Parking Certificate / ଟ୍ରାଫିକ୍ ଜାମ୍ ରୋକିବ ନୂଆ ପାର୍କିଂ ନୀତି, ଗାଡ଼ି କିଣିବା ପୂର୍ବରୁ ଦେଖାଇବାକୁ ପଡ଼ିବ ପାର୍କିଂ ପ୍ରମାଣପତ୍ର

Key Points
ଆସିଲା ‘ଓଡ଼ିଶା ଅର୍ବାନ ପାର୍କିଂ ପଲିସି-୨୦୨୬’
ନୂଆ ଗାଡ଼ି ପଞ୍ଜିକରଣ ପାଇଁ ପାର୍କିଂ ପ୍ରମାଣପତ୍ର ଜରୁରୀ
ନିୟମ ଭାଙ୍ଗିଲେ ମୋଟା ଜୋରିମାନା
ସହରାଞ୍ଚଳରେ ଦିନକୁ ଦିନ ବଢ଼ୁଥିବା ଗାଡ଼ି ସଂଖ୍ୟା ଓ ବେଆଇନ ପାର୍କିଂ ଯୋଗୁଁ ଟ୍ରାଫିକ୍ ଜାମ୍ ସମସ୍ୟା ଗମ୍ଭୀର ହେବାରେ ଲାଗିଛି । ଏହାର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଆଣିଛନ୍ତି ‘ଓଡ଼ିଶା ଅର୍ବାନ ପାର୍କିଂ ପଲିସି-୨୦୨୬’ । ଏହି ନୂଆ ନୀତି ଲାଗୁ ହେଲେ ଆଉ ମନଇଚ୍ଛା ରାସ୍ତା କିମ୍ବା ଫୁଟପାଥ୍ ଉପରେ ଗାଡ଼ି ପାର୍କିଂ କରିବା ସମ୍ଭବ ହେବ ନାହିଁ । ଏପରିକି ନୂଆ ଘରୋଇ ଗାଡ଼ି କିଣିବା ଓ ପଞ୍ଜିକରଣ ପୂର୍ବରୁ ମାଲିକଙ୍କୁ ନିଜସ୍ୱ ପାର୍କିଂ ସ୍ଥାନ ଥିବାର ପ୍ରମାଣ ଦେବାକୁ ପଡ଼ିବ ।
ସରକାରୀ ତଥ୍ୟ ଅନୁଯାୟୀ, ୨୦୧୭-୧୮ରେ ରାଜ୍ୟରେ ପଞ୍ଜିକୃତ ଗାଡ଼ି ସଂଖ୍ୟା ୯୧.୩ ଲକ୍ଷ ଥିବାବେଳେ ୨୦୨୩-୨୪ ସୁଦ୍ଧା ଏହା ୬୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ୧.୫ କୋଟି ଟପିଛି । ଏହି ବର୍ଦ୍ଧିତ ଯାନବାହନ ଚାପକୁ ଦୃଷ୍ଟିରେ ରଖି ପାର୍କିଂ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ନୀତିରେ ଅନେକ ପଦକ୍ଷେପ ନିଆଯାଇଛି ।
ନୂଆ ବ୍ୟବସ୍ଥା ଅନୁଯାୟୀ, ଆବାସିକ ଅଞ୍ଚଳରେ ‘ରେସିଡେନ୍ସିଆଲ୍ ପାର୍କିଂ ପରମିଟ୍’ ଲାଗୁ ହେବ । ପ୍ରତି ପରିବାର ଓ ପ୍ରତିଷ୍ଠାନ ପାଇଁ ପାର୍କିଂ ପରମିଟ୍ ସଂଖ୍ୟା ସୀମିତ ରଖାଯିବ । ସେହିପରି ୧୨ ମିଟରରୁ କମ୍ ଚଉଡ଼ା ଥିବା ଆବାସିକ ରାସ୍ତାରେ ପାର୍କିଂ ସମ୍ପୂର୍ଣ୍ଣ ନିଷିଦ୍ଧ ହେବ । ନିୟମ ଉଲ୍ଲଂଘନ କଲେ ଗାଡ଼ି ଚାଳକଙ୍କୁ ଜରିମାନା ଦେବାକୁ ପଡ଼ିବ ।
ଏଥିସହ ମୋବାଇଲ୍ ଆପ୍ ଜରିଆରେ ଖାଲି ପାର୍କିଂ ସ୍ଲଟ୍ ସମ୍ପର୍କରେ ଜାଣିବା ଓ ଅନଲାଇନ୍ ବୁକିଂ କରିବାର ସୁବିଧା ମିଳିବ । ପାର୍କିଂରୁ ଆଦାୟ ହେଉଥିବା ରାଜସ୍ୱକୁ ଫୁଟପାଥ୍, ସାଇକେଲ ଟ୍ରାକ୍, ଇଭି ଚାର୍ଜିଂ ଷ୍ଟେସନ୍ ଓ ସାଧାରଣ ପରିବହନର ବିକାଶରେ ବିନିଯୋଗ କରାଯିବ ।
ତେବେ ଏହି ନୀତିର ଚିଠା ପ୍ରସ୍ତାବ ଉପରେ ସରକାର ୧୫ ଦିନ ମଧ୍ୟରେ ସାଧାରଣ ଲୋକଙ୍କଠାରୁ ମତାମତ ଓ ଆପତ୍ତି ଆହ୍ୱାନ କରିଛନ୍ତି । ନାଗରିକଙ୍କ ପରାମର୍ଶକୁ ଗୁରୁତ୍ୱ ଦେଇ ଏହାକୁ ଅଧିକ ଲୋକାଭିମୁଖୀ କରିବା ଲକ୍ଷ୍ୟ ରହିଛି । ଏହି ନୀତି କାର୍ଯ୍ୟକାରୀ ହେଲେ ସହରରେ ପାର୍କିଂ ଶୃଙ୍ଖଳା ଫେରିବା ସହ ଟ୍ରାଫିକ୍ ଜାମ୍ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।
📱 Get Argus News App
✨Related Topics
Explore more stories