Odisha Politics: ଥମୁନି କନ୍ଦଳ, ଫାଟୁଛି ଶଙ୍ଖ; ଯେତେ ପ୍ୟାଚ ପକାଇଲେ ବି ଫାଟ ଜଳ ଜଳ !

Key Points
ଅହଙ୍କାର, ଦାମ୍ଭିକତା, ବଳ ଓ ବଡ଼ପଣର ମୃତ୍ୟୁ ହୁଏ । କାହାର ଫାଇଦା ନେଇ ସମସ୍ତଙ୍କ ସମ୍ମୁଖରେ ଆତ୍ମ ପ୍ରଚାର କରିବା ଗ୍ରହଣୀୟ ନୁହେଁ ।
ବିଜେଡିକୁ ସତେ ଯେମିତି ଏବେ ଶନି ଗ୍ରାସ କରିଛନ୍ତି । ଜଣକ ପରେ ଜଣେ ନେତା ଦଳ ଛାଡ଼ୁଛନ୍ତି, ଜଣକ ପରେ ଜଣେ ନେତା ବିଷ ଉଗାଳୁଛନ୍ତି । ଦୀର୍ଘ ଦିନ ଧରି ଚପି ରହିଥିବା ଅସନ୍ତୋଷ ଏବେ ପଦାକୁ ଆସୁଛି । ସତ୍ତା ଚାଲିଯିବା ପରେ କେହି କାହାକୁ ମାନିବାକୁ ନାରାଜ୍ । ଏହାରି ଭିତରେ କଥା ଉଠୁଛି, ପାଣ୍ଡିଆନ ଅଛନ୍ତି ବୋଲି ଦଳ ଭାଙ୍ଗି ଭାଙ୍ଗି ଯାଉଛି । ନଚେତ ଏବେ ବି ନବୀନ କଥାରେ ଉଠ୍ବସ୍ ହେବାକୁ ପ୍ରସ୍ତୁତ ବିଜେଡି ନେତା ।
ବଲାଙ୍ଗିର-ଆଠଗଡ଼-ଭୁବନେଶ୍ୱର-ନୟାଗଡ଼-କଟକ-ରାୟଗଡ଼ା-କେନ୍ଦୁଝର ବିଜେଡି ନେତାଙ୍କ ଅସନ୍ତୋଷ ପଦାରେ ପଡ଼ିବା ପରେ ଏବେ ତାଲିକାରେ ଯୋଡ଼ି ହୋଇଛି ବାଲେଶ୍ୱର । ବାଲେଶ୍ବର ବିଜେଡିରେ ଦିନକୁ ଦିନ ଅଧିକ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ । ଶଶି ସାହୁ ଏଣ୍ଡ କୋଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ବର ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ଜ୍ୟୋତି ପାଣିଗ୍ରାହୀ ।
ଏକ ଭିଡିଓ ପୋଷ୍ଟ କରି ବିଜେଡିର ଅନ୍ୟତମ ନେତା ଶଶି ସାହୁଙ୍କୁ ଟାର୍ଗେଟ୍ କରିଛନ୍ତି ଶ୍ରୀ ପାଣିଗ୍ରାହୀ । ସେ କହିଛନ୍ତି ଅର୍ଥ ବଳ, ବାହୁବଳର ଭୟ, ମିଥ୍ୟା ଅପପ୍ରଚାର ଓ ମିଥ୍ୟା ପ୍ରତିଶ୍ରୁତିର ବଳ ଦିନେ କୁହୁଡ଼ି ଭଳି ମିଳାଇଯିବ । କ୍ରିକେଟ ମ୍ୟାଚର ଉଦାହରଣ ଦେଇ ମଧ୍ୟ କହିଛନ୍ତି ଖେଳରେ ହାରିଯିବା ପରେ ଦଳ ନିଜର ଆତ୍ମ ସମୀକ୍ଷା, ଦୋଷ ଦୁର୍ବଳତା ଜାଣି ନପାରି ସଂଶୋଧନ ପ୍ରକ୍ରିୟା ନକରି ଖେଳ ପରିଚାଳନା କରୁଥିବା ଅମ୍ପାୟାର, ପାଗ, ଦର୍ଶକ ଆଦିଙ୍କୁ ଦୋଷ ଦିଅନ୍ତି । ପଦ ପଦବୀ ପାଇଲେ ସେବା କରିବି ନପାଇଲେ କରିବିନି ସେମିତି ଦାବି କରିବା କାପୁରୁଷର ଲକ୍ଷଣ । ପୁରାଣରେ ଦୁର୍ଯ୍ୟୋଧନ ଓ ରାବଣର ମୃତ୍ୟୁ ହୁଏ ବୋଲି କୁହାଯାଏ, କିନ୍ତୁ ତାହା ନୁହେଁ । ସେମାନଙ୍କର ଅହଙ୍କାର, ଦାମ୍ଭିକତା, ବଳ ଓ ବଡ଼ପଣର ମୃତ୍ୟୁ ହୁଏ । କାହାର ଫାଇଦା ନେଇ ସମସ୍ତଙ୍କ ସମ୍ମୁଖରେ ଆତ୍ମ ପ୍ରଚାର କରିବା ଗ୍ରହଣୀୟ ନୁହେଁ ।
ତେବେ ଜ୍ୟୋତିଙ୍କ ଏହି ଭିଡିଓର କିଛି ଦିନ ପୂର୍ବରୁ... ଜ୍ୟୋତି ପାଣିଗ୍ରାହୀ ଓ ତାଙ୍କ ଟିମ୍କୁ ଏକ ଭିଡିଓ ମାଧ୍ୟମରେ ଟାର୍ଗେଟ୍ କରିଥିଲେ ବାଲେଶ୍ବର ଶଶି ସାହୁ। ଯାହାକୁ କାଉଣ୍ଟର କରିଛନ୍ତି ଜ୍ୟୋତି ପାଣିଗ୍ରାହୀ ବୋଲି କର୍ମୀଙ୍କ ମହଲରେ ଜୋରଦାର ଆଲୋଚନା ଚାଲିଛି ।
ତେବେ ବିଜେଡି ନେତାଙ୍କ ମଧ୍ୟରେ କଳି ହେଉ କିମ୍ବା ନେତୃତ୍ୱକୁ ନେଇ ଅସନ୍ତୋଷ, ଏସବୁ ୨୦୨୪ ପୂର୍ବରୁ ଦେଖା ଯାଉନଥିଲା । ଆଉ ଯଦି କାଁ ଭାଁ ଦିଶୁଥିଲା, ତାକୁ ପ୍ୟାଚ୍ ପଡ଼ିଯାଉଥିଲା । ହେଲେ ଏବେ ଆଉ ଅଠା ଧରୁନି କି ଲେପ କାମ କରୁନି । ଖୋଲା ଖୋଲି ନେତାମାନେ ଦଳୀୟ ନିଷ୍ପତ୍ତି ବିରୋଧରେ ମୁହଁ ଖୋଲୁଛନ୍ତି ।
ତେବେ କେବଳ ବାଲେଶ୍ବର ବିଜେଡି ନୁହେଁ ଖୋର୍ଦ୍ଧାରେ ବି ଜିଲ୍ଲା ସଭାପତି ଚୟନକୁ ନେଇ ଲାଗି ରହିଛି ଏମିତି ବିବାଦ। ଏହା ପୂର୍ବରୁ ରାୟଗଡ଼ାରେ ବି ସମାନ ସ୍ଥିତି ଦେଖାଯାଇଥିଲା । ଯେଉଁଥିପାଇଁ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଭାସ୍କର ରାଓ ବିଜେଡିରୁ ଇସ୍ତଫା ଦେଇଥିଲେ । ବିଜେଡିର ଏଭଳି ସ୍ଥିତି ଦେଖିଲେ.. ରାଜନୀତି ସମୀକ୍ଷକମାନେ କୁହନ୍ତି ନେତୃତ୍ୱ ମଜଭୁତ ନହେଲେ ବିଜେଡି ଆଉ ବେଶି ଦିନ ନୁହେଁ ।