Crime / ଓଡ଼ିଆ ଦାଦନ ଶ୍ରମିକଙ୍କୁ ଜାଳିଦେଲା ମାଲିକ

Key Points
ଓଡ଼ିଆ ଦାଦନ ଶ୍ରମିକଙ୍କୁ ତେଳ ଢାଳି ଜିଅନ୍ତା ଜାଳିଦେବାକୁ ଉଦ୍ୟମ ।
୬୦ ପ୍ରତିଶତ ଜଳିଗଲେ ଖଡ଼ିଆଳ ଖଲିଆଭଟା ଗାଁର ବିଦ୍ୟାଧର ମାଝୀ ।
ହାଇଦ୍ରାବାଦରୁ ଫେରିବା ବେଳେ ଟ୍ରେନରୁ ଉଠାଇ ନେଇଥିଲେ ଇଟା ଭାଟି ମାଲିକର ଗୁଣ୍ଡା ।
ପେଟ ପାଇଁ ଦାଦନ ଖଟିବାକୁ ଯାଉଥିବା ଓଡ଼ିଆ କେମିତି ହେଉଛନ୍ତି ନିର୍ଯାତନାର ଶିକାର, କଥା ନ ମାନିଲେ ସେମାନଙ୍କ ସହ କେମିତି କରାଯାଉଛି ଅମାନବୀୟ ବ୍ୟବହାର ତାର ଭୟଙ୍କର ପ୍ରମାଣ ସାମ୍ନାକୁ ଆସିଛି ନୂଆପଡ଼ା ଖଡ଼ିଆଳ ଥାନା ଖଲିଆଭଟା ଗାଁରୁ । ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକ ଘରକୁ ଫେରୁଥିବାବେଳେ ତାଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି ମାଲିକର ଗୁଣ୍ଡା । ଅଧା ରାସ୍ତାରେ ଟ୍ରେନରୁ ଟାଣି ନେଇ ତେଲ ପକାଇ, ପୋଡ଼ି ମାରିଦେବାକୁ ଉଦ୍ୟମ କରିଛନ୍ତି ।
ସୂଚନାନୁଯାୟୀ ଗାଁ ଲୋକଙ୍କ ସହ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶର ଆଲ୍ଲାନାମ ଯାଇଥିଲେ ବିଦ୍ୟାଧର ମାଝୀ । ଏକ ଇଟା ଭାଟିରେ କାମ କରୁଥିବାବେଳେ ସ୍ତ୍ରୀକୁ ନିଜ ପାଖକୁ ନେବା ପାଇଁ ଗାଁକୁ ଆସୁଥିଲେ । ବାଟରେ ଶ୍ରୀକାକୁଲମ ଷ୍ଟେସନରେ ତାଙ୍କୁ ଟ୍ରେନରୁ ଟାଣି ନେଇଥିଲେ କେତେକ ଦୁର୍ବୃତ୍ତ । ବିଦ୍ୟାଧରଙ୍କ ଦେହରେ ତେଲ ଢାଳି ଦିଆସିଲି ମାରିଦେଲେ । ପ୍ରଥମେ ଆନ୍ଧ୍ରର ଏକ ହସ୍ପିଟାଲ ପରେ ସେଠାରୁ ଆସି ନୂଆପଡ଼ା ମୁଖ୍ୟ ଡାକ୍ତରଖାନାରେ ହୋଇଥିଲେ ଚିକିତ୍ସିତ । ଦେହ ୬୦ ପ୍ରତିଶତ ଜଳି ଯାଇଥିବା ବେଳେ ଏବେ ଘରେ ଅଛନ୍ତି ବିଦ୍ୟାଧର । ଠିକ୍ ଭାବେ ଚଲାବୁଲା କରିପାରୁନାହାନ୍ତି ।
ଖଡ଼ିଆଳ ଏସଡିପିଓ, IIC, ଶ୍ରମ ବିଭାଗ ଅଧିକାରୀ ବିଦ୍ୟାଧରଙ୍କ ଗାଁକୁ ଯାଇ ତାଙ୍କୁ ଭେଟିଛନ୍ତି । ଘଟଣାର ସଠିକ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଓ ଗାଁ ଲୋକେ । ଦାଦନ ଗଡ଼ ନୂଆପଡ଼ା ଜିଲ୍ଲାରେ କମୁନି ଦାଦନ ଯନ୍ତ୍ରଣା । ଲୋକେ ବାହାରକୁ କାମ କରିବାକୁ ଯାଇ ଏମିତି ଜୀବନ ମରଣ ସମସ୍ୟା ଭୋଗୁଥିବାବେଳେ କେମିତି ଏଥିରେ ବିରାମ ଲାଗିବ ତାହା ବର୍ତ୍ତମାନ ସମୟରେ ବଡ଼ ପ୍ରଶ୍ନ ।
📱 Get Argus News App
✨Related Topics
Explore more stories