Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଡିଶାରେ “ଭ୍ରଷ୍ଟାଚାରୀ ଜନତା ଦଳ”ର ସରକାର ଚାଲିଛି

Odisha

ଓଡିଶାରେ “ଭ୍ରଷ୍ଟାଚାରୀ ଜନତା ଦଳ”ର ସରକାର ଚାଲିଛି

Ritu Das
Browse all articles by Ritu Das
·2 years ago·2 min read
ଓଡିଶାରେ “ଭ୍ରଷ୍ଟାଚାରୀ ଜନତା ଦଳ”ର ସରକାର ଚାଲିଛି

ଅର୍ଗସ ବ୍ୟୁରୋ: ଓଡ଼ିଶାରେ ୫୦ପ୍ରତିଶତ ପିସି କାରବାର ଚାଲିଛି ବୋଲି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଥିଲେ, ଆଜି ତାହା ସ୍ପଷ୍ଟ ହୋଇଛି ସରକାରଙ୍କ ଅଡିଟ ରିପୋର୍ଟରୁ । ଓଡ଼ିଶାରେ କ୍ଷମତାରେ ରହି ବିଜୁ ଜନତା ଦଳ ଲୁଟ୍‌ର ଚରମସୀମାରେ ପହଂଚିଛି । ସାଢ଼େ ଚାରିକୋଟି ଓଡ଼ିଆଙ୍କ ଆଶୀର୍ବାଦ ପାଇ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳ ଓଡ଼ିଶାର ସେବା କରୁଥିବା ସର୍ବଦା ଡିଣ୍ଡିମ ପିଟୁଛି, କିନ୍ତୁ ବାସ୍ତବ କ୍ଷେତ୍ରରେ ସାଢ଼େ ଚାରିକୋଟି ଲୋକ କିଭଳି ଲୁଟ୍‌ର ଶିକାର ହୋଇଛନ୍ତି ତାହାର ପର୍ଦ୍ଦାଫାସ କରିଛି ଅଡିଟ ରିପୋର୍ଟ । ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ରୂପାନ୍ତରୀକରଣ କରି କୁଆଡେ ନୂଆ ଯୁଗରେ ପରିଣତ କରିଛନ୍ତି । ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ୨୪ବର୍ଷର ଶାସନରେ ବିଜେଡି ଯେଉଁ ଦୁର୍ନୀତି କରିଛି ତାହା କଳ୍ପନା କରିବା ଅସମ୍ଭବ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ୨୦୨୦-୨୨ମସିହାରେ ରାଜ୍ୟ କରୋନା ସହ ଲଢ଼ୁଥିବାବେଳେ ରାଜ୍ୟ ରାଜକୋଷକୁ ଲୁଟ୍ କରୁଥିଲା ବିଜେଡି । ଏଭଳି କଥା ବିଜେପି କହୁନାହିଁ ବରଂ ୨୦୨୦-୨୧ ଓ ୨୦୨୧-୨୨ ସରକାରଙ୍କ “ଲୋକାଲ ଫଣ୍ଡ ଅଡିଟ”ରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟ ସରକାର ୨୦୨୦-୨୧ ଓ ୨୦୨୧-୨୨ର ଅଡିଟ ରିପୋର୍ଟକୁ ଲୁଚାଇବା ସହ ତାଙ୍କ ୱେବସାଇଟ୍‌ରେ ସମସ୍ତ ତଥ୍ୟ ନାହଁ । ଓଡ଼ିଶାର ୩୧୪ବ୍ଲକ, ୬୭୯୮ ଗ୍ରାମପଂଚାୟତ, ୫ଟି ମ୍ୟୁନିସପାଲଟି କର୍ପୋରେସନ, ୪୭ ମ୍ୟୁନିସପାଲଟି, ଏନଏସିରେ ଖର୍ଚ୍ଚ ହୋଇଥିବା ୪୦ହଜାର କୋଟି ଟଙ୍କାର ‘ୟୁସି’ ନାହିଁ । ଦୁର୍ନୀତି ଓ ଅନିୟମିତତା ଯୋଗୁଁ ବ୍ଲକ କର୍ମଚାରୀଙ୍କ ଉପରେ ୪ଶହରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ ଅଭିଯୋଗ ଆସିଛି, ହେଲେ ଫାଇନ ଆଦାୟ କରୁନାହାନ୍ତି ସରକାର । ବିଜେଡି ସରକାର ଦୁର୍ନୀତିର ପାହାଡରେ ଛିଡା ହୋଇଛି । ପ୍ରତି ବ୍ଲକରେ ୧୦୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ହରିଲୁଟ୍ ହୋଇଛି ।
ବିଜେଡି ସରକାରରେ ବିଡିଓ ଠୁ କିରାଣୀ ପର୍ଯ୍ୟନ୍ତ ସମସ୍ତେ ଘୋଟାଲାର ସଂପୃକ୍ତ । ୧୬ହଜାର ୪ଶହ ୮୩କୋଟି ଟଙ୍କା ୨୫୦ବ୍ଲକରେ କ’ଣ ଖର୍ଚ୍ଚ ହୋଇଛି ତାହାର ହିସାବ ନାହିଁ । ସେହିପରି ୨୧ଲକ୍ଷ ୩୭ହଜାର ବିଧବା ଓ ବାର୍ଦ୍ଧକ୍ୟ ଭତା ଖାଇ ଦେଇଛନ୍ତି । ଓଡ଼ିଶାରେ ୪୦ହଜାର କୋଟି ଟଙ୍କାର ଘୋଟାଲା କରିଛି ବିଜୁ ଜନତା ଦଳ ସରକାର । ତୁରନ୍ତ ୪୦ହଜାର କୋଟି ଟଙ୍କା ଗରିବ ଲୋକେ କିପରି ପାଇବେ ସେ ନେଇ ବିଜେଡି ଲୋକଙ୍କ ପାଖରେ ଉତର ରଖୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।

ବରୀ, ଯାଜପୁର, ଦଶରଥପୁର, ବିଂଝାରପୁର, ବଡଚଣା, ବାଲେଶ୍ୱର, ତିର୍ତୋଲ, ପିପିଲି, ଧାମନଗର, ଚାନ୍ଦବାଲି, ପଦ୍ମପୁର, ବିଜେପୁର ସମେତ ସମସ୍ତ ବ୍ଲକରେ ଲୁଟ୍ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବ୍ଲକରେ ୨କୋଟି ୬୧ଲକ୍ଷ ଟଙ୍କା ଅନିୟମିତତା ହୋଇଛି । ଏହାସହ ଆବାସ ଯୋଜନା ଠିକ୍ ରୂପେ କାର୍ଯ୍ୟକାରୀ କରି ନଥିବା ମଧ୍ୟ ଅଡିଟରୁ ଜଣାପଡିଛି । ଚାକିରୀ ଦେବା ନାଁରେ ବରୀର ଜଣେ ଶିକ୍ଷକ ଶଂଖ ଭବନରେ ନେତାଙ୍କ ସହ ଫଟୋ ଦେଖାଇ ୩କୋଟି ଟଙ୍କା ଚଳୁ କରିଛି । ଓଡିଶାରେ “ଭ୍ରଷ୍ଟାଚାରୀ ଜନତା ଦଳ”ର ସରକାର ଚାଲିଛି । ପ୍ରତ୍ୟେକ ପଂଚାୟତ ଓ ବ୍ଲକରେ ଏହି ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେପି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସହସଂଯୋଜକ ସୁଜିତ୍ କୁମାର ଦାସ୍‌, ସଞ୍ଜୟ ରଥ ପ୍ରମୁଖ ଉପସ୍ଥିତ ଥିଲେ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha is ruled by | Argus News