Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

CM Mohan Majhi / ଓଡ଼ିଶାର ଲକ୍ଷ୍ୟ ୫୦୦ ବିଲିଅନ ଆମେରିକୀୟ ଡଲାର ଅର୍ଥନୀତି !

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ଓଡ଼ିଶାର ଲକ୍ଷ୍ୟ ୫୦୦ ବିଲିଅନ ଆମେରିକୀୟ ଡଲାର ଅର୍ଥନୀତି !
CS Anu Garg - CM Mohan Majhi

Key Points

ଦୁର୍ନୀତିଗ୍ରସ୍ତ, ଅପାରଗ ଏବଂ ଦାୟିତ୍ଵହୀନ ଅଧିକାରୀଙ୍କୁ ଚିହ୍ନଟ କରି ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଏବଂ ବାଧ୍ୟତାମୂଳକ ଅବସର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନୂଆ ବର୍ଷରେ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଆଭିମୁଖ୍ୟ। ଶାସନ-ପ୍ରଶାସନକୁ ଚଳଚଞ୍ଚଳ ଓ ଲୋକାଭିମୁଖୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଏକ ପନ୍ଦର-ଦଫା ନିର୍ଦ୍ଦେଶାବଳି ପ୍ରଦାନ କରିଛନ୍ତି। ଏହି ଦିଶା ନିର୍ଦ୍ଦେଶରେ ଓଡିଶା ଭିଜନ ଡକ୍ୟୁମେଣ୍ଟରେ ଆସନ୍ତା ଦୁଇବର୍ଷ ପାଇଁ ସରକାର ରେଖାଙ୍କିତ ଲକ୍ଷ୍ୟକୁ ହାସଲ କରିବା ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

୨୦୩୬ ସୁଦ୍ଧା ୫୦୦ ବିଲିଅନ ଏବଂ ଓଡ଼ିଶାକୁ ଶ୍ରେଷ୍ଠ ପାଞ୍ଚଗୋଟି ବିକଶିତ ରାଜ୍ୟ ମଧ୍ୟରେ ଆଣିବାକୁ ରାଜ୍ୟକୁ ଏକ ‘ମିଶ୍ରିତ ଅର୍ଥନୀତି’ ଆଡ଼କୁ ନେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ଆସନ୍ତା ଦୁଇବର୍ଷ ମଧ୍ୟରେ ସବୁ ଖାଲିଥିବା ସରକାରୀ ପଦ ପଦବୀକୁ ପୂରଣ କରିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଦୁର୍ନୀତିଗ୍ରସ୍ତ, ଅପାରଗ ଏବଂ ଦାୟିତ୍ଵହୀନ ଅଧିକାରୀଙ୍କୁ ଚିହ୍ନଟ କରି ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଏବଂ ବାଧ୍ୟତାମୂଳକ ଅବସର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ଜାନୁଆରି ୧ ତାରିଖଠାରୁ ସେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିବେ। ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ତାଙ୍କର ଶେଷ କାର୍ଯ୍ୟ ଦିବସରେ ଶ୍ରୀମତୀ ଗର୍ଗଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିଲେ। ଶ୍ରୀମତୀ ଗର୍ଗ ହେବେ ରାଜ୍ୟର ୪୭ତମ ମୁଖ୍ୟ ଶାସନ ସଚିବ। ଯଦି ପୂରା ସମୟ ସେ ଏହି ପଦବୀରେ ରୁହନ୍ତି, ତେବେ ତାଙ୍କ କାର୍ଯ୍ୟକାଳ ୩ ବର୍ଷ ୩ ମାସ ରହିବ।

୧୯୯୧ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ଅନୁ ଗର୍ଗ ପ୍ରଥମ ମହିଳା ଉନ୍ନୟନ କମିସନର୍ ଭାବେ ୨୦୨୩ ମାର୍ଚ୍ଚ ମାସରେ ନିଯୁକ୍ତି ପାଇଥିଲେ। ସେବେଠାରୁ ଜଳସମ୍ପଦ ବିଭାଗ, ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ତୁଲାଉଥିଲେ। ପୂର୍ବରୁ ସେ ମହିଳା ଓ ଶିଶୁ ବିକାଶ, ଶ୍ରମ, ସ୍ବାସ୍ଥ୍ୟ ଆଦି ବିଭାଗର ସଚିବ ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିଲା ବେଳେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟରେ କାର୍ଯ୍ୟ କରିବା ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

ଶ୍ରୀମତୀ ଗର୍ଗଙ୍କ ସ୍ବାମୀ ତଥା ୧୯୯୧ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ସୌରଭ ଗର୍ଗ ଏବେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଅଛନ୍ତି। ଉଭୟ ଉତ୍ତରପ୍ରଦେଶର ମୂଳ ବାସିନ୍ଦା। ଦାୟିତ୍ବ ଗ୍ରହଣ ପରେ ବିଦାୟୀ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଓ ନୂଆ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଥିଲେ। ତାଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ। ପ୍ରଥମ ମହିଳା ଭାବେ ରାଜ୍ୟ ପ୍ରଶାସନର ନେତୃତ୍ବ ନେବା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ, ଯାହା କି ସରକାରଙ୍କ ଉତ୍କର୍ଷତା ଓ ସଶକ୍ତୀକରଣକୁ ପ୍ରତିଫଳନ କରୁଛି। ତାଙ୍କର ବ୍ୟାପକ ଅଭିଜ୍ଞତା ଓ ଦୂରଦୃଷ୍ଟି ଓଡ଼ିଶାର ବିକାଶକୁ ଆହୁରି ଆଗକୁ ନେଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
CM Mohan Majhi | Odisha Targets Top-5 Developed State Status By 2036 | Argus News