Operation Prahar: ନିଶା ବେପାର କଲେ ଆଉ ନିସ୍ତାର ନାହିଁ, ଘରେ ବୁଲିବ ବୁଲଡୋଜର !

Key Points
ଜେଲରୁ ଆସିବା ପରେ ସାବିତ୍ରୀ ପୁଣି ଚଳାଇଥିଲା ନିଶା ସାମ୍ରାଜ୍ୟ।
୮୧ ହଜାର ନଗଦ ଟଙ୍କା, ଦୁଇଟି ମୋବାଇଲ, ଗୋଟିଏ ଗାଡ଼ି ଜବତ କରିଛି ପୋଲିସ ।
ଓଡ଼ିଶାରେ ବୁଲିଲା ବୁଲଡୋଜର । ଭାଙ୍ଗିଲା ଅପରାଧୀଙ୍କ ଘର । ଯୋଗୀ ଷ୍ଟାଇଲ୍ରେ ମୋହନ ସରକାର । ଆକ୍ସନ ଅନ୍ ଦ ସ୍ପଟ୍ । ଯିଏ ଅପରାଧ କରିବ, ତାକୁ ନିସ୍ତାର ନାହିଁ । ଅପରାଧୀଙ୍କୁ ରୋକିବା ପାଇଁ କମିଶନରେଟ୍ ପୋଲିସ ଆରମ୍ଭ କରିଛି ଅପରେସନ୍ ପ୍ରହାର । ନିଶା ମାଫିଆଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି ।
ଆଉ ନିସ୍ତାର ପାଇବେନି ନିଶା ମାଫିଆ । ଗଞ୍ଜେଇ ମାଫିଆଙ୍କୁ ପୋଲିସର ପ୍ରହାର । ଘର ଉପରେ ବୁଲିଲା ବୁଲଡୋଜର, ମାଟିରେ ମିଶିଲା ଗଞ୍ଜେଇ ମାଫିଆ ଘର। ଜେସିବି ଲଗାଇ ନିଶା ମାଫିଆ ସାବିତ୍ରୀ ବେହରାର ଘର ଭାଙ୍ଗିଲା ନୟାପଲି ଥାନା ପୋଲିସ। ଅପରେସନ ପ୍ରହାର ଜରିଆରେ କୁଖ୍ୟାତ ନିଶା ମାଫିଆ ସାବିତ୍ରୀ ବେହରାକୁ ଗିରଫ କରିଥିଲା କମିସନରେଟ ପୋଲସ । ତା' ନିକଟରୁ ଜବତ ହୋଇଥିଲା ଏକ କେଜିରୁ ଅଧିକ ଗଂଜେଇ । ଜେଲରୁ ଆସିବା ପରେ ସାବିତ୍ରୀ ପୁଣି ଚଳାଇଥିଲା ନିଶା ସାମ୍ରାଜ୍ୟ। ଆଇଡି ମାର୍କେଟ ପଛ ପଟେ ଦୋକାନ କରି ଚଲାଇଥିଲା ନିଶା କାରବାର। ସ୍କୁଲ ନିକଟରେ ଦୋକାନ କରି ବିକୁଥିଲା ଗଞ୍ଜେଇ ।
ଗତ ୭ଦିନ ମଧ୍ୟରେ କମିସନରେଟ ପୋଲିସର ଅପରେସନ ପ୍ରହାରକୁ ମିଳିଛି ବଡ଼ ସଫଳତା । ବିଭିନ୍ନ ଥାନାରେ ୧୩ଟି ମାମଲା ରୁଜୁ ହେବା ସହ ୧୯ ଜଣ ନିଶା ମାଫିଆଙ୍କୁ ଗିରଫ କରିଛି କମିସନରେଟ ପୋଲିସ । କେବଳ ବ୍ରାଉନସୁଗର ବିକ୍ରି ମାମଲାରେ ୩ ଜଣ ନିଶା ମାଫିଆ ଗିରଫ ହେବା ସହ ୫୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ୮୧ ହଜାର ନଗଦ ଟଙ୍କା ଜବତ ହୋଇଥିବା ବେଳେ ଦୁଇଟି ମୋବାଇଲ ଏବଂ ଗୋଟିଏ ଗାଡ଼ି ଜବତ କରିଛି ପୋଲିସ ।
ସେହିଭଳି ୧୬ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଥିବା ବେଳେ ୨୬ କେଜି ୫୧୫ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ୩୦ ହଜାରରୁ ଅଧିକ ଟଙ୍କା ଶହ ଦୁଇଟି ମୋବାଇଲ ଏବଂ ଦୁଇଟି ଗାଡ଼ି ଜବତ କରିଛି ପୋଲିସ।
ଆଗକୁ ଯେଉଁମାନେ ନିଶା ବିକ୍ରି କରିବେ ସେମାନଙ୍କ ଘରକୁ ବୁଲଡୋଜର ଲଗାଇ ଭାଙ୍ଗିବାକୁ ଚେତାବନୀ ଦେଇଛି ପୋଲିସ । କମିସନରେଟ ପୋଲିସର ଏଭଳି ଏନଫୋର୍ସମେଣ୍ଟ ନିଶା ବେପାରୀଙ୍କ ମନରେ ଭୟ ସୃଷ୍ଟି କରିଛି ।