Half Marathon / ସମ୍ବଲପୁରରେ 'ହୀରାକୁଦ ଇଣ୍ଟରନ୍ୟାସନାଲ ହାଫ୍ ମାରାଥନ୍'ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

Key Points
୨୦୩୬ ଅଲିମ୍ପିକ୍ସ ପାଇଁ ୨୦୨୬ରୁ ପ୍ରୟାସ ଆରମ୍ଭ କରିବାକୁ ହେବ: ଧର୍ମେନ୍ଦ୍ର
ମାରାଥନ କେବଳ ଏକ ଦୌଡ଼ ନୁହେଁ, ବରଂ ଏହା ଏକ ଦୃଢ ସଂକଳ୍ପ
ଏହି ମାରାଥନ କେବଳ ଏକ ଦୌଡ଼ ନୁହେଁ, ବରଂ ଏହା ଏକ ଦୃଢ ସଂକଳ୍ପ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହୀରାକୁଦର ସୁଉଚ୍ଚ ମାଟି ବନ୍ଧ ଉପରେ ଆୟୋଜିତ ଏହି ଭବ୍ୟ ମାରାଥନରେ ଚଳିତ ବର୍ଷ ଦେଶ-ବିଦେଶର ୧୦ ହଜାରରୁ ଉଦ୍ଦ୍ୱ କ୍ରୀଡ଼ାବିତ୍ ଓ ଯୁବସାଥୀ ଅଂଶଗ୍ରହଣ କରିଥିଲେ । ଏଥିରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ବିଦେଶରୁ ହଜାର ହଜାର ପ୍ରତିଭାବାନ ଧାବକ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାକୁ ମୁଖ୍ୟତଃ ୨୧ କିମି, ୧୦ କିମି, ୫ କିମି ଏବଂ ୧.୫ କିମି ଭଳି ଚାରୋଟି ଭିନ୍ନ ବିଭାଗରେ ବିଭକ୍ତ କରାଯାଇଥିଲା।
ହୀରାକୁଦର ମନୋରମ ପରିବେଶ ମଧ୍ୟରେ ଆୟୋଜିତ ଏହି ଦୌଡ଼ ସମ୍ବଲପୁରର କ୍ରୀଡ଼ା ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ବିଶେଷ କରି ଇଥିଓପିଆ ଏବଂ ନାଇଜେରିଆ ଭଳି ଦେଶରୁ ଆନ୍ତର୍ଜାତୀୟ ଖେଳାଳିମାନେ ମଧ୍ୟ ଏଥିରେ ଯୋଗଦେଇ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ପୁରସ୍କୃତ ମଧ୍ୟ ହୋଇଛନ୍ତି । ଏହାକୁ ଆଗାମୀ ଦିନରେ ଜାରି ରଖିବା ପାଇଁ ଯୋଜନା କରାଯିବ । ଏହି ଅବସରରେ ସେ ମାରାଥନରେ ଭାଗ ନେଇଥିବା ସମସ୍ତ କ୍ରୀଡ଼ାବିତ ଓ ଯୁବସାଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆୟୋଜକ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍, ଜିଲ୍ଲା ପ୍ରଶାସନ, ଭାରତ ସରକାର ଓ ଓଡ଼ିଶା ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ।
ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ଫିଟ୍ ଇଣ୍ଡିଆ ମୁଭମେଣ୍ଟ'ର ଆହ୍ୱାନକୁ ଆଜିର ଏହି ମାରାଥନ୍ ସାର୍ଥକ କରୁଛି । ଯେତେବେଳେ ଜଣେ ଯୁବକ ଦୌଡ଼େ, ସେତେବେଳେ ପୂରା ସମାଜ ଦୌଡ଼େ ଏବଂ ଦେଶ ପ୍ରଗତି ପଥରେ ଦୌଡ଼େ । ପ୍ରତ୍ୟେକ ନାଗରିକଙ୍କୁ ସୁସ୍ଥ ରଖିବା ପାଇଁ ଦୌଡ଼ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ମାରାଥନ୍ କେବଳ ଶାରୀରିକ ସୁସ୍ଥତା ନୁହେଁ, ବରଂ ଜଣେ କ୍ରୀଡ଼ାବିତ୍ର ପ୍ରକୃତ ସ୍ପୋର୍ଟ୍ସ ମ୍ୟାନ ସ୍ପିରିଟ୍ ବା ଖେଳୁଆଡ଼ ମନୋଭାବକୁ ମଧ୍ୟ ପ୍ରଦର୍ଶିତ କରୁଛି । ଏହି ଭବ୍ୟ ଆୟୋଜନ ସମ୍ବଲପୁରକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ନୂଆ ଏବଂ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବାରେ ଏକ ଶକ୍ତିଶାଳୀ ମାଧ୍ୟମ ସାଜିବ ।
📱 Get Argus News App
✨ଉଲ୍ଲେଖନୀୟ ଯେ, ଏହି ମାରାଥନରେ ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରତିଯୋଗୀମାନେ ସାମିଲ ହୋଇଥିଲେ । ରାଜ୍ୟ ବାହାରୁ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ଛତିଶଗଡ଼, ବିହାର, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ହରିୟାଣା, ରାଜସ୍ଥାନ, ମଧ୍ୟ ପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, ଦିଲ୍ଲୀ, କର୍ଣ୍ଣାଟକ, ପଞ୍ଜାବ, ଆସାମ, ଉତ୍ତରାଖଣ୍ଡ, କେରଳ, ତାମିଲନାଡୁ, ମେଘାଳୟ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଜମ୍ମୁ ଓ କାଶ୍ମୀରର ଧାବକ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ । ଆନ୍ତର୍ଜାତୀୟ ସ୍ତରରେ ଏହି ମାରାଥନର ଦୃଶ୍ୟପଟ୍ଟ ବେଶ୍ ପ୍ରଭାବଶାଳୀ ରହିଥିଲା, ଯେଉଁଥିରେ କେନିଆ, ଇଥିଓପିଆ, ନାଇଜେରିଆ, ନେପାଳ, ଶ୍ରୀଲଙ୍କା, ଭୁଟାନ, ଜାମ୍ବିଆ, କଙ୍ଗୋ, ୟେମେନ ଏବଂ ସିରିଆ ଭଳି ବିଦେଶୀ ରାଷ୍ଟ୍ରର ଧାବକମାନେ ଅଂଶଗ୍ରହଣ କରିଥିଲେ । ବିଜୟୀ ପ୍ରତିଯୋଗୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ପୁରସ୍କୃତ କରିଥିଲେ ।
Related Topics
Explore more stories