ଦୁଇ ମହାନାୟକଙ୍କ ଜୟନ୍ତୀରେ ଓଡ଼ିଶା ଜଣାଇଲା ଶ୍ରଦ୍ଧାଞ୍ଜଳି

ଦୁଇ ମହାନାୟକଙ୍କ ଜୟନ୍ତୀରେ ଓଡ଼ିଶା ଜଣାଇଲା ଶ୍ରଦ୍ଧାଞ୍ଜଳି
ନେତୀଜୀଙ୍କ ଜନ୍ମମାଟି ରେ ପରାକ୍ରମ ଦିବସର ନେତୃତ୍ବ ନେଲେ ମୁଖ୍ୟମନ୍ତ୍ରୀ
ସୁରେନ୍ଦ୍ର ସାଏଙ୍କ ଜନ୍ମମାଟିରେ ତ୍ରୀରଙ୍ଗା ଯାତ୍ରାର ନେତୃତ୍ବ ନେଲେ କେନ୍ଦ୍ରମନ୍ତ୍ରୀ
ମୋହନ କହିଲେ ଲୁଚାଇ ଦିଆଯାଇଛି ନେତାଜୀଙ୍କ ପ୍ରକୃତ ଇତିହାସ
ଧର୍ମେନ୍ଦ୍ର କହିଲେ ଦୁଇ ବୀର ସଂଗ୍ରାମୀଙ୍କ ଅବଦାନ ପାଇଁ କୃତଜ୍ଞ ଦେଶ
ଅର୍ଗସ ବ୍ୟୁରୋ : ଭାରତମାତାର ବୀର ସୁପୁତ୍ର ତଥା ଓଡ଼ିଶା ମାଟିର ଗୌରବ ନେତଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଜନ୍ମମାଟି କଟକରେ ପାଳନ ହୋଇଛି ପରାକ୍ରମ ଦିବସ। ଜୟ ହିନ୍ଦ, ବନ୍ଦେ ମାତରଂ ଓ ଭାରତ ମାତା କୀ ଜୟ ଧ୍ବନିରେ ଗୁଞ୍ଜରିତ ହୋଇଛି କଟକ ସହର। କଟକରେ ପ୍ରଥମ ଥର ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିତ ଭାବେ ଆୟୋଜିତ ହୋଇଛି ପରାକ୍ରମ ଦିବସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ନେତାଜୀଙ୍କୁ ଦିଆଯାଇଛି ଉଚିତ୍ ସମ୍ମାନ। ତାଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରିବା ପାଇଁ ୨୦୨୧ରେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ। ଦିଲ୍ଲୀରେ ନେତାଜୀଙ୍କର ବିଶାଳ ସଂଗ୍ରହାଳୟ ସ୍ଥାପନ ହୋଇଛି। ଇଣ୍ଡିଆ ଗେଟରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଦେଶର ସ୍ଵାଧୀନତା ସଂଗ୍ରାମରେ ନେତାଜୀ ଓ ଆଜାଦ ହିନ୍ଦ ଫୌଜର ଭୂମିକା ସମ୍ପର୍କରେ ଥିବା ପ୍ରକୃତ ଇତିହାସକୁ ଲୁଚେଇ ରଖାଯାଇଛି। ନେତାଜୀଙ୍କ ସମ୍ପର୍କରେ ଅଧ୍ୟୟନ କରିବା ପାଇଁ ଯୁବ ପୀଢ଼ିଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ପରାକ୍ରମ ଦିବସ କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, କଟକ ସାଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସତ୍ୟବ୍ରତ ଷ୍ଟାଡିୟମରେ ନେତାଜୀଙ୍କ ଜୀବନୀ ସହ ବାର୍ତ୍ତା ପ୍ରଦର୍ଶିତ କରାଯାଇଥିଲା। ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ ଦ୍ଵାରା ନିର୍ମିତ ନେତାଜୀଙ୍କ ବାଲୁକା କଳାକୃତି ପ୍ରଦର୍ଶିତ ହୋଇଥିଲା। ଏଥିସହ ବିଭିନ୍ନ ଶିଳ୍ପୀଙ୍କ ଦ୍ଵାରା ପ୍ରସ୍ତୁତ ନଟବୋଲ୍ଡରେ ନେତାଜୀଙ୍କ ପ୍ରତିମୂର୍ତ୍ତି, ପଥର ପ୍ରତିମୂର୍ତ୍ତି ମଧ୍ୟ ପ୍ରଦର୍ଶିତ କରାଯାଇଛି।
ସେପଟେ ବୀର ସୁରେନ୍ଦ୍ର ସାଏଙ୍କ ୨୧୭ ତମ ଜୟନ୍ତୀ ଅବସରରେ ଜନ୍ମମାଟି ସମ୍ବଲପୁରର ଖିଣ୍ଡାରେ ଆୟୋଜିତ ହୋଇଛି ଭବ୍ୟ କାର୍ଯ୍ୟକ୍ରମ। ଏଥିରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖିଣ୍ଡା ଛକ ନିକଟରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଆୟୋଜିତ ତ୍ରୀରଙ୍ଗା ଶୋଭାଯାତ୍ରାର ନେତୃତ୍ବ ନେଇଥିଲେ କେନ୍ଦ୍ରମନ୍ତ୍ରୀ। ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ, ପୂର୍ବତନ ବିଧାୟକ ନାଉରୀ ନାୟକ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଏହି ଶୋଭାଯାତ୍ରାରେ ହୋଇଥିଲେ ସାମିଲ। ଖିଣ୍ଡା ଗାଁରେ ଆୟଜିତ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ସମାରୋହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ସମ୍ବୋଧନ କରି ନିଜ ପାଇଁ ନୁହେଁ, ସମୂହଙ୍କ ହିତ ପାଇଁ କାମ କରିବାକୁ ଦେଇଥିଲେ ଆହ୍ବାନ। ଧର୍ମେନ୍ଦ୍ର କହିଥିଲେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀଙ୍କ ତ୍ୟାଗ, ବଳିଦାନ ଅବିସ୍ମରଣୀୟ। ଦୁଇ ବୀର ସଂଗ୍ରାମୀଙ୍କ ଅବଦାନ ଆଗରେ କୃତଜ୍ଞ ଦେଶ। ଏଥିସହ ଖିଣ୍ଡା ଗାଁକୁ ଏକ ଦର୍ଶନୀୟ ସ୍ଥାନ ଭାବେ ପରିଣତ କରାଯିବ ଯାହାକୁ ଦେଖି ଲୋକେ ଗର୍ବ ଅନୁଭବ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।
ଏହା ପୂର୍ବରୁ ପ୍ରଥମେ ସମ୍ବଲପୁର ସହର ଗାନ୍ଧି ପାର୍କରେ ସମ୍ଵାଦ ଗୃପ ପକ୍ଷରୁ ଆଯୋଜିତ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଵାଷ ଚନ୍ଦ୍ର ବୋଷଙ୍କ ଜୟନ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ। ସେହିପରି ଫୋର ସିଂ ଗ୍ରାଉଣ୍ତରେ ଆୟୋଜିତ ଦ୍ଵିତୀୟ ବୀର ସୁରେନ୍ଦ୍ର ସାଏ ରାଜ୍ୟସ୍ତରୀୟ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଘାଟନି ଉତ୍ସବରେ ମଧ୍ୟ ଯୋଗ ଦେଇଥିଲେ ଧର୍ମେନ୍ଦ୍ର।