Odisha Politics: ୭ରେ ନାମାଙ୍କନପତ୍ର ଦାଖଲ, ୮ରେ ଭୋଟ୍

Key Points
ବିଗତ ନିର୍ବାଚନ ପରି ଚଳିତ ସାଙ୍ଗଠନିକ ନିର୍ବାଚନ ସ୍ଥାନୀୟ ସ୍ତରରୁ ଆରମ୍ଭ ହୋଇ ରାଷ୍ଟ୍ରୀୟ ସଭାପତିଙ୍କ ନିର୍ବାଚନରେ ଶେଷ ହେବ ।
ରିପିଟ୍ ହେବେ ମନମୋହନ ନା ମଙ୍ଗ ଧରିବେ ନୂଆ ଚେହେରା ?
୮ ତାରିଖରେ ରାଜ୍ୟ ବିଜେପି ପାଇବ ନୂଆ ସଭାପତି। ବିଜେପି ରାଜ୍ୟ ସଭାପତି ନିର୍ବାଚନ ନେଇ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଭାଜପା ରାଜ୍ୟ ସଭାପତି ନିର୍ବାଚନ ପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ମତଦାତା ସୂଚୀ ପ୍ରକାଶ ପାଇବ, ୭ରେ ନାମାଙ୍କନପତ୍ର ଦାଖଲ, ୮ରେ ରାଜ୍ୟ ସଭାପତି ପାଇଁ ଭୋଟ୍ ହେବ। ଜୁଲାଇ ୮ ତାରିଖରେ ସକାଳ ୯ରୁ ୧୧ଟା ଯାଏଁ ଭୋଟ ହେବ। ଏହାପରେ ଫଳାଫଳ ଘୋଷଣା ହେବ।
ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ଓ ତଦାରଖ କରିବା ପାଇଁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ବିହାର ସାଂସଦ ସଞ୍ଜୟ ଜୟସ୍ୱାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ପ୍ରତି ୩ ବର୍ଷରେ ଥରେ ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୁଏ ।
ବିଗତ ନିର୍ବାଚନ ପରି ଚଳିତ ସାଙ୍ଗଠନିକ ନିର୍ବାଚନ ସ୍ଥାନୀୟ ସ୍ତରରୁ ଆରମ୍ଭ ହୋଇ ରାଷ୍ଟ୍ରୀୟ ସଭାପତିଙ୍କ ନିର୍ବାଚନରେ ଶେଷ ହେବ । ଏଥିମଧ୍ୟରେ ବିଜେପିର ସ୍ଥାନୀୟ ସମିତି, ମଣ୍ଡଳ ସମିତି, ଜିଲ୍ଲା ସମିତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି ।
ତେବେ ପ୍ରଶ୍ନ ଉଠୁଛି ରିପିଟ୍ ହେବେ ମନମୋହନ ନା ମଙ୍ଗ ଧରିବେ ନୂଆ ଚେହେରା । କୁହାଯାଉଛି ୨୪ ନିର୍ବାଚନରେ ବିଜେପିକୁ ସରକାରକୁ ଆଣିବାରେ ପ୍ରମୁଖ ଭୂମିକା ଥିବା ମନମୋହନ ସାମଲଙ୍କୁ ଦଳ ରିପିଟ୍ କରିପାରେ। କେନ୍ଦ୍ରୀୟ ନେତୃତ୍ବ ନିକଟରେ ବିଜେଡି ସହ ମେଣ୍ଟ ନକରିବା ପାଇଁ ଦୃଢ଼ ଯୁକ୍ତି ରଖିବା ହେଉ କି ପ୍ରାର୍ଥୀ ଚୟନ ଏବଂ ପ୍ରଚାର ପରିଚାଳନାରେ ବି ମୁଖ୍ୟ ଭୂମିକା ନେଇଥିଲେ ମନମୋହନ। ତେଣୁ କେନ୍ଦ୍ରୀୟ ନେତୃତ୍ୱଙ୍କ ଗୁଡ୍ ବୁକ୍ରେ ମନମୋହନ ଥିବା ବେଳେ ତାଙ୍କୁ ଦଳ ପୁରସ୍କୃତ କରିପାରେ ।