Videos
|
Odisha

ଦାଦନ ଗଡ଼ ପାଲଟିଲାଣି ନବୀନଙ୍କ ଗଡ଼

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଦାଦନ ଗଡ଼ ପାଲଟିଲାଣି ନବୀନଙ୍କ ଗଡ଼

Key Points

  • ଦାଦନ ଗଡ଼ ପାଲଟିଲାଣି ନବୀନଙ୍କ ଗଡ଼
  • ଗଂଜାମରୁ ୭ ଲକ୍ଷ ଲୋକ ଏବେ ଖଟୁଛନ୍ତି ଦାଦନ
  • ହିଞ୍ଜିଳି ସ୍ଥିତି ପୂରା ଅସମ୍ଭାଳ

ଅର୍ଗସ ବ୍ୟୁରୋ: ଦାଦନ ଗଡ ହେଲାଣି ନବୀନଙ୍କ ଗଡ଼ । ଲକ୍ଷେ କି ଦୁଇଲକ୍ଷ ନୁହେଁ ବରଂ ୭ ଲକ୍ଷରୁ ଅଧିକ ଲୋକ ଏବେ ଦାଦନ ଖଟୁଛନ୍ତି ବାହାର ରାଜ୍ୟରେ । ହେଲେ ଏହା ପରେ ବି ନବୀନ କହୁଛନ୍ତି ରାଜ୍ୟର ବିକାଶ ହେବ ହିଞ୍ଜିଳି ମଡେଲ୍‌ରେ । କିନ୍ତୁ ତଥ୍ୟ କହୁଛି, ନବୀନଙ୍କ ଜିଲ୍ଲାରେ ଏବେ ଦାଦନ ସ୍ଥିତି ଅସମ୍ଭାଳ । ଖାଲି ଦାଦନ ସ୍ଥିତି ଅସମ୍ଭାଳ ତାହା ନୁହେଁ ବରଂ ନିଇତି ଗାଡି ଯାଉଛି ସୁରଟ ଓ ତାମିଲନାଡୁ ଦାଦନ ଓ ଖଣିଜ ସମ୍ପଦ ନେଇ, ହେଲେ ଆସିଲା ବେଳକୁ ନେଇକି ଆସୁଛି ତାମିଲ କଂଟ୍ରାକ୍ଟରଙ୍କୁ । ପ୍ରାକୃତିକ ସମ୍ପଦରେ ଭରପୂର ଓଡ଼ିଶାର ସ୍ଥିତି ଏବେ କିଛି ଏମିତି । ଏହା ପରେ ବି ନବୀନ ବାବୁ କହୁଛନ୍ତି ରାଜ୍ୟର ବିକାଶ ହେବ ହିଞ୍ଜିଳି ମଡେଲ୍‌ରେ ।

୨୪ ବର୍ଷର ସ୍ଥିର ସରକାର, ସ୍ଥିର ମୁଖ୍ୟମନ୍ତ୍ରୀ । ଏହା ପରେ ବି ନବୀନ ବାବୁଙ୍କୁ ବିକାଶ କରିବାର ରାସ୍ତା କିଏ ଓଗାଳିଥିଲା ତାହା ଏବେ ବି ପ୍ରଶ୍ନ ଘେରରେ । କାରଣ ଦାଦନ ମାତ୍ରା ଯେମିତି ଭାବରେ ବଢିଲାଣି ସେ ଦୃଶ୍ୟ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ ଏ ସରକାର କେବଳ ଦାଦନ ବଢାଇବାରେ ବ୍ୟସ୍ତ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିର ସାରୁ ଗାଁ । ଇଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀର ଚିତ୍ର । କଥା ହେଲା ଏ ସବୁ ଘରେ କେହି ନାହାନ୍ତି । ଏଠି ବେରୋଜଗାର ସମସ୍ୟା ଅତି ଉତ୍କଟ, ପରିବାରର ସମସ୍ତେ ଘରେ ତାଲା ପକାଇ ଦାଦନ ଖଟିବା ପାଇଁ ଯାଇଛନ୍ତି ବାହାର ରାଜ୍ୟକୁ । 

ହିଞ୍ଜିଳି ଭଳି ଗଞ୍ଜାମର ଆଉ ଏକ ନିର୍ବାଚନମଣ୍ଡଳୀ ଖଲ୍ଲିକୋଟରେ ବି ଦାଦନ ସମସ୍ୟା ସାଂଘାତିକ। ପରିସଂଖ୍ୟାନ ଅନୁସାରେ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀର 50 ହଜାରରୁ ଅଧିକ ଲୋକ ଭୋଗୁଛନ୍ତି ଦାଦନ ଦୁର୍ଦ୍ଦଶା। ପେଟ ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ଆଉ ଶବ ହୋଇ ଫେରୁଛନ୍ତି। ଗତ ବର୍ଷ ବର୍ଷରେ କେବଳ ଖଲ୍ଲିକୋଟ ଅଞ୍ଚଳକୁ ଆସିଛି 50ରୁ ଅଧିକ ଦାଦନଙ୍କ ମୃତଦେହ । 

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ । ଏହି ଜିଲ୍ଲାରୁ ଗତ ଅଢ଼େଇ ଦଶନ୍ଧି ଧରି ପ୍ରତିନିଧିତ୍ବ କରିଆସୁଛନ୍ତି ନବୀନ। କିନ୍ତୁ ୨୪ ବର୍ଷ ଭିତରେ ଗୋଟିଏ ବି ବଡ଼ ଶିଳ୍ପ ପ୍ରତିଷ୍ଠା କରିନାହାନ୍ତି । ଫଳରେ ଗଞ୍ଜାମ ଜିଲ୍ଲାରୁ ୭ ଲକ୍ଷରୁ ଅଧିକ ଲୋକ ଏବେ ବାହାର ରାଜ୍ୟରେ ଦାଦନ ଯନ୍ତ୍ରଣାରେ ହେଉଛନ୍ତି ଛଟପଟ । ସବୁଠୁ ବେଶୀ ଯନ୍ତ୍ରଣା ଭୋଗୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀର ହିଞ୍ଜିଳିର ଲୋକେ । ଅନ୍ୟପଟେ ହିଞ୍ଜିଳିକୁ ବିକାଶର ମଡେଲ୍ କହୁଥିବା ନବୀନଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିକାଶମାନେ କଣ  ଉତ୍କଟ ବେରୋଜଗାର, ଦାଦନ ଖଟିବାକୁ ହଜାର ହଜାର ଲୋକ ବାହାର ରାଜ୍ୟକୁ ଯିବା କଣ ବିକାଶ। ହିଞ୍ଜିଳିରୁ କେତେ ଦାଦନ ଯାଇଛନ୍ତି, ମୁଖ୍ୟମନ୍ତ୍ରୀ ତାର ଶ୍ବେତପତ୍ର ପ୍ରକାଶ କରିବେ କି ବୋଲି ପଚାରିଛନ୍ତି ଧର୍ମେନ୍ଦ୍ର। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟରେ ଅପାର ସମ୍ଭାବନା ସତ୍ବେ ଲୋକଙ୍କୁ ନିଯୁକ୍ତି ଦେବାରେ ବିଫଳ 24 ବର୍ଷର ସ୍ଥିର ସରକାର। ଅନ୍ୟପଟେ ରୂପାନ୍ତରଣ ନାଁରେ ଚଳାଇଛନ୍ତି ରୀତୀମତ ମିଛ ପ୍ରଚାର। ଏ ନେଇ କଡ଼ା ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର, କହିଛନ୍ତି ରୂପାନ୍ତରଣ ନାଁରେ ପଳାୟନରେ ଓଡ଼ିଶାକୁ ଏକ ନମ୍ବର କରିଛନ୍ତି ନବୀନ । ତେବେ ଦାଦନ ବଢିବା ପରେ ବି ନବୀନ ଯେଉଁପରି ଭାବରେ ମିଛ ପ୍ରତିଶ୍ରୁତି ଦେଇଛନ୍ତି ତାହାକୁ ନେଇ କିନ୍ତୁ ଚର୍ଚ୍ଚା ଜୋର ।