି ତାଙ୍କର ଆଶା ।
ଗଇଁତଳା ଗାଁର ଯମୁନା ଭୁଏଙ୍କର ବି ସମାନ କାହାଣୀ । ପୂର୍ବ ସରକାର ସମୟରେ ପକ୍କା ଘର ଖଣ୍ଡେ ପାଇଁ କେତେ ଥର ଆବେଦନ କରିଛନ୍ତି । କିନ୍ତୁ ଗୁହାରୀ କରି କରି ମିଳିନଥିଲା ଘର । ଏବେ ଯମୁନା ଆବାସ ସର୍ଭେରେ ସାମିଲ ହୋଇଛନ୍ତି । ନୂଆ ସରକାର ଆବାସ ସର୍ଭେ କରୁଥିବାରୁ ଘର ଖଣ୍ଡେ ମିଲିବ ବୋଲି ଆଶା ରଖିଛନ୍ତି ଯମୁନା ।
ରଞ୍ଜିତ ଓ ଯମୁନାଙ୍କ ସମେତ ବର୍ତମାନ ସୁଦ୍ଧା ଗଇଁତଳା ପଞ୍ଚାୟତରେ ୩୨୦ରୁ ଅଧିକ ଲୋକ ଆବାସ ସର୍ଭେରେ ସାମିଲ ହୋଇ ସାରିଲେଣି । ଜାନୁଆରୀ ୨୪ ତାରିଖରେ ଗଇଁତଲା ଗାଁରୁ ଆବାସ ସର୍ଭେ ଆରମ୍ଭ କରିଥିଲେ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ସରକାରୀ ସୂଚନା ଅନୁଯାୟୀ, ଆବାସ ସର୍ଭେରେ ବଲାଙ୍ଗିର ଜିଲ୍ଲା ବର୍ତମାନ ସୁଦ୍ଧା ସବୁଠାରୁ ଆଗରେ ରହିଛି । ଏବେ ଯାଏ ଜିଲ୍ଲାର ୧ ଲକ୍ଷ ୨୪ ହଜାର ୯୫୩ ଜଣ ଲୋକ ସର୍ଭେରେ ସାମିଲ ହୋଇଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୧୯ ଲକ୍ଷ ୫୦ ହଜାରରୁ ଅଧିକ ହୋଇ ସାରିଲାଣି । ମାର୍ଚ୍ଚ ୩୧ ହେଉଛି ଆବେଦନର ଶେଷ ତାରିଖ । ତେଣୁ ଏହି ସଂଖ୍ୟା ଆହୁରି ବଢିବା ଅନୁମାନ କରାଯାଉଛି ।
📱 Get Argus News App
✨ଆବାସ ସର୍ଭେରେ ଦେଶର ୫ମ ସ୍ଥାନରେ ଓଡ଼ିଶା ରହିଛି । ପୂରଣ ହେବ ସମସ୍ତଙ୍କ ମୁଣ୍ଡ ଉପରେ ପକ୍କାଘର ଆଶା । ୩୦ ତାରିଖରେ କଳାହାଣ୍ଡିରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୫୦ ହଜାର ଲୋକଙ୍କୁ ଯୋଜନା ସହ ଯୋଡ଼ିବେ ସରକାର । ଗରିବ ଲୋକଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରାଯିବ ।
ଭିନ୍ନକ୍ଷମ, ବିଧବା, ଦୂରାରୋଗ୍ୟରେ ପୀଡିତ ଥିବା ବ୍ୟକ୍ତି, ସହିଦ ପରିବାର, ପଦ୍ମଶ୍ରୀ ପରିବାର, ବନ୍ୟା, ବାତ୍ୟା ଓ ଅଗ୍ନିକାଣ୍ଡରେ ଘର ହରାଇଥିବା ଲୋକେ ଏହି ଯୋଜନାରେ ସାମିଲ ହେବେ । ଏଥିପାଇଁ ଅନଲାଇନ ଆବେଦନ କରାଯିବ। ପଞ୍ଚାୟତ ସମିତି କାର୍ଯ୍ୟାଳୟ ଯାଇ ବିଡ଼ିଓଙ୍କ ମାଧ୍ୟମରେ ନାମ ପଞ୍ଜୀକରଣ କରିପାରିବେ ଆବେଦନକାରୀ ।