ଓଡ଼ିଶାରେ ପୁଞ୍ଜିନିବେଶ କ୍ଷେତ୍ରରେ ପୂର୍ବର ସବୁ ରେକର୍ଡ ପାର, ଏମ୍ଓୟୁ କଲେ ୫୪ କମ୍ପାନୀ

Key Points
ଉତ୍କର୍ଷ ଓଡ଼ିଶା କନକ୍ଲେଭର ପ୍ରଥମ ଦିନରେ ସଫଳତା
୫୪ କମ୍ପାନୀଙ୍କ ସହ ବୁଝାମଣା ସ୍ଵାକ୍ଷର
ଆଦାନୀ ଗ୍ରୁପ କରିବ ୨.୨୮ ଲକ୍ଷ କୋଟିର ନିବେଶ
ଜେଏସପିଏଲ କରିବ ୭୦ ହଜାର କୋଟିର ନିବେଶ
ଭୁବନେଶ୍ଵର: ଉତ୍କର୍ଷ ଓଡ଼ିଶା କନକ୍ଲେଭର ପ୍ରଥମ ଦିନରେ ପୁଞ୍ଜିନିବେଶ କ୍ଷେତ୍ରରେ ରାଜ୍ୟକୁ ମିଳିଛି ଅଭୂତପୂର୍ବ ସଫଳତା । ଏବେ ଯାଏଁ ୫୪ଟି କମ୍ପାନୀଙ୍କ ସହ MOU ସ୍ଵାକ୍ଷର ହୋଇସାରିଲାଣି । ଆଦାନୀ ଗ୍ରୁପ୍ ୨.୨୮ ଲକ୍ଷ କୋଟି ଟଙ୍କା ଓ JSPL ଓଡ଼ିଶାରେ ୭୦ ହଜାର କୋଟିର ନିବେଶ କରିବାକୁ ଘୋଷଣା କରିଛନ୍ତି । କେନ୍ଦୁଝରରେ JSW କରିବ ୫ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଷ୍ଟିଲ୍ ପ୍ଲାଣ୍ଟ । ମୁଖ୍ୟମନ୍ତ୍ରୀ କହିଛନ୍ତି- ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଦେଶର ଡ୍ରାଇଭିଂ ଇଞ୍ଜିନ ହେବାକୁ ଯାଉଛି ।
ଉତ୍କର୍ଷ ଓଡ଼ିଶା କନକ୍ଲେଭର ପ୍ରଥମ ଦିନ ଓଡ଼ିଶାରେ ଶିଳ୍ପାୟନ ଓ ରୋଜଗାର ଦୃଷ୍ଟିରୁ ସୃଷ୍ଟି କରିଛି ଅପାର ସମ୍ଭାବନା । ଓଡ଼ିଶାରେ ଶିଳ୍ପାୟନ ଓ ପୁଞ୍ଜିନିବେଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟି ପରେ ପ୍ରଥମ ଦିନରେ ହିଁ ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ଆସିବାରେ ପୂର୍ବର ସବୁ ରେକର୍ଡ ହୋଇଛି ପାର । ବର୍ତ୍ତମାନ ସୁଦ୍ଧା ୫୪ଟି କମ୍ପାନୀଙ୍କ ସହ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇ ସାରିଛି । ଏହି ସଂଖ୍ୟା ୮୦ ପାର କରିବାର ରହିଛି ସମ୍ବାବନା ।
📱 Get Argus News App
✨ପ୍ରଥମ ଦିନରେ ସବୁଠୁ ବଡ଼ ପୁଞ୍ଜି ନିବେଶର ପ୍ରସ୍ତାବ ଆସିଛି ଆଦାନୀ ଗ୍ରୁପ ପକ୍ଷରୁ । ଓଡ଼ିଶାରେ ୨ ଲକ୍ଷ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ଦେଇଛି ଅଦାନୀ ଗ୍ରୁପ୍ । କମ୍ପାନୀ ପକ୍ଷରୁ ସିମେଣ୍ଟ, ପାୱାର, ଆଲୁମିନା, ସ୍ମେଲ୍ଟାର ଓ ଏନର୍ଜି କ୍ଷେତ୍ରରେ ଏହି ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ଆସିଥିବା ସୂଚନା ଦେଇଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା ।
ସେହିପରି ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ ଓଡ଼ିଶାରେ ୭୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ କରିଛନ୍ତି ଘୋଷଣା । ବର୍ତ୍ତମାନ ଅନୁଗୁଳରେ ଜେଏସପିଏଲର ୬ ମିଲିୟନ ଟନ୍ ଉତ୍ପାଦନକ୍ଷମତା ବିଶିଷ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ଥିବା ବେଳେ ଆଗାମୀ ୧ ବର୍ଷ ମଧ୍ୟରେ ଏହାର କ୍ଷମତା ୧୨ ମିଲିଅନ ଟନକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି କମ୍ପାନୀ ମୁଖ୍ୟ ତଥା ସାଂସଦ ନବୀନ ଜିନ୍ଦଲ ।
ସେହପରି ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ କ୍ରମେ କେନ୍ଦୁଝରରେ ଏକ ବଡ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ସରକାରଙ୍କ ସହ ଆଲୋଚନା ହୋଇଥିବା କହିଛନ୍ତି ନବୀନ ଜିନ୍ଦଲ । ଏହାଛଡ଼ା ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ କେଉଁଝର ଜିଲ୍ଲାରେ JSW ପକ୍ଷରୁ ଷ୍ଟିଲ ପ୍ଲାଣ୍ଟ ପାଇଁ MOU ସ୍ଵାକ୍ଷରିତ ହୋଇଛି । ୫ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଏହି ଷ୍ଟିଲ ପାଇଁ ୩୫ ହାଜର କୋଟି ଟଙ୍କା ନିବେଶ କରିବ ଜେଏସଡବ୍ଲୁ ।
ଉତ୍କର୍ଷ ଓଡ଼ିଶା କନକ୍ଲେଭ ଉଦଘାଟନୀ ସତ୍ରରେ ନିଜ ସ୍ଵାଗତ ଭାଷଣ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଥିଲେ, ଆଜି ଆମ ପାଇଁ ଗର୍ବ ଓ ଗୌରବର ଦିନ । ପ୍ରଧାନମନ୍ତ୍ରୀ ସବୁ ଗସ୍ତରେ ଓଡ଼ିଶାକୁ କିଛି ନା କିଛି ଉପହାର ଆଣି ଆସିଥାନ୍ତି ଏବଂ ଆଜି ଯେଉଁ ଉପହାର ଆଣିକି ଆସିଛନ୍ତି ତାହା ଓଡ଼ିଶାର ଦିଶା ବଦଳାଇ ଦେବ । ପୂର୍ବୋଦୟ ଢାଞ୍ଚାର ଆଜି ଶୁଭାରମ୍ଭ ହେବାକୁ ଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଳ୍ପ କ୍ଷେତ୍ରରେ ଓଡ଼ିଶା ବନିବାକୁ ଯାଉଛି ଦେଶର ଡ୍ରାଇଭିଂ ଇଞ୍ଜିନ୍ । ସିଙ୍ଗାପୁର ରାଷ୍ଟ୍ରପତି ଓଡ଼ିଶା ଆସିବା ଏବଂ ୮ ଟି ଏମଓୟୁ ସ୍ଵାକ୍ଷର କରିବା ଆମ ପାଇଁ ବହୁତ ବଡ଼ କଥା । ସମସ୍ତ ଶିଳ୍ପପତିଙ୍କ ପାଇଁ ଓଡ଼ିଶାର ଦ୍ଵାର ସବୁବେଳେ ଖୋଲା ରହିଛି । ସମସ୍ତେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗେଇ ଆସିବାକୁ ଶିଳ୍ପ ଜଗତକୁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।