ମୋଦି-ଧର୍ମେନ୍ଦ୍ରଙ୍କ ପାଇଁ ଏବେ ଘରେ ଘରେ ପରିଚିତ ଓଡ଼ିଶା ବୁଣାକାରଙ୍କ ହସ୍ତତନ୍ତ

ବଢୁଛି ସମ୍ବଲପୁରୀ ପୋଷାକର ଚାହିଦା । କେବଳ ଜିଲ୍ଲା କି ରାଜ୍ୟ ନୁହେଁ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ମନ କିଣୁଛି ଓଡ଼ିଶା କାରିଗରୀ। ରାଜ୍ୟ ସରକାରଙ୍କ ବୟନ ଶିଳ୍ପ ଅଭିବୃଦ୍ଧି ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟାପକ ଯୋଜନା ହାତକୁ ନେଇ ବୁଣାକାର ମାନଙ୍କୁ ଆହୁରି ଅଧିକ ପ୍ରୋତ୍ସାହନ ସହ ସମ୍ବଲପୁରୀ ବସ୍ତ୍ରକୁ ବିଶ୍ୱଦରବାରରେ ପହଞ୍ଚାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଏବେ ଘରେ ଘରେ ପରିଚିତ ପଶ୍ଚିମ ଓଡ଼ିଶା ବୁଣାକାରଙ୍କ ହସ୍ତତନ୍ତ ।
ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଚିପିଲିମା ନିକଟ କୋର୍ଡଲା ଗାଁର ପ୍ରାୟ ୭୦ ଭାଗ ଲୋକ ପାରମ୍ପରିକ ଭାବେ ସମ୍ବଲପୁରୀ ଶାଢ଼ୀ ବୁଣି ଓଡ଼ିଶାରେ ଏକ ସତନ୍ତ୍ର ବୁଣାକାର ଗାଁ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି । ନୂତନ ଜ୍ଞାନ କୌଶଳ ସହ ବିଭିନ୍ନ କିସମର ବାନ୍ଧ କଳାରେ ସମ୍ବଲପୁରୀ ଶାଢ଼ୀ ଓ ବିଭିନ୍ନ ରଙ୍ଗବେରଙ୍ଗ କପଡ଼ା ବୁଣି ରାଜ୍ୟ ତଥା ରାଜ୍ୟ ବାହାରକୁ ବିକ୍ରି ପାଇଁ ପଠାଇଥାନ୍ତି ।
ଯାହାଦ୍ଵାରା ବୁଣାକାରଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିଛି । ରାଜ୍ୟ ସରକାରଙ୍କ ବୟନ ଶିଳ୍ପ ଅଭିବୃଦ୍ଧି ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟାପକ ଯୋଜନା ହାତକୁ ନେଇ ବୁଣାକାରମାନଙ୍କୁ ଆହୁରି ଅଧିକ ପ୍ରୋତ୍ସାହନ ସହ ସମ୍ବଲପୁରୀ ବସ୍ତ୍ରକୁ ବିଶ୍ୱଦରବାରରେ ପହଞ୍ଚାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ସ୍ବଦେଶୀ ଉତ୍ପାଦନକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି ପ୍ରଧାନମନ୍ତ୍ରୀ । ମନ କି ବାତ୍ କାର୍ଯ୍ୟକ୍ରମର ୧୧୨ତମ ସଂସ୍କରଣରେ ହାତବୁଣା କାରିଗରଙ୍କ ପ୍ରଶଂସା ସହ ସମ୍ବଲପୁରୀ ଶାଢୀ କଥା କହିଥିଲେ ମୋଦି । ସୋସିଆଲ ମିଡିଆରେ #MyProductMyPride ନାମରେ ନିଜ ଲୋକାଲ୍ ପ୍ରଡକ୍ଟକୁ ଅପଲୋଡ୍ କରିବାକୁ ଅପିଲ୍ କରିଥିଲେ ପିଏମ୍ । ଏଥିସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସମ୍ବଲପୁରୀ ପୋଷାକକୁ ପ୍ରୋତ୍ସାହିତ କରି ଆସିଛନ୍ତି ।
ଏପରି ଝଲକ ଦେଖିବାକୁ ମିଳିଥିଲା ୨୦୨୩ ମସିହା ସମ୍ବଲପୁରୀ ଦିବସରେ । ସମ୍ବଲପୁରୀ ବସ୍ତ୍ର ପରିଧାନ କରି ସଂସଦ କାର୍ଯ୍ୟରେ ସାମିଲ ହୋଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍.ଜୟଶଙ୍କର ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପ୍ରସାର ତଥା ବିକ୍ରି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାକୁ ବୁଣାକାର ସଙ୍ଘ ପକ୍ଷରୁ କୃତଜ୍ଞତା ପ୍ରଦାନ କରାଯାଇଛି ।