Odisha Politics: ଦକ୍ଷିଣ ଓଡ଼ିଶାରେ ଭୁଶୁଡ଼ିଲା ବିଜେଡି ଗଡ଼ !

Key Points
ବିବାଦ ଭିତରେ ବିଜେଡିକୁ ବଡ ଝଟକା
ବିଜେଡି ଛାଡିଲେ ଏନ ଭାସ୍କର ରାଓ ଓ ଲାଲ ବିହାରୀ ହିମାରିକା
ରାୟଗଡ଼ା ଜିଲ୍ଲା ସଭାପତି ଚୟନକୁ ନେଇ ରାୟଗଡ଼ା ବିଜେଡିରେ କୁହୁଳୁଥିବା ଅସନ୍ତୋଷ ଉଗ୍ର ରୂପ ନେଇଛି । ବିନା ବ୍ୟାନରରେ ବୈଠକ କରି ଦଳ ଉପରେ ଅସନ୍ତୋଷ ଝାଡ଼ିବା ସହ ବିଜେଡିକୁ ବାଏ ବାଏ କରିଛନ୍ତି ପୂର୍ବତନ ବିଜେଡି ସାଂସଦ ଏନ୍ ଭାସ୍କର ରାଓ ଓ ଲାଲ ବିହାରୀ ହିମିରିକା । ବିଜୁଙ୍କ ନାଁରେ ବିଜୁ ସ୍ବାଭିମାନ ମଞ୍ଚ କରି ଗଢ଼ିଲେ ନୂଆ ଦଳ । ସେପଟେ ବାଲେଶ୍ବର ବିଜେଡିରେ ଫାଟ ଜଳ ଜଳ ।
ଦକ୍ଷିଣ ଓଡ଼ିଶାର ବିଜେଡି ଚେହେରା ଥିଲେ ଭାସ୍କର । ଭାସ୍କରଙ୍କ ସହ ବିଜେଡି ଛାଡ଼ିଥିବା ଲାଲ ବିହାରି ହିମିରିକା ରାୟଗଡ଼ାର ୩ ଥର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ଉପବାଚସ୍ପତି । କୋରାପୁଟ ବିଜେଡି ଜିଲ୍ଲା ସଭାପତି ଭାବେ ଜଗନ୍ନାଥ ଶାରକାଙ୍କ ନାମ ଘୋଷଣା ପରେ ବିରୋଧ କରିଥିଲେ ଏନ୍ ଭାସ୍କର ରାଓ ଓ ତାଙ୍କ ସମର୍ଥକ ।
କେବଳ ଦକ୍ଷିଣ ନହେଁ ଉତ୍ତର ଓଡ଼ିଶାରେ ବି ସମାନ ସ୍ଥିତି । ମୁହାଁମୁହିଁ ଶଶି ସାହୁ ଓ ସୁକାନ୍ତ ନାୟକ-ଜ୍ୟୋତି ପାଣିଗ୍ରାହୀ ଗୋଷ୍ଠୀ। ସୁକାନ୍ତ-ଶଶୀଙ୍କ ପତ୍ନୀ ତଥା ଗତ ନିର୍ବାଚନରେ ସିମୁଳିଆରୁ ବିଜେଡି ପ୍ରାର୍ଥୀ ସୁବାସିନୀ ସାହୁଙ୍କୁ ସୁକାନ୍ତ ନାୟକ ସଭାରେ ସାଇବେରିଆନ୍ ପକ୍ଷୀ କହିବାକୁ ନେଇ ବିବାଦ ବଢ଼ିଛି। ସୁବାସିନୀଙ୍କ ସ୍ବାମୀ ତଥା ବିଜେଡି ନେତା ଶଶୀ ସାହୁ ଜବାବ ଦେବା ସହ ପରାୟଜ ପାଇଁ ଜ୍ୟୋତି ପାଣିଗ୍ରାହୀଙ୍କୁ ଦାୟୀ କରିଛନ୍ତି ।
ଏପଟେ ନୂଆ ଛାତ୍ର ବିଜେଡି ସଭାପତି ଇପସିତା ସାହୁଙ୍କୁ ବିରୋଧ କରି ବିଷ ଓଗାଳିଛନ୍ତି ବିଜେଡି କର୍ପୋରେଟର ଅଜିତ ବେହେରା । ସେହିଭଳି ବିଜେଡି ଏକ୍ସପାରି ସମୟ ଆସିଯାଇଛି ବୋଲି କହିଛନ୍ତି ବିଜେଡିର ପୂର୍ବତନ ସାଂସଦ ତଥାଗତ ସତପଥୀ ।
ବିଜେଡି ଏବେ ବି ପାଣ୍ଡିଆନଙ୍କ ନିୟନ୍ତ୍ରଣରେ ରହିଛି । ଯାହାକୁ ନେଇ ରାଜା ସ୍ବାଇଁ, ଦେବାଶିଷ ସାମନ୍ତରାୟ, ବଦ୍ରି ପାତ୍ର, ଅଶୋକ ପଣ୍ଡା, ପ୍ରଫୁଲ୍ଲ ମଲ୍ଲିକ, ଭୁପିନ୍ଦର ସିଂହ ଓ ଶ୍ରୀମୟୀ ମିଶ୍ର ପ୍ରଶ୍ନ ଉଠାଇଛନ୍ତି। ଏହି କାରଣରୁ ବିଜେଡି କ୍ୟାମ୍ପରେ ବଡ଼ କଂପନ ସୃଷ୍ଟି ହୋଇଛି।