ମେରୁ ଯାତ୍ରା ଭିଡ଼ରେ ଚାରି ମହିଳାଙ୍କ ବେକରୁ ଅଳଙ୍କାର ଝାମ୍ପି ନେଲେ ଲୁଟେରା

ଛତ୍ରପୁର: ଭିଡ଼ ଭିତରେ ବେକରୁ ଭିଡ଼ି ନେଲେ ସୁନା ଅଳଙ୍କାର । ମାସନ୍ତ ମେରୁ ଯାତ୍ରା ଚାଲିଥିବା ବେଳେ ଲୁଟ୍ର ଶିକାର ହୋଇଛନ୍ତି ୪ ଜଣ ମହିଳା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପଥରା ଗାଁରେ ଦୁର୍ବୃତ୍ତ ଯାତ୍ରା ଭିଡ଼ ଭିତରେ ସୁନା ଅଳଙ୍କାର ଝାମ୍ପି ନେଇଛନ୍ତି । ପ୍ରବଳ ଜନଗହଳି ଭିତରେ ଅଳଙ୍କାର ଲୁଟ୍ ହୋଇଥିବା ବେଳେ କେହି ବି ଲୁଟେରାଙ୍କ ଟେର୍ ପାଇ ନାହାନ୍ତି ।
ସୁନା ହାର ସହ ମଙ୍ଗଳସୂତ୍ର ଝାମ୍ପି ନେଇଥିବା ନେଇ ଖଲ୍ଲିକୋଟ ଥାନାରେ ଏତଲା ହୋଇଛି । ତେବେ ଏ ଅଳଙ୍କାର ଚୋରି ଗ୍ୟାଙ୍ଗରେ ମହିଳା ସାମିଲ୍ ଥିବା ଜଣାପଡ଼ିଛି । ଚୋରି କରୁଥିବା ବେଳେ ଜଣେ ମହିଳାଙ୍କୁ ଜଣେ ବୃଦ୍ଧା ଧରିବା ବେଳେ ସେ ହାତକୁ କାମୁଡ଼ି ଦେଇଥିଲେ । ପୋଲିସ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ଚୋରିର ଶିକାର ହୋଇଥିବା ମହିଳା ମାନେ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ କନ୍ଦିଗାଁର ସୁକାନ୍ତି ପାଣିଗ୍ରାହୀ, ନଳିନାକ୍ଷପୁର ଗାଁର ମନୋରମା ରଣା, ରମ୍ଭା ଥାନା ଅନ୍ତର୍ଗତ ସାବୁଳିଆ ଗାଁର ମାଧବୀ ପଲେଇ ଓ ରମ୍ଭା କଲେଜ ରୋଡର ନୀଳାଦ୍ରି ପ୍ରଧାନ । ଏମାନଙ୍କ ଏତଲା ଭିତ୍ତିରେ ପୋଲିସ ଛାନଭିନ୍ କରୁଛି ।