Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କ୍ଷେତ୍ରରେ ଓଡିଶା ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବ

Ritu Das
Browse all articles by Ritu Das
·1 year ago·3 min read
୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କ୍ଷେତ୍ରରେ ଓଡିଶା ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବ

ଅର୍ଗସ ବ୍ୟୁରୋ: ଗୈାରବମୟ ଐତିହ୍ୟ, ଭାଷା, କଳା, ସଂସ୍କୃତି, ଆଧ୍ୟାତ୍ମିକତା, ପରଂପରା, ପ୍ରାକୃତିକ ସମ୍ପଦ, ଖାଦ୍ୟ, ବେଶଭୂଷାକୁ ନେଇ ଓଡିଶାର ସ୍ୱତନ୍ତ୍ର ସ୍ଥାନ ରହିଆସିଛି । ଯାହାକି ଓଡ଼ିଶାର ପୁରୁଣା ଐତିହ୍ୟ ଓ ସ୍ଥାପତ୍ୟରେ ସ୍ପଷ୍ଟ ପରିଲକ୍ଷିତ ହେଉଛି । ସେହିପରି ଆମ ବାଣିଜ୍ୟ ବେପାର ସର୍ବ ପୁରାତନ । ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଖୋଦିତ ଏକ କଳାକୃତି ଏହାକୁ ସ୍ପଷ୍ଟ ପ୍ରମାଣିତ କରୁଛି । (ହାତୀ ପିଠିରେ ବସିଥିବା ଆମ ରାଜାଙ୍କୁ ଆଫ୍ରିକା ମହାଦେଶରେ ଉପଲବ୍ଧ ଥିବା ଜିରାଫ ପ୍ରଦାନ କରାଯାଉଛି) । ‘ବସୁଧୈଃବ କୁଟୁମ୍ବକମ’, ‘ଅତିଥି ଦେବୋ ଭବଃ’ ଆମ ସମସ୍ତଙ୍କ ମୁଳ ଭାବନା ହୋଇଥିବାବେଳେ “ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତେ ଉଦ୍ଧାର ହେଉ” ହେଉଛି ବିଶ୍ୱବାସୀଙ୍କୁ ଓଡିଶାର ମୂଳ ବାର୍ତ୍ତା। ଅନେକ ଓଡିଆ ପୁଅ ଆଜି ଦେଶ ତଥା ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନରେ ବାସ କରୁଛନ୍ତି । ବିଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି । କେବଳ ସେତିକି ନୁହେଁ, ବରଂ ନିଜ ନିଜ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଓଡିଶା ତଥା ପ୍ରତ୍ୟେକ ଓଡିଆଙ୍କୁ ଗୌରବାନ୍ୱିତ କରି ପାରିଛନ୍ତି । ରାଜ୍ୟ ବାହାରେ ଥିବା ଓଡିଆ ଭାଇଭଉଣୀଙ୍କୁ ସଂଗଠିତ କରି ୨୦୩୬ ସୁଦ୍ଧା ‘ବିକଶିତ ଓଡିଶା ଗଠନ’ରେ ସେମାନଙ୍କ ସହଯୋଗୀ ଭାବେ ସରକାରଙ୍କ କାନ୍ଧରେ କାନ୍ଧ ମିଳାଇ ଆଗେଇ ଆସିବା ନିମନ୍ତେ ଆହ୍ୱାନ କରୁଛୁ ବୋଲି ବିଶ୍ୱ ଓଡିଆ ପରିବାରର ଅଧ୍ୟକ୍ଷ ଶ୍ରୀ ସଜ୍ଜନ ଶର୍ମା କହିଛନ୍ତି ।


ସାମ୍ବାଦିକ ସମ୍ମିଳନିରେ ସୁଚନା ଦେଇ ଶ୍ରୀ ଶର୍ମା କହିଛନ୍ତି ଯେ; ଆମ ମାଟି, ଆମ ରାଜ୍ୟ, ଆମ ଦେଶ ପାଇଁ କାର୍ଯ୍ୟ କରି ମାତୃଭୁମି ପ୍ରତି ଆମ କର୍ତ୍ତବ୍ୟ ପାଳନ କରିବା ଆଜି ସମୟ ଆସିଛି । ଆଧୁନିକ ବିଶ୍ୱରେ ଓଡିଆ ପରମ୍ପରା ମୂଲ୍ୟବୋଧ ଓ ସ୍ପନ୍ଦନକୁ ପ୍ରୋତ୍ସାହିତ କରିବା ସହିତ ଓଡିଆଙ୍କ ମଧ୍ୟରେ ଆତ୍ମିୟତା ଓ ସୌହାର୍ଦ୍ୟ ଭାବନାର ପୋଷଣ କରିବା ହେଉଛି ବିଶ୍ୱ ଓଡିଆ ପରିବାରର ମୂଳ ଲକ୍ଷ୍ୟ । ବିଶ୍ୱ ଓଡିଆ ପରିବାର ତରଫରୁ “ଆମ ଆତିଥ୍ୟ, ଆମ ପରିଚୟ”କୁ ମୂଳମନ୍ତ୍ର କରାଯାଇଛି । ୨୦୩୬ ସୁଦ୍ଧା ବିକଶିତ ଓଡିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କ୍ଷେତ୍ରରେ ଓଡିଶାର ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବ । ବିଶ୍ୱ ଓଡିଆ ପରିବାର ଏହି ଅଭିଯାନରେ ନିଜକୁ ସାମିଲ କରିଛି ।


ଭାଷା ଓ ସାହିତ୍ୟ, ଓଡିଆ ଅସ୍ମିତାର ପ୍ରଚାର, ସାଂସ୍କୃତିକ ସଂପଦ ସଂରକ୍ଷଣ, ଓଡିଆ ପାରମ୍ପରିକ ଖାଦ୍ୟର ପ୍ରଚାର, “ଆମ ଆତିଥ୍ୟ, ଆମ ପରିଚୟ”ର ପାଳନ, କର୍ମଶାଳା ଏବଂ ତାଲିମ ଆୟୋଜନ, କଳା ଓ କଳାକାରମାନଙ୍କୁ ସମ୍ମାନିତ କରିବା, ବିଦେଶରେ ବସବାସ କରି ସୁନାମ ଅର୍ଜନ କରିଥିବା ଓଡିଆ ଭାଇଭଉଣୀମାନଙ୍କୁ ଓଡିଶା ଅଧିବାସୀଙ୍କ ସହିତ ପରିଚିତ କରାଇବା ଏବଂ ପ୍ରତିଷ୍ଠିତ ଓଡିଆ ଭାଇଭଉଣୀମାନଙ୍କୁ ବିଶ୍ୱ ଦରବାରରେ ପରିଚିତ କରାଇବା ହେଉଛି ବିଶ୍ୱ ଓଡିଆ ପରିବାରର ମୁଳ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବୋଲି ଶ୍ରୀ ଶର୍ମା ସୁଚନା ଦେଇଛନ୍ତି ।
ଭୁବନେଶ୍ୱରଠାରେ ସଦ୍ୟ ସମାପ୍ତ ହୋଇଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଅବସରରେ ପାଖାପାଖି ୪୦୦୦ ଉର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେଇଥିଲେ । ମୁଳ ସମ୍ମିଳନୀ ସ୍ଥାନ ଜନତା ମଇଦାନ ସମେତ ଭୁବନେଶ୍ୱରର ୫ଟି ସ୍ଥାନ (ରବିନ୍ଦ୍ର ମଣ୍ଡପ, ରାଜ୍ୟ ସଂଗ୍ରହାଳୟ, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର)ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦେଶ ବିଦେଶରୁ ସମୁଦାୟ ୧୦୦୦୦ରୁ ଉର୍ଦ୍ଧ୍ୱ ପ୍ରତିନିଧି ଏବଂ ତାଙ୍କ ପରିବାର ସଦସ୍ୟ, ବିଶିଷ୍ଟ ବ୍ୟକ୍ତିବିଶେଷ ତଥା ଉଚ୍ଚ ପଦାଧିକାରୀଗଣ ଓଡିଶା ଆଗମନ କରିଥିଲେ । ଅତିଥିମାନେ ଭୁବନେଶ୍ୱର ସମେତ ପୁରୀ, କୋଣାର୍କ, କଟକ ଆଦି ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ଅବସରରେ ଦେଶ ବିଦେଶରୁ ଆସିଥିବା ଅତିଥିମାନଙ୍କୁ ବିଶ୍ୱ ଓଡିଆ ପରିବାର ତରଫରୁ “ଆମ ଆତିଥ୍ୟ, ଆମ ପରିଚୟ’କୁ ଗୁରୁତ୍ୱ ଦିଆଯାଇ ସ୍ୱାଗତ କରାଯାଇଥିଲା । ସମସ୍ତ ଅତିଥିଙ୍କୁ ଆମ ପାରମ୍ପରିକ ଖାଦ୍ୟ ‘ପିଠା ଓ ମିଠା’ ପରସା ଯାଇଥିଲା । ମଣ୍ଡା, ଆରିସା, ଏଣ୍ଡୁରୀ, ଚକୁଳି, ଚିତଉ, ପୋଡପିଠା ଆଦି ପିଠା ସମେତ ରସଗୋଲା, ମଗଜ ଲଡୁ, ଛେନା ଝିଲୀ, ଛେନାପୋଡ, ପାଳୁଅ ଲଡୁ ଆଦି ମିଠା ପରସା ଯାଇଥିଲା। ଓଡିଶାର ଗୌରବମୟ ଐତିହ୍ୟ, ମନ୍ଦିର, ଭାଷା, କଳା, ସ୍ଥାପତ୍ୟ, ସଂସ୍କୃତି, ଆଧ୍ୟାତ୍ମିକତା, ପରମ୍ପରା, ଆୟୁର୍ବେଦ, ପ୍ରାକୃତିକ ସମ୍ପଦ, ଖାଦ୍ୟ, ବେଶଭୁଷା, ଅଳଙ୍କାରକୁ ନେଇ ଇଂରାଜୀ ଭାଷାରେ “ଗୌରବମୟ ଓଡିଶା” (ଗ୍ଲୋରିୟସ ଓଡିଶା) ପୁସ୍ତିକା ସମସ୍ତ ଅତିଥିମାନଙ୍କୁ ପ୍ରଦାନ କରାଯାଇଥିଲା । ଏଥିରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଲେଖକମାନଙ୍କ ପ୍ରବନ୍ଧକୁ ସଂକଳନ କରାଯାଇ ପ୍ରକାଶିତ ହୋଇଥିଲା ବୋଲି ଶ୍ରୀ ଶର୍ମା କହିଛନ୍ତି ।


“ଗୌରବମୟ ଓଡିଶା” (ଗ୍ଲୋରିୟସ ଓଡିଶା) ପୁସ୍ତକକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତ ୭ ତାରିଖ ଦିନ ଉନ୍ମୋଚନ କରିବା ସହିତ ବିଶ୍ୱ ଓଡିଆ ପରିବାରର ଉଦ୍ୟମ ଓ ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ । ରାଜ୍ୟ ଅତିଥି ଭବନରେ ଅୟୋଜିତ ଉକ୍ତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ରାଜ୍ୟର ଅନେକ ପଦ୍ମ ପୁରସ୍କାର ବିଜେତା ଏବଂ ବିଶିଷ୍ଟ ଅତିଥିଗଣ ଉପସ୍ଥିତ ଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାରଙ୍କ ସମସ୍ତ ମନ୍ତ୍ରୀଗଣ, ପଦାଧିକାରୀଙ୍କ ସମେତ ସମସ୍ତ ସହଯୋଗୀଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛୁ ବୋଲି ଶ୍ରୀ ଶର୍ମା କହିଛନ୍ତି ।
ଓଡିଶା ତଥା ଓଡିଆଙ୍କ ସମ୍ମାନ କ୍ଷେତ୍ରରେ ବିଶ୍ୱ ଓଡିଆ ପରିବାର ତରଫରୁ ଆଗାମୀ ଦିନମାନଙ୍କରେ ପ୍ରୟାସ ଜାରି ରହିବ । ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରୁଛୁ ।
ଏହି ଅବସରରେ ଭବାନୀ ପ୍ରସାଦ ମିଶ୍ର, ସୁବ୍ରତ ନାୟକ, ସୁରେଶ ସାହୁ, ଶ୍ରୀକାନ୍ତ ପାଢୀ, କିଶୋର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Sponsored
Odisha will play an important role in building a developed India by 2047 | Argus News