ଖୋଲୁଛି କିଟ୍ର କଳା ଫର୍ଦ୍ଦ: ଆଇନ୍ ମନ୍ତ୍ରୀ କହିଲେ 'ଜମି ଜବରଦଖଲ ହୋଇଥିଲେ କାର୍ଯ୍ୟାନୁଷ୍ଠାନ'

Key Points
ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ଯେଉଁଠି ଯେଉଁଠି ଅବରୋଧ ଅଛି, ଜବରଦଖଲ ମୁକ୍ତ କରିବାକୁ ଯୋଜନା ହେଉଛି ।
ଭୁବନେଶ୍ଵର: କିଟ୍ କାଣ୍ଡ ପରେ ଖୋଲୁଛି ଗୁମର । ଫନ୍ଦି ଫିକର କରି ଅଚ୍ୟୁତଙ୍କ କିଟ୍ ହାତେଇଛି କି ଜମି ? ଜଙ୍ଗଲ ଜମି ଅବରୋଧ ଓ ଜବରଦଖଲ ନେଇ ଅଭିଯୋଗ ହେଉଥିବା ବେଳେ ସରକାର ଆରମ୍ଭ କରିଛନ୍ତି ପ୍ରକ୍ରିୟା । ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ଯେଉଁଠି ଯେଉଁଠି ଅବରୋଧ ଅଛି, ଜବରଦଖଲ ମୁକ୍ତ କରିବାକୁ ଯୋଜନା ହେଉଛି ।
ଏଥିପାଇଁ ରାଜସ୍ଵ ବିଭାଗ ଓ ଜିଏ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ ପାଇଁ ଯୋଜନା ହେଉଛି । ଖୁବ୍ଶୀଘ୍ର ଏ ନେଇ ସମ୍ପୃକ୍ତ ବିଭାଗ ପଦକ୍ଷେପ ନେବ । ଯେଉଁଠି ଜଙ୍ଗଲ ଜମି ଅବରୋଧ କରାଯାଇଛି କାର୍ଯ୍ୟାନୁଷ୍ଠାନ ନିଆଯିବ । ବେଆଇନ୍ ଭାବେ ଜବରଦଖଲ ହୋଇଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।
ସେପଟେ କିଟ୍ ଜମି କେଳେଙ୍କାରୀକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ସେ କହିଛନ୍ତି, ମୁଁ ମୁଖ୍ୟ ଶାସନ ସଚିବ ଥିବା ସମୟରେ କିଟ୍ ଜମି ଜାଲିଆତି ନେଇ ଅଭିଯୋଗ ଆସିଥିଲା । ଇ-ଷ୍ଟେଟ୍ ଅଫିସରଙ୍କ କୋର୍ଟରେ ମାମଲା ହୋଇଥିଲା । ସରକାରୀ ଜମି, ଜଙ୍ଗଲ ଜମି ଜବରଦଖଲ, ବିନା ଅନୁମତିରେ କୋଠାରେ ନିର୍ମାଣ ଅଭିଯୋଗ ଆସିଥିଲା ।
📱 Get Argus News App
✨ଅଭିଯୋଗ ଆସିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିଲା ଓ ନିର୍ଦ୍ଦେଶ ଦିଆ ଯାଇଥିଲା । ୨୦୧୦ରୁ ୨୦୧୨-୨୦୧୩ ଭିତରେ ଆସିଥିଲା ଅଭିଯୋଗ । ବିଜେଡି ଟିକେଟରେ ଅଚ୍ୟୁତ ସାମନ୍ତ ରାଜ୍ୟସଭା ଯାଇଥିଲେ । ବିଜେଡ଼ି ସରକାର ତାଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିଲେ ବୋଲି ସନ୍ଦେହ ନଥିବା କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ।
ସେ ଆହୁରି ବି କହିଛନ୍ତି, କିଟ୍ରେ ଏବେ ଯାହା ହେଲା ଏହା ସାଧାରଣ ଘଟଣା ନୁହଁ । ଅଶାଳୀନ ଓ ଅରୁଚିକର ମନ୍ତବ୍ୟ ଦିଆଯାଇଛି ନେପାଳ ଉପରେ । ସେମାନଙ୍କ ଦେଶର ବଜେଟଠୁ କିଟ୍ ବଜେଟ ଅଧିକ କହିବା ନିହାତି ନିନ୍ଦନୀୟ । ଡିମ୍ଡ୍ ୟୁନିଭରସିଟି ମାନ୍ୟତା ଦିଆଯିବ ନା ନାହିଁ ସେନେଇ ଭାରତ ସରକାର ଓ ରାଜ୍ୟ ସରକାର କାରଣ ଦର୍ଶାଅ ନୋଟିସ୍ ଜାରି କରିବା କଥା । ବିଶ୍ଵବିଦ୍ୟାଳୟ ଆଇନରେ ସଂଶୋଧନ କିମ୍ବା ନୂଆ ନିୟମ ଆସୁ ।