Weather News / ଓଡ଼ିଶାରେ ଆହୁରି ଥଣ୍ଡା ବଢ଼ିବ, ମାଇନସ୍ରେ ପହଞ୍ଚିଲାଣି ତାପମାତ୍ରା !

Key Points
ଖାଲି ସେତିକି ନୁହେଁ ସକାଳ ଓ ସନ୍ଧ୍ୟା ସମୟରେ ଏଇ ନିଆଁ ହିଁ ସେମାନଙ୍କ ପାଇଁ ସାହା ଭରସା ପାଲଟିଛି ।
ଛାଡ଼ୁନି ଶୀତ । ଦୁଇ ଦିନ ପାଇଁ ପାରଦ ସାମାନ୍ୟ ଉପରକୁ ଉଠିଥିଲେ ମଧ୍ୟ ପୁଣି ଖସିଛି । ଜାଡ଼ ମାଡ଼ରେ ସାରା ରାଜ୍ୟ ଏବେ ଅସ୍ତବ୍ୟସ୍ତ । ସକାଳୁ କମ୍ବଳ ଭିତରୁ ବାହାରକୁ ବାହାରି ହେଉନି, କି ସନ୍ଧ୍ୟା ହେଲେ ଖୋଲା ଆକାଶ ତଳେ ବୁଲି ହେଉନି । ଏମିତି ଥଣ୍ଡା ଲେଉଟୁଛି ଯେ, ନକହିବା ଭଲ । ଲଗାତର ଏଭଳି ଜାଡ଼ ମାଡ଼ ଯୋଗୁଁ ଏବେ ପ୍ରାୟ ପତ୍ୟେକ ଘରେ ଥଣ୍ଡା କାଶ, ଜ୍ୱର ପୀଡ଼ିତଙ୍କୁ ଦେଖିବାକୁ ମିଳିଛି ।
ହେଲେ ଏହାରି ଭିତରେ ଆଉ ଏକ ବଡ଼ ଖବର ହେଲା, ପୁଣି ମାଇନସକୁ ଖସିଛି ଶିମିଳିପାଳର ତାପମାତ୍ରା । ଅସହ୍ୟ ଶୀତରେ ଥରୁଛନ୍ତି ଅଞ୍ଚଳବାସୀ । ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଦିନ ତମାମ ଉତ୍ତରା ପବନ ପ୍ରବାହିତ ହେଉ ଥିବାରୁ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ଲୋକେ ଦିନ ରାତି ଶୀତ ବସ୍ତ୍ର ପିନ୍ଧିବା ସହ, ଘୋଡାଇ ହୋଇ ରହୁଛନ୍ତି । ଖାଲି ସେତିକି ନୁହେଁ ସକାଳ ଓ ସନ୍ଧ୍ୟା ସମୟରେ ଏଇ ନିଆଁ ହିଁ ସେମାନଙ୍କ ପାଇଁ ସାହା ଭରସା ପାଲଟିଛି ।
ବୁଧବାର ଶିମିଳିପାଳର ତାପମାତ୍ରା ମାଇନସ ଏକ ଡିଗ୍ରୀ ଥିବା ବେଳେ ଗୁରୁବାର ବି ମାଇନସ ଏକ ଡିଗ୍ରୀ ରେକର୍ଡ ହୋଇଛି । ସାରା ମୟୂରଭଞ୍ଜର ୨୬ଟି ବ୍ଲକ ମଧ୍ୟରୁ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଦଶ ଡିଗ୍ରୀ ପାଖା ପାଖି ରହୁଛି । ତେବେ ଶିମିଳିପାଳ ପାଦ ଦେଶରେ ଥିବା ଯଶିପୁର, ଶୁକୃଳି, ରରୁଆଁ, ଠାକୁରମୁଣ୍ଡା, କରଞ୍ଜିଆ, ବିଶୋଇ, ବାଙ୍ଗରିପୋଷୀ, ବାରିପଦା ପ୍ରଭୃତି ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି ।
ରାଜ୍ୟରେ ବିଭିନ୍ନ ସହରରେ ପାରଦ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଥିବା ବେଳେ ଆଗାମୀ ଦିନରେ ତାପମାତ୍ରା ଆହୁରି ନିମ୍ନଗାମୀ ହୋଇ ଶୀତ ଆହୁରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏଭଳି ସ୍ଥିତିରେ ରାଜ୍ୟରେ ୧୭ ତାରିଖ ଯାଏଁ ଶୀତ ଜାରି ରହିବ । ହେଲେ ପଶ୍ଚିମାଝଡ଼ ପ୍ରଭାବରେ ୧୮ ତାରିଖରୁ ତାପମାତ୍ରାରେ ବୃଦ୍ଧି ଘଟି ଶୀତରେ ବ୍ରେକ୍ ଲାଗିବା ସମ୍ଭାବନା ରହିଛି ।
ପ୍ରବଳ ଶୀତ ସାଙ୍ଗକୁ ଜାଡ଼ ଓ ଥଣ୍ଡା ଯୋଗୁଁ ଅଞ୍ଚଳବାସୀ ଖରା ଓ ନିଆଁର ସାହାରା ନେଉଛନ୍ତି। ପ୍ରବଳ କୁହୁଡ଼ି ଯୋଗୁଁ ଯାନବାହନ ଯାତାୟାତରେ ଅସୁବିଧା ହେଉଥିବା ବେଳେ ଦୁର୍ଘଟଣା ଘଟୁଛି। କହିବାକୁ ଗଲେ ପ୍ରବଳ ଶୀତ ଯୋଗୁଁ ଘୁ.ଉଦୟଗିରିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଶୀତ ଦାଉରୁ ରକ୍ଷା ପାଇବାକୁ ସନ୍ଧ୍ୟା ପୂର୍ବରୁ ଲୋକେ ନିଆଁ ଲଗାଇ ବସୁଛନ୍ତି। ପ୍ରବଳ ଥଣ୍ଡା ତୁଷାରପାତ ଯୋଗୁଁ ନୂଆବର୍ଷ ଆରମ୍ଭରୁ ଘୁ.ଉଦୟଗିରି ଅଞ୍ଚଳର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ବଣଭୋଜି ନିମନ୍ତେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି।
📱 Get Argus News App
✨Related Topics
Explore more stories