ରାତିଟା କଟିଯାଇଥିଲେ ବାବୁଙ୍କର ଚାକିରି ସରିଥାନ୍ତା, ହେଲେ ବେଳା ଖରାପ..

Key Points
ତାଙ୍କ ନିକଟରୁ ୨ ଲକ୍ଷ ୫ହଜାର ଟଙ୍କା ନଗଦ ଜବତ ହୋଇଛି।
୧୨୬ ଗ୍ରାମ୍ ସୁନା ଅଳଙ୍କାର, ୫୦ଲକ୍ଷର ବ୍ୟାଙ୍କ ଜମା ।
କଥାରେ ଅଛି ନା ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଠିକ୍ ସେମିତି ଆଉ ଜଣେ ବାବୁ ଧରାପଡ଼ିଛନ୍ତି ଭିଜିଲାନ୍ସ ହାତରେ । ଚାକିରି ସରିବାକୁ ଆଉ ମାତ୍ର ଦିନେ ବାକି ଥିଲା । ଦିନକ ପରେ ସେ ଅବସର ନେଇଥାନ୍ତେ। ହେଲେ ମାଡ଼ି ବସିଲା ଭିଜିଲାନ୍ସ । ଭାବିଥିଲେ ଯାହାହେଉ ଶୁରୁଖୁରୁରେ ଚାକିରି ଜୀବନ ସରିଲା, ଏବେ ଯାହା ରଖିଛି ଘରେ ଶନ୍ତିରେ ବସି ଖାଇବି । ହେଲେ ଗୋଟିଏ ଦିନ ପୂର୍ବରୁ ବଦଳିଗଲା ସବୁ ପରିସ୍ଥିତି । ଚୁରମାର ହୋଇଗଲା ବାବୁଙ୍କ ସବୁ ସ୍ୱପ୍ନ । ଏବେ ନା ପେନ୍ସନ୍ ମିଳିବ, ନା ଯେଉଁ ସମ୍ପତ୍ତି ରଖିଥିଲେ ଉପଭୋଗ କରିପାରିବେ । ଏମିତିକି ବାକି ଜୀବନ ତାଙ୍କୁ ଜେଲ୍ରେ ମଧ୍ୟ କଟିବାକୁ ପଡ଼ିପାରେ ।
ଆଜ୍ଞା ହଁ.. ଏମିତି କିଛି ଘଟଣା ଏବେ ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲାରୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ୍ର ସହକାରୀ ନିର୍ବାହୀଯନ୍ତ୍ରୀ (ଏଇଇ) ସୁଶୀଲ କୁମାର ପଣ୍ଡା। ଚାକିରିରୁ ଅବସର ନେବାର ଗୋଟିଏ ଦିନ ଆଗରୁ ଭିଜିଲାନ୍ସର ଧରପଗଡ଼ ତାଙ୍କ ନିଦ ହଜାଇଦେଇଛି। ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ୍ର ୭ଟି ଟିମ୍ ଏକକାଳୀନ ଗଞ୍ଜାମ ବ୍ଲକ୍ସ୍ଥିତ ତାଙ୍କ କାର୍ଯ୍ୟାଳୟ ସମେତ ବ୍ରହ୍ମପୁର ସହରର ରାମହରିନଗରସ୍ଥିତ ଘର, ଆଙ୍କୁଲିର ଘର, ତାଙ୍କ ଭାଇଙ୍କ ଫ୍ଲାଟ୍, ପୁରୀ ଚୁଡ଼ଙ୍ଗସାହିସ୍ଥିତ ଫ୍ଲାଟ୍, କବିସୂର୍ଯ୍ୟନଗର ଗୁଡ଼ିଆଳିସ୍ଥିତ ପୈତୃକ ଘର ଓ ପୁରୁଷୋତ୍ତମପୁର ବେଢ଼ା ଗ୍ରାମ ସ୍ଥିତ ଶ୍ବଶୁର ଘରେ ଚଢ଼ଉ କରିଛନ୍ତି। ଚଢ଼ଉରେ ୬ଜଣ ଡିଏସ୍ପି ୭ଜଣ ଇନ୍ସ୍ପେକ୍ଟରଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ।
ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ ଏଇଇ ଶ୍ରୀ ପଣ୍ଡା ଓ ତାଙ୍କ ପରିବାରବର୍ଗ ନାମରେ କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଥିବା ଭିଜିଲାନ୍ସ ବିଭାଗ ଆକଳନ କରିଛି। ବ୍ରହ୍ମପୁର ସହର ରାମହରିନଗରରେ ଏକ ତିନି ମହଲା କୋଠା ରହିଥିବା ବେଳେ ଆଙ୍କୁଲି ମୁକ୍ତେଶ୍ବର ଆପାର୍ଟମେଣ୍ଟ୍ରେ ଏକ ଫ୍ଲାଟ୍, ପୁରୀରେ ଏକ ଫ୍ଲାଟ୍, ଭୁବନେଶ୍ବର, ଖୋର୍ଦ୍ଧା ଓ ବ୍ରହ୍ମପୁରରେ ୬ଟି ପ୍ଲଟ୍ ରହିଛି।
ସେହିପରି ତାଙ୍କ ନିକଟରୁ ୨ ଲକ୍ଷ ୫ହଜାର ଟଙ୍କା ନଗଦ ଜବତ ହୋଇଛି। ଏହାବାଦ୍ ୧୨୬ ଗ୍ରାମ୍ ସୁନା ଅଳଙ୍କାର, ୫୦ଲକ୍ଷର ବ୍ୟାଙ୍କ ଜମା, ଗୋଟିଏ ମହିନ୍ଦ୍ରା କାର୍, ୧୦ ଲକ୍ଷ ଟଙ୍କାର ଘରକରଣା ସାମଗ୍ରୀ ଓ ବ୍ରହ୍ମପୁର ବିସିସି ବ୍ୟାଙ୍କରେ ଏକ ଲକର୍ ରହିଛି। ଘର, ଫ୍ଲାଟ୍ ଓ ପ୍ଲଟ୍ର ମୂଲ୍ୟ ଆକଳନ ଚାଲିଛି। ଯାଞ୍ଚ ସରିବା ପରେ ଚୂଡ଼ାନ୍ତ ସମ୍ପତ୍ତି ତାଲିକା ପ୍ରସ୍ତୁତ ହେବ ବୋଲି ଭିଜିଲାନ୍ସ୍ ବିଭାଗ ତରଫରୁ ସୂଚନା ମିଳିଛି।
ଶ୍ରୀ ପଣ୍ଡା ୧୯୯୭ରେ ସାନଖେମୁଣ୍ଡି ବ୍ଲକ୍ରେ ଚୁକ୍ତି ଭିତ୍ତିରେ କନିଷ୍ଠଯନ୍ତ୍ରୀ ଭାବେ ଚାକିରି ଆରମ୍ଭ କରିଥିଲେ। ଚାକିରି ନିୟମିତ ହେବା ପରେ ବିଭିନ୍ନ ସ୍ଥାନରେ କନିଷ୍ଠଯନ୍ତ୍ରୀ ଭାବେ କାମ କରିଥିଲେ। ୨୦୨୩ରେ ଏଇଇ ଭାବେ ପଦୋନ୍ନତି ପାଇ ସେ ଗଞ୍ଜାମ ବ୍ଲକ୍ରେ କାମ କରୁଥିଲେ ।