Videos
|
Odisha

PM SVANidhi Award 2026 / ପିଏମ୍ ସ୍ୱନିଧି ସମ୍ମାନ ପୁରସ୍କାର-୨୦୨୬ରେ ‘ଫାଷ୍ଟେଷ୍ଟ ମୁଭର’ ବର୍ଗରେ ଓଡ଼ିଶାକୁ ଜାତୀୟ ସମ୍ମାନ

Ritu Das
Browse all articles by Ritu Das
·15 mins ago·3 min read
ପିଏମ୍ ସ୍ୱନିଧି ସମ୍ମାନ ପୁରସ୍କାର-୨୦୨୬ରେ ‘ଫାଷ୍ଟେଷ୍ଟ ମୁଭର’ ବର୍ଗରେ ଓଡ଼ିଶାକୁ ଜାତୀୟ ସମ୍ମାନ
India

Key Points

ଫାଷ୍ଟେଷ୍ଟ ମୁଭର’ ବର୍ଗରେ ଓଡ଼ିଶା ତୃତୀୟ ସ୍ଥାନ ହାସଲ କରି ପିଏମ୍ ସ୍ୱନିଧି ସମ୍ମାନ ପୁରସ୍କାର-୨୦୨୬ରେ ଜାତୀୟ ସ୍ତରରେ ସମ୍ମାନିତ ହୋଇଛି
ପିଏମ୍ ସ୍ୱନିଧି ଯୋଜନାର ସଫଳ ରୂପାୟଣ ଓ ଦ୍ରୁତ ଅଗ୍ରଗତି ପାଇଁ ‘ବେଷ୍ଟ ପର୍ଫମିଙ୍ଗ – ଫାଷ୍ଟେଷ୍ଟ ମୁଭର’ ବର୍ଗରେ ଓଡ଼ିଶା ତୃତୀୟ ସ୍ଥାନ ହାସଲ କରି ପିଏମ୍ ସ୍ୱନିଧି ସମ୍ମାନ ପୁରସ୍କାର-୨୦୨୬ରେ ଜାତୀୟ ସ୍ତରରେ ସମ୍ମାନିତ ହୋଇଛି।

ନୂଆଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଇଣ୍ଟରନ୍ୟାସନାଲ୍ ସେଣ୍ଟରଠାରେ ଆୟୋଜିତ ଏହି ସମାରୋହରେ ଭାରତ ସରକାରଙ୍କ ମାନ୍ୟବର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ମନୋହର ଲାଲ ଏବଂ ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୋଖନ ସାହୁଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଓଡ଼ିଶା ସରକାରଙ୍କ ପକ୍ଷରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଶ୍ରୀ ସୁଶାନ୍ତ ସିଂହ ଏହି ପୁରସ୍କାର ଗ୍ରହଣ କରିଥିଲେ। ‘ଷ୍ଟ୍ରିଟ୍ ଭେଣ୍ଡର୍ସ ଟୁ ଷ୍ଟ୍ରିଟ୍ ୱଣ୍ଡର୍ସ’ ବିଷୟବସ୍ତୁକୁ ନେଇ ଏହି ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା।

୧ ସେପ୍ଟେମ୍ବର ୨୦୨୫ରୁ ୩୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଯୋଜନାର କାର୍ଯ୍ୟକାରିତା ଆଧାରରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ରାସ୍ତାକଡ଼ ବ୍ୟବସାୟୀମାନଙ୍କୁ ବିନା ବନ୍ଧକରେ କାର୍ଯ୍ୟକାରୀ ପୁଞ୍ଜି ଋଣ ଯୋଗାଇବା, ଡିଜିଟାଲ୍ କାରବାରକୁ ପ୍ରୋତ୍ସାହନ ଦେବା ଏବଂ ସେମାନଙ୍କ ପରିବାରକୁ ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା ସହ ଯୋଡ଼ିବା କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତି ଏହି ସଫଳତାର ପ୍ରତିଫଳନ।

ରାସ୍ତାକଡ଼ ବ୍ୟବସାୟୀମାନଙ୍କୁ ‘ଷ୍ଟ୍ରିଟ୍ ୱଣ୍ଡର୍ସ’ ଭାବେ ଅଭିହିତ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ମନୋହର ଲାଲ ସେମାନଙ୍କ ଉଦ୍ୟମଶୀଳତା ଓ ସଂଘର୍ଷମୟ ଜୀବନଯାତ୍ରାର ଉଚ୍ଚ ପ୍ରଶଂସା କରିଥିଲେ। ଅନ୍ତ୍ୟୋଦୟର ଲକ୍ଷ୍ୟ ମାଧ୍ୟମରେ ବିକଶିତ ଭାରତ @୨୦୪୭ର ସ୍ୱପ୍ନ ସେତେବେଳେ ସାକାର ହେବ, ଯେତେବେଳେ ପିଏମ୍ ସ୍ୱନିଧି ଯୋଜନା ପ୍ରତ୍ୟେକ ଯୋଗ୍ୟ ରାସ୍ତାକଡ଼ ବ୍ୟବସାୟୀଙ୍କ ପାଖରେ ପହଞ୍ଚିବ ବୋଲି ସେ ମତବ୍ୟକ୍ତ କରିଥିଲେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ସଫଳତା ସମ୍ପର୍କରେ ମତବ୍ୟକ୍ତ କରି ଓଡ଼ିଶାର ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, “ଏହି ଜାତୀୟ ସମ୍ମାନ ଓଡ଼ିଶାର ପରିଶ୍ରମୀ ରାସ୍ତାକଡ଼ ବ୍ୟବସାୟୀମାନଙ୍କ ନିଷ୍ଠା ଓ ସଂଘର୍ଷର ସ୍ୱୀକୃତି। ଆମର ଲକ୍ଷ୍ୟ କେବଳ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ନୁହେଁ, ବରଂ ସେମାନଙ୍କୁ ଆତ୍ମନିର୍ଭର କରିବା, ଆର୍ଥିକ ଭାବେ ସଶକ୍ତ କରିବା ଏବଂ ସମ୍ମାନର ସହ ଜୀବିକା ନିର୍ବାହ ପାଇଁ ସୁଯୋଗ ସୃଷ୍ଟି କରିବା। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୟୁଏଲ୍‌ବି, ବ୍ୟାଙ୍କ ଓ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ସମନ୍ୱିତ ପ୍ରୟାସ ଏହି ଦିଗରେ ଗୁରୁତ୍ୱପୂର୍ଣ୍ଣ ସହଯୋଗ ଯୋଗାଇଛି। ଆଗାମୀ ଦିନରେ ପ୍ରତ୍ୟେକ ଯୋଗ୍ୟ ରାସ୍ତାକଡ଼ ବ୍ୟବସାୟୀଙ୍କ ନିକଟରେ ଏହି ଯୋଜନାର ସୁବିଧା ପହଞ୍ଚାଇ ସେମାନଙ୍କ ଜୀବନ ଓ ଜୀବିକାରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଆମର ପ୍ରାଥମିକତା।”

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କହିଛନ୍ତି, “ଏହି ପୁରସ୍କାର ଟିମ୍ ଅର୍ବାନ୍ ଓଡ଼ିଶାର କ୍ଷେତ୍ରସ୍ତରୀୟ ପ୍ରୟାସର ସ୍ୱୀକୃତି। ଆମର ୟୁଏଲ୍‌ବିଗୁଡ଼ିକ ବ୍ୟାଙ୍କ ସହ ସମନ୍ୱୟ ରକ୍ଷା କରି ରାସ୍ତାକଡ଼ ବ୍ୟବସାୟୀମାନଙ୍କୁ କାର୍ଯ୍ୟକାରୀ ପୁଞ୍ଜି ଋଣ ପାଇଁ ଆବେଦନ, ଡିଜିଟାଲ୍ ପେମେଣ୍ଟ୍ ଗ୍ରହଣ ଏବଂ ସେମାନଙ୍କ ପରିବାରକୁ କଲ୍ୟାଣକାରୀ ଯୋଜନା ସହ ଯୋଡ଼ିବାରେ ସହାୟତା କରିଛନ୍ତି। ଅଧିକରୁ ଅଧିକ ବ୍ୟବସାୟୀ ଯେପରି ନିଜ ବ୍ୟବସାୟକୁ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ାଇପାରିବେ, ସେଥିପାଇଁ ଆମେ ପ୍ରତିବଦ୍ଧ।”

୧ ଜୁନ୍ ୨୦୨୦ରେ ଆରମ୍ଭ ହୋଇଥିବା ପିଏମ୍ ସ୍ୱନିଧି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ପ୍ରାୟ ୮୧ ଲକ୍ଷ ରାସ୍ତାକଡ଼ ବ୍ୟବସାୟୀ ୧.୨୧ କୋଟିରୁ ଅଧିକ ଋଣ ମଞ୍ଜୁର କରାଇଛନ୍ତି, ଯାହାର ମୋଟ ମୂଲ୍ୟ ପ୍ରାୟ ୨୦,୦୦୦ କୋଟି ଟଙ୍କା। ଯୋଜନାର ପୁନର୍ଗଠନ ପରେ ପ୍ରଥମ ବର୍ଷରେ ପ୍ରାୟ ୨୨ ଲକ୍ଷ ଋଣ ମାଧ୍ୟମରେ ୬,୨୯୪ କୋଟି ଟଙ୍କା ବଣ୍ଟନ କରାଯାଇଛି। ଏଥିରେ ୧୦.୬ ଲକ୍ଷ ନୂତନ ହିତାଧିକାରୀ ସାମିଲ ହୋଇଛନ୍ତି। ଏହାସହ ଯୋଗ୍ୟ ବ୍ୟବସାୟୀମାନଙ୍କ ପାଇଁ ସର୍ବାଧିକ ୩୦,୦୦୦ ଟଙ୍କା ସୀମା ବିଶିଷ୍ଟ UPI ସଂଯୁକ୍ତ RuPay କ୍ରେଡିଟ୍ କାର୍ଡର ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି।