Videos
|
Odisha

Flood Alert / ଓଡ଼ିଶାରୁ କାଶ୍ମୀର..ଚାରିଆଡ଼େ ବର୍ଷା ଓ ବନ୍ୟା ବିପର୍ଯ୍ୟୟ…. ଖୋଲଲି ସଲାଲ ଡ୍ୟାମ୍‌ ଗେଟ…୬୦୦ରୁ ଅଧିକ ଗାଁ ବିପଦରେ

Argus News
Browse all articles by Argus News
·1 hour ago·2 min read
ଓଡ଼ିଶାରୁ କାଶ୍ମୀର..ଚାରିଆଡ଼େ ବର୍ଷା ଓ ବନ୍ୟା ବିପର୍ଯ୍ୟୟ…. ଖୋଲଲି ସଲାଲ ଡ୍ୟାମ୍‌ ଗେଟ…୬୦୦ରୁ ଅଧିକ ଗାଁ ବିପଦରେ
India

Key Points

ମୌସୁମୀର ମହାତାଣ୍ଡବ
ଓଡ଼ିଶାରୁ କାଶ୍ମୀର..ଚାରିଆଡ଼େ ବର୍ଷା ଓ ବନ୍ୟାର ବିପର୍ଯ୍ୟୟ
ଉଦଳାରେ ପାଣିର ସ୍ରୋତରେ ଭାସିଗଲା ପୋଲ, ବେହାଲ ୮ଟି ପଞ୍ଚାୟତ
ଦେଶସାରା ମୌସୁମୀ ବାୟୁ ସକ୍ରିୟ ହେବା ସହ ଆରମ୍ଭ ହୋଇଛି ବର୍ଷାର ତାଣ୍ଡବ। ଓଡ଼ିଶାରେ ସକ୍ରିୟ ମୌସୁମୀ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ମୟୂରଭଞ୍ଜରେ ଭାସିଯାଇଛି ବ୍ରିଜ୍। ଅନ୍ୟପଟେ ଜମ୍ମୁ-କାଶ୍ମୀର, ଆସାମ ଓ ଗୁଜରାଟରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ସଙ୍ଗୀନ ହୋଇପଡ଼ିଛି।

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ। ନିମ୍ନଚାପ ରେଖା ଏବଂ ବଙ୍ଗୋପସାଗରୀୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ଦିନରେ ଅନେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଏବଂ ଅରେଞ୍ଜ ଆଲର୍ଟ ଜାରି କରାଯିବା ସହ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦୁଇଟି ସ୍ଥାନରେ ପ୍ରବଳ ଓ ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି। ସେପଟେ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସହ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୩୫ ରୁ ୪୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

ଲଗାଣ ବର୍ଷାରେ ଧୋଇଯାଇଛି ପୋଲ। ମୟୂରଭଞ୍ଜ ଉଦଳାରେ ଗତ ୪ ଦିନର ଲଗାଣ ବର୍ଷା ଯୋଗୁଁ ଟାଙ୍ଗଣା ନଦୀର ଜଳସ୍ତର ବୃଦ୍ଧି ପାଇଛି।ଫଳରେ ଉଦଳା ବ୍ଲକ କୋଚିଳାଡିହା ପଞ୍ଚାୟତରେ ଥିବା 'ଗଡ଼ା ପୋଲ'ଟି ସମ୍ପୂର୍ଣ୍ଣ ଭାସିଯାଇଛି.. ଉଦଳାରୁ ବାଲେଶ୍ୱରକୁ ସଂଯୋଗ କରୁଥିବା ଏହି ପ୍ରମୁଖ ରାସ୍ତା ବନ୍ଦ ହୋଇଯିବାରୁ ୮ଟି ପଞ୍ଚାୟତର ହଜାର ହଜାର ଗ୍ରାମବାସୀ ଏବେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

କେବଳ ଓଡ଼ିଶା ନୁହେଁ, ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ସୃଷ୍ଟି କରିଛି ବିପର୍ଯ୍ୟୟ। ଜମ୍ମୁ-କାଶ୍ମୀରରେ କ୍ରମାଗତ ୪ ଦିନର ବର୍ଷା ଓ ଭୂସ୍ଖଳନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଚେନାବ ନଦୀର ଜଳସ୍ତର ବଢ଼ିବାରୁ ସଲାଲ ଡ୍ୟାମର ଏକାଧିକ ଗେଟ୍ ଖୋଲାଯାଇଛି। ୬୫୪ଟି ସଂବେଦନଶୀଳ ଗାଁରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ସେପଟେ ଆସାମର ରାଜଧାନୀ ଗୁଆହାଟୀର ଅନିଲ ନଗର, ନବୀନ ନଗର ଓ ଜାତୀୟ ରାଜପଥ-୨୭ରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି..ଗୁଜରାଟର ସୁରଟ, ଭଲସାଡ, ନବସାରୀ ଓ ଜୁନାଗଡ଼ରେ ବି ବନ୍ୟା ସ୍ଥିତି। NDRF, SDRF, କୋଷ୍ଟଗାର୍ଡ ଏବଂ ବାୟୁସେନା ମିଳିତ ଭାବେ ୨୨ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ଆଶ୍ରୟସ୍ଥଳକୁ ପଠାଇଛନ୍ତି।

ଆଗାମୀ କିଛି ଦିନ ପର୍ଯ୍ୟନ୍ତ ବର୍ଷାରୁ ନିସ୍ତାର ମିଳିବାର ସମ୍ଭାବନା କମ୍ ରହିଛି। ତେଣୁ ସମସ୍ତ ପ୍ରଭାବିତ ରାଜ୍ୟଗୁଡ଼ିକରେ ପ୍ରଶାସନକୁ ହାଇଆଲର୍ଟରେ ରଖାଯାଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored