ୟୁପି ଷ୍ଟାଇଲରେ ଓଡ଼ିଶାରେ ବୁଲିଲା ବୁଲଡୋଜର

Key Points
- ୟୁପି ଷ୍ଟାଇଲରେ ଓଡ଼ିଶାରେ ବୁଲିଲା ବୁଲଡୋଜର
- ସୋନୁ ଦୋକାନରୁ ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ
- ପଶ୍ଚିମରୁ ଆରମ୍ଭ ପୂର୍ବରେ ହେବ ଶେଷ
- ନେତାଙ୍କ ଛାତି ଧକଧକ
ଅର୍ଗସ ବ୍ୟୁରୋ: ମାଂସ ଦୋକାନ ଉପରେ ବୁଲିଲା ବୁଲଡୋଜର । ଦୃଶ୍ୟ ଦେଖିବା ପରେ ଆପଣ ଭାବୁଥିବେ କି ଏ ଦୋକାନ ଉପରେ କାହିଁକି ବୁଲିଲା ବୁଲଡୋଜର ? କାରଣ ଏଇ ମାଂସ ଦୋକାନରେ ହିଁ ଅପରାଧର ହେଉଥିଲା ମାଷ୍ଟର ପ୍ଲାନ । ମାଲିକ ମହମ୍ମଦ ସୋନୁର ନାଁରେ ବି ଥିଲା ୩୦ରୁ ଅଧିକ ମାମଲା । ସେଇଥି ଲାଗି ତ ପ୍ରଶାସନର ନିର୍ଦ୍ଦେଶରେ ବୁଲିଛି ବୁଲଡୋଜର ।
ଯୋଗୀଙ୍କ ବୁଲଡୋଜରକୁ ନେଇ ପୁରା ଦେଶରେ ବଡ ଚର୍ଚ୍ଚା । ଆଉ ଠିକ୍ ସେମିତି ଢଙ୍ଗରେ ଓଡ଼ିଶାରେ ଚାଲିଲା ମୋହନ ବୁଲଡୋଜର । ଝାରସୁଗୁଡ଼ା ବନ୍ଧବାହାଲରେ ଅପରାଧୀ ମହମ୍ମଦ ସୋନୁର ମାଂସ ଦୋକାନ ଉପରେ ଗତକାଲି ଚାଲିଲା ବୁଲଡୋଜର । ଜବରଦଖଲରେ ଥିଲା ୧୦ ରୁ ଅଧିକ ଦୋକାନ ଘର । ଛେଳି ମୁଣ୍ଡରେ ତ୍ରିରଙ୍ଗା ଲଗାଇ ବିବାଦରେ ଥିଲା ସୋନୁ । ସୋନୁ ଓ ସମ୍ପର୍କୀୟଙ୍କ ନାଁରେ ରହିଛି ୩୦ ରୁ ଅଧିକ ମାମଲା । ସେଇଥି ଲାଗି ତ ଝାରସୁଗୁଡା ବନ୍ଧବାହାଲରେ ଏମିତି ଚାଲିଛି ବୁଲଡୋଜର । ଅପରାଧୀଙ୍କୁ ସାବାଡ କରିବାକୁ ମୋହନ ସରକାର ନେଇଛି କଡ଼ା ଆଭିମୁଖ୍ୟ ।
ବୁଲଡୋଜର ଚାଲି ଭଙ୍ଗାଯାଇଥିବା ଏହି ସବୁ ଦୋକାନ ଘର ହେଉଛି ମହମ୍ମଦ ସୋନୁ ଓ ତାର ସମ୍ପର୍କୀୟଙ୍କର । ଏକାଧିକ ସାଂଘାତିକ ଅପରାଧିକ ମାମଲାରେ ଜଡ଼ିତ ଥିବା ମହମ୍ମଦ ସୋନୁର ଜବରଦଖଲରେ ଥିଲା ବନ୍ଧବାହଲ ସ୍ଥିତ ମାଂସ ଦୋକାନ, ମୋଟର ଗ୍ୟାରେଜ ଓ ରାସନ ଦୋକାନ । ଏସବୁ ଉପରେ ବୁଲଡୋଜର ଚଢାଇ ଉଚ୍ଛେଦ କରାଯାଇଛି । ଆଡିସନାଲ ତହସିଲଦାର କହିଛନ୍ତି, ମହମ୍ମଦ ସୋନୁକୁ ପୂର୍ବରୁ ନୋଟିସ କରାଯାଇଥିଲା । ତେବେ ସେ ଜାଗା ଖାଲି ନକରିବାରୁ ବଳପୂର୍ବକ ଉଚ୍ଛେଦ ବା ଫୋର୍ସଫୁଲ ଏଭିକସନ କରାଯାଇଛି । ଭଙ୍ଗା ଯାଇଥିବା ଦୋକାନ ଘର ମହମ୍ମଦ ସୋନୁ ଓ ତାଙ୍କ ସମ୍ପର୍କୀୟଙ୍କ ନାଁରେ ଥିଲା ।
📱 Get Argus News App
✨ସୂଚନା ଅନୁସାରେ, ମହମ୍ମଦ ସୋନୁ ନାଁରେ ୪ ଟି ମାମଲା ରହିଥିବା ବେଳେ ତାର ଭାଇ ମହମ୍ମଦ କମାଲ ନାଁରେ ରହିଛି ୧୯ ଟି ମାମଲା, ମହମ୍ମଦ ଜଲିଲ ନାଁରେ ରହିଛି ୩ ଟି ମାମଲା, ମହମ୍ମଦ ଜମାଲ ନାଁରେ ରହିଛି ୪ ଟି ମାମଲା ଏବଂ ମହମ୍ମଦ ସେହେଜାଦ ନାଁରେ ରହିଛି ୪ ଟି ମାମଲା । ୨ ବର୍ଷ ତଳେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ସାରା ଦେଶରେ ଚାଲୁଥିବା ବେଳେ ଏହି ମାଂସ ଦୋକାନରେ ଛେଳି ମୁଣ୍ଡ ଉପରେ ଲଗାଯାଇଥିଲା ତ୍ରିରଙ୍ଗା । ଯାହାକୁ ନେଇ ବିବାଦ ଉପଜୁଥିଲା । ଖାଲି ଏତିକି ନୁହେଁ ବରଂ ସ୍ଥାନୀୟ ଅଂଚଳରେ ଦାଦାବଟି ବି ଆଦାୟ କରୁଥିଲା ସୋନୁ । ଯେଉଁଥି ଲାଗି ସାଧାରଣ ଜନତା ତାକୁ ଦେଖିଲେ ଭୟ କରନ୍ତି ।
କିଛି ଦିନ ତଳେ ମହମ୍ମଦ ସୋନୁ ଟଙ୍କା ବିବାଦକୁ କେନ୍ଦ୍ରକରି ମନୋଜ ବାରିକ ନାମକ ଜଣେ ଲୋକ ଉପରକୁ ଗୁଳି ଫୁଟାଇଥିଲା । ସୋନୁକୁ ପୋଲିସ ଗିରଫ କରିବା ସହ ୨ ଟି ବନ୍ଧୁକ ଓ ୨୮ ରାଉଣ୍ଡ ଗୁଳି ଜବତ କରିଥିଲା l ଏବେ ମହମ୍ମଦ ସୋନୁ ଓ ତାର ସମ୍ପର୍କୀୟଙ୍କ ଉପରେ ମୋହନ ସରକାରଙ୍କ ପ୍ରହାର ପଡିଛି । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ପ୍ରଭାବଶାଳୀ ଓ ଧନୀଙ୍କ କୋଠା ବେଆଇନ ଭାବେ ନିର୍ମାଣ ହୋଇଥିଲେ ଚାଲିବ ବୁଲଡୋଜର । ଠିକ୍ ସେହି ଅନୁସାରେ ବୁଲଡୋଜର ଚାଲିବା ଆରମ୍ଭ ହୋଇଯାଇଛି ।