Rain in Odisha: ବଙ୍ଗୋପସାଗରରେ ୨୪ ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା

Key Points
ଆସନ୍ତା ୨୪ରେ ଉତ୍ତର ବଙ୍ଗୋପସାଗରରେ ଆଉ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପୁଣି ୨୭ରୁ ୨୮ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ।
ଭୁବନେଶ୍ଵର: ଲଘୁଚାପ ଜନିତ ବର୍ଷାରେ ମାଲକାନଗିରିରେ ହାଲ୍ ବେହାଲ୍ । ବନ୍ୟା ଜଳରେ ଝାପ୍ରା ପୋଲ ବୁଡ଼ି ମାଲକାନଗିରି ଓ ଛତିଶଗଡ଼ ସୁକୁମା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ୧୦ ଗାଁ ପ୍ରଭାବିତ ହୋଇଛି । ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷାର ଚେତାବନୀ । ଦକ୍ଷିଣ ଓ ଉତ୍ତର ଓଡ଼ିଶାକୁ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । IMD ଡିଜି କହିଲେ, ଆସୁଛି ଆଉ ଦୁଇଟି ଲଘୁଚାପ ।
ଲଘୁଚାପ ପ୍ରଭାବରେ ଦୁଇ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଯେଉଁଥିପାଇଁ ମାଲକାନିଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଖଇରପୁଟ କୁଡୁମୁଲୁଗୁମ୍ମା ଠାରୁ ମଜୁରିଲେଣ୍ଡି ମୁଖ୍ୟ ରାସ୍ତା ଧୋଇଯାଇଛି । ଫଳରେ ୧୦ ଗାଁ ପ୍ରଭାବିତ ହୋଇଛି । ସେହିପରି ସାବେରୀ ନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଝାପ୍ରା ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ମାଲକାନଗିରି ଓ ଛତିଶଗଡ଼ ସୁକମା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଜିଲ୍ଲାର ଅନେକ ସ୍ଥାନରେ ପୋଲ ଉପରେ ପାଣି ଚାଲୁଛି । ବିଧାୟକ ନରସିଂହ ମାଡ଼କାମୀ ପୋଟେରୁ, କନ୍ୟାଶ୍ରମ, କାଁଗୃକୋଣ୍ଡା ଓ କାଲିମେଳାର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ।
ସେହିପରି ନୂଆପଡ଼ା ଜିଲ୍ଲା ଉପାନ୍ତ ଘାଟମାଲ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ଛୋଟ ବଡ଼ ନାଳ ଉପରେ ବର୍ଷା ପାଣି ଚାଲୁଛି l ଫଳରେ କନ୍ଦେନଝରିଆ, ଗେଣ୍ଡୁଳପାଣି, ଶାନ୍ତିପଡା, ପହରିଆ ପଡା ଗାଁର ଯାତାୟାତ ବାଧାପ୍ରାପ୍ତ ହୋଇଛି l
📱 Get Argus News App
✨
IMD DGଙ୍କ ଆକଳନ ଅନୁସାରେ, ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ପ୍ରଭାବରେ ଖାଲୁଆ ଅଞ୍ଚଳ ଜଳମଗ୍ନ ହେବ । ଆସନ୍ତା ୨୪ରେ ଉତ୍ତର ବଙ୍ଗୋପସାଗରରେ ଆଉ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପୁଣି ୨୭ରୁ ୨୮ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ।
୨୪ ଘଣ୍ଟାରେ ଅତିପ୍ରବଳ ବର୍ଷା ପାଇଁ କଳାହାଣ୍ଡି ଓ ନବରଙ୍ଗପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି । ସେହିପରି ନୂଆପଡ଼ା, ବଲାଙ୍ଗିର, କୋରାପୁଟ, ବରଗଡ଼, କେନ୍ଦୁଝର, ଅନୁଗୁଳ, ଓ ଢେଙ୍କାନାଳକୁ ୟେଲୋ ଆଲର୍ଟ ଦିଆଯାଇଛି । ୨୩ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ସମୁଦ୍ର ଉପକୂଳ ଅଞ୍ଚଳରେ ୪୦ରୁ ୬୦ କିମି ପବନ ବହିବା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହିବ । ତେଣୁ ଆଜି ଓ ଆସନ୍ତାକାଲି ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ବାରଣ କରିଛି ପାଣିପାଗ ବିଭାଗ ।