ବିଷାକ୍ତ ମଦର ମାଷ୍ଟର ମାଇଣ୍ଡ କିଏ ?

Key Points
- ବିଷାକ୍ତ ମଦ ନେଉଛି ଜୀବନ
- ଗୋଟିଏ ଦିନରେ ଗଲା ୨ ଜୀବନ
- ଏବେ ବି MKCGରେ ଚାଲିଛି ୧୨ ଜଣଙ୍କ ଚିକିତ୍ସା
ଅର୍ଗସ ବ୍ୟୁରୋ: ଟେନ୍ସନ୍ ଦେଲାଣି ବିଷାକ୍ତ ମଦ ମୃତ୍ୟୁ । ଗୋଟିଏ ଦିନରେ ରାଜ୍ୟରେ ୨ ଜଣଙ୍କ ମୃତ୍ୟୁର ଖବର ଆସିବା ପରେ ଚର୍ଚ୍ଚା ଜୋର । ଖାଲି ୨ ଜଣଙ୍କ ଜୀବନ ଯାଇଛି ତାହା ନୁହେଁ ବରଂ ଏବେ ବି ୧୨ ଜଣ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ବିଷାକ୍ତ ମଦ ବିକ୍ରି କରିବା ପଛରେ କେଉଁମାନେ ଦାୟୀ ? କାହିଁକି ଏମିତି ଘଟଣା ଘଟିଲା ? ତାହାକୁ ନେଇ ଏବେ ଉଠିଲାଣି ଅନେକ ପ୍ରଶ୍ନ ।
ଫୁଲ ଟେନସନ୍ ବଢ଼ାଉଛି ଚିକିଟି ମଦ ଟ୍ରାଜେଡି । ବିଷାକ୍ତ ମଦର ବିଭୀଷିକାରେ ଗୋଟିଏ ଦିନରେ ଗଡିଲାଣି ଦୁଇ-ଦୁଇଟି ମୁଣ୍ଡ । ସକାଳେ ସାମ୍ନାକୁ ଆସିଥିଲା ଚିକିଟି ପେଣ୍ଠ ଜେନାପୁରର ଜୁର ବେହେରାଙ୍କ ମୃତ୍ୟୁ ଖବର, ଆଉ ଅପରାହ୍ନରେ ଆସିଲା ସେହି ଜେନାପୁରର ଲୋକନାଥ ବେହେରାଙ୍କ ଜୀବନ ଯିବାର ଖବର । ଉଭୟେ ବିଷାକ୍ତ ମଦ ପିଇ ଅସୁସ୍ଥ ହେବା ପରେ MKCGରେ ଚିକିତ୍ସାଧିନ ଥିଲେ । ତେବେ ଜୁରଙ୍କ ମୃତ୍ୟୁ ପରେ ମୃତଦେହକୁ ଧରି ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦାବିରେ ରାସ୍ତାରୋକ କରିଥିଲେ ଆତ୍ମୀୟ ସ୍ୱଜନ ଏବଂ ଗାଁ ଲୋକେ ।
କେମିତି ଓ କେଉଁଠୁ ଆସିଲା ବିଷାକ୍ତ ମଦ ? ସେନେଇ ତନାଘନା ଭିତରେ ୫ ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ । ସୂଚନା ଅନୁସାରେ, ସମସ୍ତେ ମାଉନ୍ଦପୁର ପାଖରେ ବିକ୍ରି ହେଉଥିବା ଦେଶୀ ମଦ ପିଇଥିଲେ । ଯାହାର ବ୍ୟବସାୟୀ ହେଉଛି ଦିଗପହଣ୍ଡି ଅଞ୍ଚଳର ସୁରେନ୍ଦ୍ର ମଲ୍ଲିକ। ସେପଟେ, ଅବକାରୀ ବିଭାଗର ଅତିରିକ୍ତ କମିଶନରଙ୍କ କହିବା କଥା, ବେଆଇନ ମଦ କାରବାର ଅଭିଯୋଗରେ ସୁରେନ୍ଦ୍ର ପୂର୍ବରୁ ବି ଜେଲ୍ ଯାଇଛି । ଜେଲରୁ ମୁକୁଳି ପୁଣି ଚଳାଇଥିଲା ମଦ ବେପାର। ତେବେ କିଏ ଏହି ସୁରେନ୍ଦ୍ର ମଲ୍ଲିକ? କାହା ପାୱାରରେ ସେ ଏମିତି ମଦ ବିକ୍ରି କରୁଛି ? ତାହାକୁ ନେଇ ଉଠିଲାଣି ପ୍ରଶ୍ନ ।
📱 Get Argus News App
✨ଗଂଜାମ । ଇଏ ଏମିତି ଏକି ଜିଲ୍ଲା ଯେଉଁଠାରେ ରାଜ୍ୟର ସର୍ବାଧିକ ମଦ ଦୋକାନ ରହିଛି । ଖାଲି ମଦ ଦୋକାନରେ ରେକର୍ଡ କରିଛି ତାହା ନୁହେଁ ବରଂ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ବି ଅପବାଦ ମୁଣ୍ଡାଇଛି । ସୂଚନା ଅନୁସାରେ, ଗଂଜାମ ଜିଲ୍ଲାରେ ୨୫ଟି ଲାଇସେନ୍ସପ୍ରାପ୍ତ ମହୁଲି ମଦ ଭାଟି ରହିଛି ସତ କିନ୍ତୁ ରାଜନୈତିକ ଛତ୍ରଛାୟାରେ ଛତୁଫୁଟିଲା ଭଳି ଚାଲିଛି ଅନେକ ବେଆଇନ ମଦ ଭାଟି । ପରିଣାମ ସ୍ୱରୂପ ୨୦୦୬, ମାର୍ଚ୍ଚ ୧୭ ରେ ଜିଲ୍ଲାର ସାନରାମଚନ୍ଦ୍ରପୁର, ଗଡ଼ହୁମ୍ମା, ମଧୁରଚୁଆଁ ଗାଁରେ ୨୨ ଜଣଙ୍କ ଯାଇଥିଲା ଜୀବନ ।
କେବଳ ଗଂଜାମ ଜିଲ୍ଲାରେ ନୁହେଁ ବରଂ ପୁରା ଓଡ଼ିଶାରେ ମଦ ମୃତ୍ୟୁର କଥା ସାମ୍ନାକୁ ଆସିଛି । ଅନେକ ଦିନ ତଳେ ବିଷାକ୍ତ ମଦ ପିଇ କଟକରେ ପ୍ରାୟ ୨୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସେତେବେଳେ ପୁରା ରାଜ୍ୟରେ ଚହଳ ପଡ଼ିଥିଲା । ଆଉ ଏବେ ପୁଣି ଥରେ ମଦ ମୃତ୍ୟୁ ହେବା ପରେ ଚର୍ଚ୍ଚା ଜୋର ଧରିଛି । ତେବେ ପୁରା ଘଟଣାରେ ଏହାରି ଭିତରେ RDC ତଦନ୍ତ କରିବେ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ।